ଭୁବନେଶ୍ୱର, ୧୨।୧: ନୃତ୍ୟ ଶିକ୍ଷା ଦେବାକୁ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟ ଯାଇଥିଲେ ଶିଳ୍ପୀ ଅନିରୁଦ୍ଧ ଦାସ । ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍) ପକ୍ଷରୁ ମନୋନୀତ ହୋଇ ଯାଇଥିଲେ । ଆଇସିସିଆର୍ ବିଶ୍ୱବ୍ୟାପୀ ଭାରତୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଥାଏ । ନିୟମ ଅନୁସାରେ ଯେ କୌଣସି ଶିଳ୍ପୀ ବିଦେଶ ଗସ୍ତରେ ଯାଆନ୍ତି ଅତି କମ୍ରେ ୧୧ ମାସ ଏବଂ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । ଅନିରୁଦ୍ଧ ୨ ବର୍ଷ ୨ ମାସ ରହି ସ୍ୱଦେଶ ଫେରିଛନ୍ତି । ତାଙ୍କ ପ୍ରଶିକ୍ଷଣରେ ମୁଗ୍ଧ ଭାରତୀୟ ଦୂତାବାସ ଏବଂ ଅମ୍ରିତା ଶେର-ଗିଲ୍ ସାଂସ୍କୃତିକ କେନ୍ଦ୍ର ତାଙ୍କୁ ଛାଡ଼ିବାକୁ ନାରାଜ ଥିଲେ ବୋଲି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି ଅନିରୁଦ୍ଧ । ଅନିରୁଦ୍ଧ ୨୦୨୩ ନଭେମ୍ବର ୯ରେ ହଙ୍ଗେରୀ ଯାଇ ୨୦୨୫ ଡିସେମ୍ବର ୩୦ରେ ଫେରିଛନ୍ତି । ଏହି ସମୟରେ ୨୦ରୁ ଅଧିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନରେ ଭାରତୀୟ ସଂସ୍କୃତିର ପ୍ରଚାର, ପ୍ରସାର କରିଛନ୍ତି । ଅମ୍ରିତା ଶେରଗିଲ୍ ସାଂସ୍କୃତିକ କେନ୍ଦ୍ରରେ ପାଖାପାଖି ୫୦ଟି ସୋ’ କରିଛନ୍ତି । ସବୁଠି ନୃତ୍ୟକଳାର ପ୍ରଦର୍ଶନ ସହ ବ୍ୟାଖ୍ୟା କରିଛନ୍ତି ।
ଅନିରୁଦ୍ଧ କହନ୍ତି, ପୂର୍ବରୁ ଯେତେ ଗୁରୁ ହଙ୍ଗେରୀ ଯାଉଥିଲେ ସମସ୍ତେ ନୃତ୍ୟ ଶିକ୍ଷା ଦେଉଥିଲେ । ବେଶୀ କଥକ ଶିକ୍ଷା ଦିଆଯାଉଥିଲା । ସୌଭାଗ୍ୟକୁ ହଙ୍ଗେରୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଓଡ଼ିଆ ହୋଇଥିବାରୁ ସେ ଓଡ଼ିଶୀ ପାଇଁ ଆଇସିସିଆର୍କୁ ପ୍ରସ୍ତାବ ଦେଇଥିଲେ । ମୋତେ ପଠାଯାଇଥିଲା । ହଙ୍ଗେରୀ, ୟୁକ୍ରେନ୍, ଋଷ ସହ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ବୁଝାଇବା ଆହ୍ୱାନପୂର୍ଣ୍ଣ ଥିଲା । କିନ୍ତୁ ୧୦ ଦିନ ପରେ ସ୍ଥିତି ବଦଳି ଯାଇଥିଲା । ଭାରତରୁ ଯାଇଥିବା ସେତେବେଳର କେନ୍ଦ୍ର ମନ୍ତ୍ରୀ ମୀନାକ୍ଷି ଲେଖି କାର୍ଯ୍ୟକ୍ରମ ଦେଖି ଅଭିଭୂତ ହେଲେ । ସେଥିପାଇଁ ତ ଆଜି ବି ସେମାନେ ଝୁରୁଛନ୍ତି । ଏବେ ସେମାନଙ୍କ ଅନୁରୋଧ କ୍ରମେ ଆସନ୍ତା ଜାନୁଆରୀ ୨୬ ପାଇଁ ଦେଶାତ୍ମବୋଧକ ବିଷୟ ଆଧାରିତ ଏକ ନୃତ୍ୟ ସଂରଚନା କରିଛି । ମୁଁ ସେମାନଙ୍କୁ ସମ୍ବଲପୁରୀ, ଓଡ଼ିଶୀ ସହ ଭାରତନାଟ୍ୟମ୍, କଥକ, ବଲିଉଡ୍, ମହାରାଷ୍ଟ୍ରର ଲବଣୀ, ଗୁଜରାଟର ଗର୍ବା, ରାଜସ୍ଥାନର ଘୁମର ଏବଂ ପଞ୍ଜାବ ଓ ତାମିଲନାଡ଼ୁର ବିଭିନ୍ନ ଲୋକନୃତ୍ୟ ଶିକ୍ଷା ଦେଲି । ପ୍ରତିଟି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି ଆଧାରିତ ବିଷୟ ଏବଂ ବିଭିନ୍ନ ଦିବସ ସହ ଯୋଡ଼ି ନୃତ୍ୟ କମ୍ପୋଜିସନ୍ କରୁଥିଲି ଯାହା ସେମାନଙ୍କ ଲାଗି ପ୍ରଥମ ଥିଲା । ପ୍ରତି କାର୍ଯ୍ୟକ୍ରମ ଶେଷରେ ଗୋଟିଏ ଗୀତରେ ସମସ୍ତଙ୍କୁ ନୃତ୍ୟ କରିବାର ସୁଯୋଗ ବି ଅନନ୍ୟ ଥିଲା । ଫଳରେ ସେମାନେ ଭାରତୀୟ ନୃତ୍ୟ ପ୍ରେମରେ ପଡ଼ିଗଲେ ।
ଆଶ୍ଚର୍ଯ୍ୟର କଥା ଯେତେବେଳେ ସେଠାରେ ପହଞ୍ଚିଲି କେହି ପ୍ରଶିକ୍ଷାର୍ଥୀ ନ ଥିଲେ । ଏବେ ୨୨ ଜଣ ପ୍ରଶିକ୍ଷଣ ନେଉଛନ୍ତି । ସେଥିରେ ଅଛନ୍ତି ୧୨ ଜଣ ଭାରତୀୟ । ଆଇସିସିଆର୍ ଦ୍ୱାରା ୧୦/୧୨ ଥର ନୃତ୍ୟ ପ୍ରଦର୍ଶନ ଲାଗି ବିଭିନ୍ନ ଦେଶ ମୁଁ ଯାଇଛି । କିନ୍ତୁ ପ୍ରଶିକ୍ଷକ ଭାବେ ଏହା ପ୍ରଥମ ଥିଲା ଯାହାର ଅନୁଭୂତି ମୋ ପାଇଁ ଏକ ଅଧ୍ୟାୟ ହୋଇ ରହିବ । ଜଗତସିଂହପୁରରେ ଜନ୍ମିତ ଅନିରୁଦ୍ଧ ଦୀର୍ଘ ୩୦ ବର୍ଷ ହେବ ନୂଆଦିଲ୍ଲୀରେ ଅବସ୍ଥାପିତ । ନୂଆଦିଲ୍ଲୀର ପୀତମପୂରା ଡିଏଭି ପୁଷ୍ପାଞ୍ଜଳିର ପ୍ରତିଷ୍ଠିତ ନୃତ୍ୟ ଶିକ୍ଷକ । ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶୀ ଓ ଅନ୍ୟାନ୍ୟ ନୃତ୍ୟ ସାଧନାରେ ନିମଗ୍ନ ଅଛନ୍ତି । ଦେଶ, ବିଦେଶରେ ବଡ଼ ବଡ଼ ଉତ୍ସବରେ ନୃତ୍ୟ ପରିବେଷଣ ତାଙ୍କ ପାଇଁ ଆଣିଦେଇଛି ପ୍ରତିଷ୍ଠା, ପରିଚୟ, ସମ୍ମାନ ଓ ସ୍ୱୀକୃତି ।