ବିନା ସମ୍ମତିରେ ଗ୍ରାହକଙ୍କଠାରୁ ସର୍ଭିସ୍ ଚାର୍ଜ ଆଦାୟ କରିବା ମହଙ୍ଗା ପଡ଼ିଛି । ପ୍ରସିଦ୍ଧ ଚା’ କାଫେ ଚେନ୍ 'Chaayos' ଏବଂ 'Barbeque Nation' ସମେତ ଦେଶର ୪୧ଟି ବଡ଼ ବଡ଼ ରେଷ୍ଟୁରାଣ୍ଟ ଉପରେ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (CCPA) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉପଭୋକ୍ତାଙ୍କ ଅଧିକାର କ୍ଷୁଣ୍ଣ କରିଥିବା ଅଭିଯୋଗରେ ଏହି ସବୁ ରେଷ୍ଟୁରାଣ୍ଟ ଉପରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇଛି । ଏହା ସହିତ ଗ୍ରାହକଙ୍କଠାରୁ ବେଆଇନ ଭାବେ ନିଆଯାଇଥିବା ସର୍ଭିସ୍ ଚାର୍ଜ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

CCPA ର ସୂଚନା ଅନୁଯାୟୀ, ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ବିଲ୍‌ରେ ନ ପଚାରି ନିଜ ଆଡ଼ୁ ୫% ରୁ ୧୦% ପର୍ଯ୍ୟନ୍ତ ସର୍ଭିସ୍ ଚାର୍ଜ ଯୋଡ଼ି ଦେଉଥିଲେ । ଅଧିକାଂଶ ଗ୍ରାହକ ଏହାକୁ ସରକାରୀ ଟ୍ୟାକ୍ସ ବା GST ଭାବି ଦେଇ ଦେଉଥିଲେ । କିନ୍ତୁ, ଗ୍ରାହକଙ୍କ ବିନା ଅନୁମତିରେ ଏଭଳି ଚାର୍ଜ ଆଦାୟ କରିବା ସମ୍ପୂର୍ଣ୍ଣ ବେଆଇନ ଓ ଉପଭୋକ୍ତା ଅଧିକାରର ଉଲ୍ଲଂଘନ । ଏବେ ପ୍ରଶ୍ନ ଉଠୁଛି ସର୍ଭିସ୍ ଚାର୍ଜ ଦେବା କ'ଣ ବାଧ୍ୟତାମୂଳକ ? ବିଲକୁଲ୍ ନୁହେଁ । ସର୍ଭିସ୍ ଚାର୍ଜ ଦେବା ସମ୍ପୂର୍ଣ୍ଣ ଭାବେ ଇଚ୍ଛାଧୀନ। କୌଣସି ବି ହୋଟେଲ ବା ରେଷ୍ଟୁରାଣ୍ଟ ଆପଣଙ୍କୁ ଏହା ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ । 

ଏହା ବି ପଢ଼ନ୍ତୁ... Parliamanet Monsoon Session: ସଂସଦ ମନସୁନ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ରାହୁଲ-ଅଖିଳେଶଙ୍କ ମେଗା ପ୍ଲାନ୍ !

ଯଦି ବିଲ୍‌ରେ ସର୍ଭିସ ଚାର୍ଜ ଲାଗିଛି, ତେବେ ଆପଣ ତାକୁ ହଟାଇବା ପାଇଁ କହିପାରିବେ । ସର୍ଭିସ୍ ଚାର୍ଜ ନଦେଲେ ରେଷ୍ଟୁରାଣ୍ଟ ଆପଣଙ୍କୁ ଖାଦ୍ୟ ପରଷିବାକୁ ମନା କରିପାରିବ ନାହିଁ । ତେବେ GST ଏବଂ ସର୍ଭିସ ଚାର୍ଜ ମଧ୍ୟରେ ଫରକ କ'ଣ ? GST ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଟ୍ୟାକ୍ସ, ଯାହାକୁ ଦେବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ହଲେ ସର୍ଭିସ୍ ଚାର୍ଜ ରେଷ୍ଟୁରାଣ୍ଟ ନିଜ ସେବା ପାଇଁ ରଖିଥାଏ । ଏହା କୌଣସି ସରକାରୀ ଟ୍ୟାକ୍ସ ନୁହେଁ, ତେଣୁ ଏହା ଦେବା ବା ନଦେବା ସମ୍ପୂର୍ଣ୍ଣ ଗ୍ରାହକଙ୍କ ଉପରେ ନିର୍ଭର କରେ ।

ଜବରଦସ୍ତି ଚାର୍ଜ ଆଦାୟ କଲେ କେଉଁଠି କରିବେ ଅଭିଯୋଗ ?

ଯଦି କୌଣସି ରେଷ୍ଟୁରାଣ୍ଟ ଆପଣଙ୍କ ମନା କରିବା ସତ୍ତ୍ୱେ ଜବରଦସ୍ତି ସର୍ଭିସ୍ ଚାର୍ଜ ଆଦାୟ କରେ, ତେବେ ଆପଣ ଅଭିଯୋଗ ମଧ୍ୟ କରିପାରିବେ । ଏଥିପାଇଁ ରାଷ୍ଟ୍ରୀୟ ଉପଭୋକ୍ତା ହେଲ୍ପଲାଇନ (NCH) ର ନମ୍ବର 1915 କୁ କଲ୍ କରି ଅଭିଯୋଗ କରନ୍ତୁ । ଏଥିସହ ସରକାରଙ୍କ ଅଫିସିଆଲ୍ ୱେବସାଇଟ୍ consumerhelpline.gov.in କୁ ଯାଇ ଅଭିଯୋଗ ଦାଖଲ କରିପାରିବେ । NCH ଆପ୍ ଡାଉନଲୋଡ୍ କରି ମଧ୍ୟ ସେଥିରେ ନିଜର ଅଭିଯୋଗ ରେଜିଷ୍ଟ୍ରେସନ କରିପାରିବେ ।