ଭାରତୀୟ ସଂସ୍କୃତିରେ ମୁନିଋଷିମାନଙ୍କ ଦ୍ୱରା ରଚିତ ବେଦ, ଉପନିଷଦ, ପୁରାଣ ଶାସ୍ତ୍ରରେ ମଣିଷ ଜନ୍ମକୁ ଏକ ଶ୍ରେଷ୍ଠ ଜନ୍ମରୂପେ ବିବେଚନା କରାଯାଏ । ଦେବତାଙ୍କର ରୂପଲାବଣ୍ୟ ସହିତ ମଣିଷ ଶରୀରକୁ ତୁଳନା କରି ମୂଲ୍ୟବାନ ଆଭୂଷଣରେ ସଜାଇ ଦିଆଯାଏ, ବା ଅନ୍ୟ ଅର୍ଥରେ କହିବାକୁ ଗଲେ ପୁରୁଷ ହୁଅନ୍ତୁ ବା ନାରୀ ସମସ୍ତଙ୍କ ମନରେ ସୁନ୍ଦର ଚେହେରା ସହିତ ସୁନ୍ଦର ବେଶ ପରିପାଟ୍ଟୀରେ ସଜେଇ ହୋଇ ସେମାନଙ୍କ କଳ୍ପନାରେ ଥିବା ଦେବତା କିମ୍ବା ଦେବୀଙ୍କର ରୂପଲାବଣ୍ୟ ପ୍ରାପ୍ତି ହେବାପାଇଁ ପ୍ରୟାସ ଜାରି ରଖନ୍ତି । ବୁଦ୍ଧିମାନ ମଣିଷ ସର୍ବଦା ଶ୍ରେଷ୍ଠ ତଥା ସୁନ୍ଦର ପରିବେଶରେ ବସବାସ କରିବାକୁ ଚାହାଁନ୍ତି । ପରିଷ୍କାର ପରିଚ୍ଛନ୍ନ ହୋଇ ଚଳିବା ସତେଯେପରି ସେମାନଙ୍କର ଜନ୍ମଗତ ଅଧିକାର । ସେଥିପାଇଁ ବିଜ୍ଞାନ ମନସ୍କ ହୋଇ ଅନେକ ଉଦ୍ଭାବନ ଏବଂ ଆବିଷ୍କାରରେ ଲାଗିପଡ଼ନ୍ତି । ଉଦ୍ଦେଶ୍ୟ ଗୋଟିଏ, ସେମାନେ ନିରୋଗ ରହିବେ, ଏବଂ ଯେତେଦୂର ସମ୍ଭବ ଲମ୍ବା ଆୟୁଷକୁ ଭୋଗ କରିବା ସହିତ ସମସ୍ତ ଇନ୍ଦ୍ରିୟ ସୁଖକୁ ଭୋଗ କରିବେ । ସେଥିପାଇଁ ଯାହା କରିବାକୁ ପଡୁ ପଛେ ନିଜେ ନିଜକୁ ପ୍ରସ୍ତୁତ କରିବାକୁ ଲାଗିପଡ଼ନ୍ତି । ମଣିଷ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ମୌଳିକ ପଦାର୍ଥ ମଧ୍ୟରେ ଥିବା ଖାଦ୍ୟ, ବସ୍ତ୍ର, ବାସଗୃହ ସତଯେପରି ଏବେ ନିଜର କାୟା ବିସ୍ତାର କରିଚାଲିଛି । କେବଳ ଲଜ୍ଜ୍ୟା ନିବାରଣ ପାଇଁ ଏବେ ପୋଷାକ ଦରକାର ପଡୁନାହିଁ ବରଂ ନିଜର ଧନ, ମାନ, ସହ ଆଭିଜାତ୍ୟକୁ ପ୍ରଦର୍ଶିତ କରିବା ସହିତ ଆକର୍ଷଣୀୟ ଦେଖାଯିବା ପାଇଁ ଭଳିକି ଭଳି ପୋଷାକ କିଣାଯାଇଛି । ପୋଷାକ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ, ରଙ୍ଗ ସହିତ ଅନ୍ୟାନ୍ୟ ଉପକରଣର ଚିଠା ବେଶ୍ ଲମ୍ବା ।
ଠିକ୍ ସେହିଭଳି ଖାଦ୍ୟର ପ୍ରକାରଭେଦ, ତାର ଉପାଦେୟତା ସହିତ ସ୍ୱାଦ ଏବେ ସଭ୍ୟମାନବକୁ କବଳିତ କରି ରଖିଛି । ସ୍ୱାଦ ଅନୁସାରେ ରାନ୍ଧିବା, ଆକର୍ଷଣୀୟ ଢଙ୍ଗରେ ପରଷିବା ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ସରଞ୍ଜାମ ସହିତ ବିଜ୍ଞାନଭିତ୍ତିକ କଳାକୌଶଳ ସ୍ଥାନ ପାଉଛି । ରାନ୍ଧୁଣିଆ କୁଶଳୀ ହେବା ନିହାତି ଜରୁରି । ନଚେତ୍ ନାକ, ଆଖି, ଜିହ୍ୱାକୁ ସନ୍ତୁଷ୍ଟ କରାଯାଇପାରିବ ନାହିଁ । ଶେଷରେ ରହିଯାଉଛି ମନ, ଯାହାର ନିର୍ଦ୍ଦେଶରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଅନେକ କ୍ଷେତ୍ରରେ ଅମଣିଷପଣିଆକୁ ଆପଣେଇବାକୁ ପଡ଼େ । ସେ ଜୀବ ହତ୍ୟା ହେଉ ବା ପରିବେଶ ଉପରେ ଅଯଥା ହସ୍ତକ୍ଷେପ ହେଉ, କଳେ-ବଳେ-କୌଶଳେ ନିଜର ସ୍ୱାର୍ଥକୁ ହାସଲ କରିବାକୁ ହେବ । ଏହା ବ୍ୟତୀତ ଆଠଶହ କୋଟି ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ହେବ । ତା’ ସହିତ ଏବେ ଯୋଡ଼ି ହୋଇଯାଉଛି ଅଣଖାଦ୍ୟ, ଯାହା ଶରୀର ପାଇଁ ଆଦୌ ହିତକର ନୁହେଁ । ତଥାପି ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଯେଉଁ ବ୍ୟକ୍ତି ଯେତେ ଯୋଗ୍ୟ, ସେମାନଙ୍କ ପାଇଁ ସେତେ ଅଧିକ ପ୍ରକାର ଖାଦ୍ୟ ସହିତ ଅଣଖାଦ୍ୟର ଆବଶ୍ୟକତା ରହିଛି । ସେଥିପାଇଁ ଅନେକ ଜନ୍ମର ପୁଣ୍ୟଫଳରେ ପ୍ରାପ୍ତ ହୋଇଥିବା ମଣିଷପଣିଆ ବା ମାନବିକତା ଢେର୍ ପଛରେ ରହିଯାଉଛି । ଏତେସବୁ ଇନ୍ଦ୍ରିୟ ଲାଳସାକୁ ପୂର୍ଣ୍ଣ କରିବାକୁ ନିଜର ବଡ଼ିମା କେଉଁଠି ଲୁଚିଥାଏ, ତାହା ଧୀରେ ଧୀରେ ଆତ୍ମପ୍ରକାଶ କରେ । ରହିବା ପାଇଁ ଅନେକ କୋଠରିବିଶିଷ୍ଟ ବିଶାଳ ଭବନର ନିର୍ମାଣ ନିଶା ଏବେ ସଭ୍ୟ ମଣିଷଙ୍କୁ ପାଗଳ କରୁଛି । ସେମାନେ ଯେ ଅଳ୍ପ କିଛିବର୍ଷ ପାଇଁ ପୃଥିବୀକୁ ଆସିଛନ୍ତି, ପୃଥିବୀ ପାଇଁ କିଛି ମଙ୍ଗଳପ୍ରଦ କାମ କରି ଧରାପୃଷ୍ଠରୁ ବିଦାୟ ନେବେ ଏବଂ ତା’ ପୂର୍ବରୁ ନିଜଭଳି ଆଉ କେତେଜଣ ମଣିଷଙ୍କୁ ଜନ୍ମଦେଇ ସେମାନଙ୍କୁ ଯୋଗ୍ୟ ତଥା ସଂସ୍କାରିତ କରିବାପାଇଁ ସ୍କୁଲ କଲେଜଠାରୁ ଆରମ୍ଭ କରି ମନ୍ଦିର, ମସ୍ଜିଦ୍, ଚର୍ଚ୍ଚା, ଗୁରୁଦ୍ୱାରା ଭଳି ଅନେକ ଅନୁଷ୍ଠାନ ଗଢ଼ାଯାଉଛି ।
ମାତ୍ର ଦୁଃଖର କଥା ହେଲା, ସେଗୁଡ଼ିକର ପ୍ରଭାବ ଯେତିକି ମଙ୍ଗଳପ୍ରଦ ହେବା କଥା ତାହା ନହୋଇ ଏବେ ପ୍ରଭାବଶୂନ୍ୟ ହେବାରେ ଲାଗିଛି । ଫଳରେ ସମାଜରେ ଯାବତୀୟ ବିଶୃଙ୍ଖଳା ଧୀରେ ଧୀରେ ମୁଣ୍ଡ ଟେକୁଛି । ସେଥିମଧ୍ୟରେ ଲୁଚିରହିଥିବା ଶାସକ ହେବାର ନିଶା ଏବେ ପ୍ରବଳ ହେବାରେ ଲାଗିଛି । ମଣିଷଙ୍କୁ ଶୃଙ୍ଖଳିତ କରି ଚଳାଇବାର ପ୍ରୟାସ ଧୀରେ ଧୀରେ ପଛକୁ ଗଲାବେଳେ ଏହା ମଧ୍ୟରେ ବିଶୃଙ୍ଖଳା ସତେଯେପରି ସମାଜର ମଙ୍ଗକୁ ଧରି ସାରିଲାଣି । ଫଳରେ ଶାସକ ଗୋଷ୍ଠୀ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ସେଥିରେ ବଳି ପଡୁଛନ୍ତି ସାଧାରଣ ଜନତା, ସେମାନଙ୍କର କଷ୍ଟ ଅର୍ଜିତ ସମ୍ପତ୍ତି, ଯାହା ଶାସକ ଗୋଷ୍ଠୀର ମଣିଷପଣିଆକୁ ଧିକ୍କାର କରୁଛି । ଦୁର୍ବଳ ଉପରେ ସବଳର ଅତ୍ୟାଚାର ଦୁର୍ବଳଙ୍କୁ ଆହୁରି ଦୁର୍ବଳ କରିବାର ହୀନମନ୍ୟତା ଅଧିକାଂଶ ଶାସକଙ୍କ ଠାରେ ପ୍ରକାଶ ପାଉଛି । ଦୁର୍ବଳ ବଞ୍ଚିବାର ରାହା ଖୋଜୁଥିବାବେଳେ ସବଳମାନେ ନିଜର ଇନ୍ଦ୍ରିମାନଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରହୁଛନ୍ତି । ଆମ ଦେଶରେ ଏବେ ଲକ୍ଷ ଲକ୍ଷ ଘର ପରିତ୍ୟକ୍ତ ହୋଇ ପଡ଼ିଥିବାବେଳେ ଗୃହହୀନ ଜୀବନ ବିତାଉଥିବା ଲୋକଙ୍କର ଦୁଃଖ ବିଶାଳ ପ୍ରାସାଦର ଆଢ଼ୁଆଳରେ ରହିଯାଇ ବିତ୍ତଶାଳୀଙ୍କ ସହିତ ସଭ୍ୟମାନଙ୍କୁ ସତେଯେପରି ତାଚ୍ଛଲ୍ୟ କରୁଛି । ଏବେ ପୁଣି ଯୁଦ୍ଧର ବିଭୀଷିକା ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଜାଳେଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଛି ।
ବିନା ଜାଳେଣି ବା ଇନ୍ଧନରେ ରନ୍ଧାବଢ଼ା, ଗମନାଗମନ ସବୁ ଯେପରି ଠପ୍ ହୋଇଯିବାକୁ ବସିଲାଣି । ଦୁର୍ବଳ ଲୋକଟିଏ ନିଜ ଦୁଃଖର କାରଣକୁ ଖୋଜିବାକୁ ଯାଇ ସିଧାସଳଖ ପହଞ୍ଚିଯାଉଛି ସବଳମାନଙ୍କ ପାଖରେ, ଯେଉଁଠି ଦୁଃଖଦୈନ୍ୟର ଚିହ୍ନବର୍ଣ୍ଣ ନାହିଁ । ବରଂ କେବଳ ମଉଜ ମଜଲିସ୍ ସହିତ ଗର୍ବ, ଅହଂକାରରେ ପୋତି ହୋଇପଡ଼ୁଥିବା ସଭ୍ୟ ମଣିଷମାନେ ନିଜର ମନୁଷ୍ୟତ୍ୱକୁ ହରାଇ ସାରିଛନ୍ତି । କିନ୍ତୁ ତା'ର ପରିଣାମ ସମ୍ପର୍କରେ ସଚେତନ ନୁହଁନ୍ତି । ସାଧାରଣ ଲୋକଟିର କଷ୍ଟଅର୍ଜିତ ଧନ, ଜୀବନକୁ ମାଟିରେ ମିଶାଇ ସାରିଲା ପରେ ମଧ୍ୟ ମନରେ ଦୁଃଖ ନାହିଁ³ ଯାହା ମନୁଷ୍ୟତ୍ୱକୁ ପଶୁତ୍ୱ ଆଡ଼କୁ ନେଇ ଯାଉଛି । ଏବେ ପୁଣି ଆଲୋଚନାର ବିଷୟ ସାଜିଛି ନିଜର ଶ୍ରେଷ୍ଠତା ଏବଂ ଆଧିପତ୍ୟକୁ ବିସ୍ତାର କରିବାକୁ ଯାଇ କେତେଜଣ ଯୁଦ୍ଧଖୋର ଶାସକ ପୃଥିବୀ ଉପରେ ଅନେକ ଯୁଦ୍ଧ ଲଦିଦେଇ ଲକ୍ଷ ଲକ୍ଷ ସଂଖ୍ୟକ ନିରୀହ ଶିଶୁ, ବୃଦ୍ଧବୃଦ୍ଧାଙ୍କ ସହିତ ଗୃହପାଳିତ ପଶୁପକ୍ଷୀ ଏବଂ ବଣ୍ୟଜନ୍ତୁଙ୍କର ହତ୍ୟାକାରୀ ସାଜି ସାରିଲାପରେ ମଧ୍ୟ ମନରେ ଆଦୌ ଅବଶୋଷ ବା ଅନୁଶୋଚନା ନରହିବା ଚିନ୍ତାର ବିଷୟ ସାଜିଛି । ଉକ୍ତ ଉଦ୍ଧତ୍ତପଣିଆକୁ ପ୍ରଦର୍ଷିତ କରୁଥିବା ପୁରୁଷ ଶ୍ରେଷ୍ଠଙ୍କର ଆଚରଣ ଉପରେ ଚିନ୍ତା ପ୍ରକଟ କରି ପ୍ରଖ୍ୟାତ ବୈଜ୍ଞାନିକ ଆଇନ ଷ୍ଟାଇନଙ୍କ ଆକଳନ ଏବେ ସତ ହେବାକୁ ଯାଉଛି । ଦୁଇ ଦୁଇଟି ବିଶ୍ୱଯୁଦ୍ଧର ଭୟାବହତାକୁ ଆଖିଆଗରେ ଦେଖିଥିବା ବିଶିଷ୍ଟ ବୈଜ୍ଞାନିକଙ୍କର ମତ ଥିଲା "ଯଦି ପୃଥିବୀପୃଷ୍ଠରେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ତା'ର କ୍ଷୟକ୍ଷତିର ପରିମାଣ ଆକଳନ କରିବା ଅସମ୍ଭବ ହୋଇପଡ଼ିବ । ମାତ୍ର, ଯଦି ଚତୁର୍ଥ ବିଶ୍ୱଯୁଦ୍ଧ ହୁଏ ତେବେ ତାହା ପଥର ଏବଂ ଲାଠିରେ ହିଁ ହେବ ।' ୧୯୪୯ ମସିହାର ଉକ୍ତ ବାର୍ତ୍ତା ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି ।
ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ସାଧାରଣ ଜନତା ଏବଂ ସୈନ୍ୟସାମନ୍ତଙ୍କର ସଂଖ୍ୟା ଆଠକୋଟି ପଚାଶ ଲକ୍ଷକୁ ପାର କରିଯାଇଥିଲା । ଏବେ ପୁଣି ମନେ ପଡୁଛି । ବିଗତ ପଚିଶି ବର୍ଷ ମଧ୍ୟରେ ପୃଥିବୀପୃଷ୍ଠରେ ସଂଘଟିତ ହୋଇଥିବା ପ୍ରାୟ ପଚାଶରୁ ଊଦ୍ଧ୍ୱର୍ ଯୁଦ୍ଧକୁ ଆମେରିକା ଲଢ଼ିଛି ଏବଂ ଇରାକ ବିରୁଦ୍ଧରେ ଗୋଟିଏମାତ୍ର ଯୁଦ୍ଧ ଜିତିଛି ବୋଲି ଯୁଦ୍ଧ ବିଶାରଦମାନେ ମତପୋଷଣ କରୁଛନ୍ତି । ସେମାନଙ୍କ ହିସାବରେ ୨୦୦୧ରୁ ଆଫଗାନିସ୍ତାନ ଠାରୁ ଆରମ୍ଭକରି ଇରାନ, ପାକିସ୍ତାନ, ଇସ୍ରାଏଲ ଲେବାନନ, ସୋମାଲିଆ, ଋଷିଆ, ଜର୍ଜିଆ, ସିରିଆ, ଲିବିୟା, ଆର୍ମେନିଆ, ଆଜରବୈଜାନ ଭଳି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବେ ଯୁଦ୍ଧାସ୍ତ୍ର ଯୋଗାଇ ସେମାନଙ୍କୁ ଯୁଦ୍ଧ କରିବା ପାଇଁ ଉସ୍କେଇବା ସତଯେପରି ଆମେରିକାର ଏକ ଧର୍ମରେ ପରିଣତ ହୋଇଗଲାଣି ବୋଲି ଅନେକ ଯୁଦ୍ଧ ବିଶାରଦ ନିଜ ନିଜର ବିରକ୍ତି ଭାବକୁ ଏବେ ଗଣମାଧ୍ୟମରେ ପ୍ରକଟ କରୁଛନ୍ତି । ସେମାନଙ୍କର କହିବା ଉଦ୍ଦେଶ୍ୟ ହେଲା, ଆମେରିକା କେବଳ ନିଜର ଯୁଦ୍ଧାସ୍ତ୍ରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଏହିଭଳି ବଡ଼ଭାଇପଣିଆକୁ ଦେଖାଇ ନିଜର ସ୍ୱାର୍ଥ ହାସଲ କରୁଛି, ଯାହା ଅନ୍ୟ ଦେଶଗୁଡ଼ିକୁ ଉପରକୁ ଉଠିବାକୁ ଦେଉନାହିଁ । ଏବେ ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧରେ ଅନେକ ସଂକଟ ସାମ୍ନାକୁ ଆସିଲାଣି । ବିଶେଷକରି ପ୍ରାକୃତିକ ଇନ୍ଧନ ବା ପେଟ୍ରୋଲଜାତ ପଦାର୍ଥ ଉପରେ ନିର୍ଭର କରି ଚାଲୁଥିବା କଳକାରଖାନା ଏବେ ବନ୍ଦ ହେବାକୁ ଯାଉଛି । ଫଳରେ ହଜାର ହଜାର ଲୋକ ନିଜର ଜୀବିକା ହରାଇବା ସହିତ ହୋଟେଲ୍, ମେସ୍, ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ ହେବାକୁ ବସିଲାଣି । ଘରୋଇ ରୋଷେଇ ପାଇଁ ବିକଳ୍ପ ଖୋଜା ଚାଲିଛି । ବିଶେଷକରି ଚିନି କାରଖାନାରୁ ନିର୍ଗତ ଆଖୁର ଛଦା ସହିତ ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁରୁ ତରଳ ଇଥାନଲ୍ ପ୍ରସ୍ତୁତ କରାଯାଇ ପେଟ୍ରୋଲରେ ଶତକଡ଼ା କୋଡ଼ିଏ ଭାଗ ମିଶାଇ ଗାଡ଼ି ମଟରର ଚାହିଦା ପୂରଣ କରିବା ସହିତ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାର ପ୍ରୟାସ ଜାରି ରହିଛି ।
ବ୍ରାଜିଲ୍ରେ ଆଖୁର ବର୍ଜ୍ୟବସ୍ତୁରୁ ନିର୍ଗତ ଇଥାନଲ୍କୁ ଶତକଡ଼ା ଶହେଭାଗ ବ୍ୟବହାର କରି ସମଗ୍ର ପୃଥିବୀରେ ହେଉଥିବା ଆଖୁଚାଷୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାବେଳେ, ଆମ ଦେଶ ଭାରତବର୍ଷର ପ୍ରୟାସ ମଧ୍ୟ ପ୍ରଶଂସାଯୋଗ୍ୟ । ଡେରିରେ ହେଉ ପଛେ ସରକାରଙ୍କ ତରଫରୁ "ଗୋବର ଧନ' ନାମକ ଏକ ସ୍କିମ୍ ଜରିଆରେ ଗୋବର ଗ୍ୟାସ ପ୍ଲାଣ୍ଟ ବସାଇବାକୁ ପ୍ରୋତ୍ସାହନ ରାଶି ଭାବେ ନଅହଜାର ଆଠଶହ ଟଙ୍କାରୁ ଆରମ୍ଭ କରି ଦେଢ଼ଲକ୍ଷ ଯାଏଁ ସବ୍ସିଡି ଆକାରରେ ଗୋ-ପାଳକଙ୍କୁ ପ୍ରଦାନ କରାଯାଉଛି । ଏହା ବ୍ୟତୀତ କ୍ଷୁଦ୍ର ଗୋପାଳକମାନଙ୍କୁ ଆଗକୁ ଆସିବାକୁ ଗଣମାଧ୍ୟମ ଜରିଆରେ ବିଭିନ୍ନ ପ୍ରକାର ପ୍ରକଳ୍ପର ପ୍ରଚାର କରାଯାଉଛି । ସମଗ୍ର ପୃଥିବୀରେ ଚୀନ ସର୍ବାଧିକ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରି ନିଜ ଦେଶର ପରିବେଶକୁ ସଫାସୁତୁରା ରଖିବାରେ ସକ୍ଷମ ହୋଇପାରିଛି । ଫଳରେ ପର୍ଯ୍ୟାପ୍ତ ପରିମାଣର ଅର୍ଥକୁ ଇନ୍ଧନ କିଣିବା ପ୍ରକ୍ରିୟାରୁ ବଞ୍ଚାଇପାରୁଛି । ଏବେ ଆମ ଦେଶର ପାଳି, ଆମେ ମଧ୍ୟ ସଜାଗ ହେବୁ, ଯୁଦ୍ଧର ବିଭୀଷିକାରୁ ନିଜକୁ ବଞ୍ଚାଇବୁ । ଏହି ଉଦ୍ଦେଶ୍ୟରେ ଆମେ ପୁଣି ଥରେ "ଗୋବର ଧନ' ଯୋଜନା ଆଡ଼କୁ ମୁହାଁଇବାକୁ ବାଧ୍ୟ ହେଉଛୁ ।
ଏହା ବ୍ୟତୀତ ହୋଟେଲ୍ରୁ ନିର୍ଗତ ବର୍ଜ୍ୟ ଖାଦ୍ୟପଦାର୍ଥ ସହିତ ସହରରୁ ନିର୍ଗତ ଜୈବ ଆବର୍ଜନା, ବଣଜଙ୍ଗଲରୁ ସୃଷ୍ଟି ହେଉଥିବା ଶୁଖିଲା ପତ୍ର, ମକାଚାଷରୁ ଉତ୍ପନ୍ନ ଶୁଖିଲା ଗଛପତ୍ର, ଗହମର କୁଟା, ଧାନଚାଷରୁ ଉତ୍ପନ୍ନ ହେଉଥିବା ନଡ଼ାରୁ ମଧ୍ୟ ଜୈବ ଗ୍ୟାସ୍ ସହିତ ତରଳ ଇଥାନଲ୍ ବାହାର କରାଯାଇ ସରନ୍ତି ପ୍ରାକୃତିକ ସମ୍ପଦ ମଧ୍ୟରେ ଥିବା ତରଳ ସୁନା ବା ପେଟ୍ରୋଲ ଡିଜେଲ ଭଳି ଇନ୍ଧନକୁ ବଞ୍ଚାଇ ରଖିବା ସହିତ ଏକଶହ ଚାଳିଶି କୋଟିରୁ ଊର୍ଦ୍ଧ୍ୱ ଲୋକ ବାସକରୁଥିବା ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଭାରତବର୍ଷର ଶକ୍ତିର ଚାହିଦାକୁ କିଛି ମାତ୍ରାରେ ମେଣ୍ଟାଇ ପାରୁଛି । ଫଳରେ ଆମର ପରିବେଶ ସୁସ୍ଥ ରହିବା ସହିତ ଆର୍ଥିକ ପରିସ୍ଥିତିରେ ମଧ୍ୟ ସୁଧାର ଆସିପାରିବ ବୋଲି ଆଶା ସଞ୍ଚାର ହେଉଛି । ମେଡିକାଲରୁ ନିର୍ଗତ ବର୍ଜ୍ୟବସ୍ତୁ ଅନେକ ପରିବେଶବିତଙ୍କର ଚିନ୍ତା ବଢ଼ାଇଥିବାବେଳେ ବର୍ଜ୍ୟ ପ୍ଲାଷ୍ଟିକରୁ ରାସ୍ତା ନିର୍ମାଣ ଭଳି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ହେବ, ନଚେତ୍ ପ୍ଲାଷ୍ଟିକର ରାକ୍ଷସ ସମଗ୍ର ଜୀବଜଗତ ପାଇଁ ବିପଦ ସାଜିବ।