ମୁମ୍ବାଇ,୨୦\୭ : ବଲିଉଡର ବରିଷ୍ଠ ଅଭିନେତା ରାଜେଶ ଶର୍ମାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଫିଲ୍ମ "ଫୌଜି" ସେଟରେ ତାଙ୍କୁ କୌଣସି ଏକ କୀଟ କାମୁଡ଼ି ଦେଇଥିଲା ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଖୁବ୍ ଶୀଘ୍ର ସୁଟିଂ ସେଟ୍ କୁ ଫେରିବେ । ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ ତାଙ୍କୁ କୋଲକାତାର ଧାକୁରିଆର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଡାକ୍ତରଙ୍କ କଡ଼ା ତତ୍ତ୍ୱାବଧାନରେ ଥିଲେ । ଏବେ ସେ ମୁମ୍ବାଇ ଫେରି ଆସିଛନ୍ତି ।
ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କହିବାକୁ ଗଲେ, ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE) ର ସଭାପତି ବିଏନ ତିୱାରୀ କହିଛନ୍ତି, "ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କୋଲକାତାରୁ ମୁମ୍ବାଇ ଫେରି ଆସିଛନ୍ତି । ତାଙ୍କ ସୁଗାର ସ୍ତର ବୃଦ୍ଧି ପାଇଥିଲା, ଯାହା ବିପଦ ସୃଷ୍ଟି କରିଥିଲା । କିନ୍ତୁ ଏବେ ସେ ପୁରାପୁରି ଠିକ୍ ଅଛନ୍ତି ଏବଂ କିଛି ଦିନ ମଧ୍ୟରେ ପୁଣି କାମ ଆରମ୍ଭ କରିବେ ।"
ସୂଚନା ଅନୁସାରେ ,ଅଭିନେତା ରାଜେଶ ଶର୍ମା ହାଇଦ୍ରାବାଦରେ ଫିଲ୍ମ "ଫୌଜି"ର ସୁଟିଂ କରୁଥିଲେ । ସେତେବେଳେ ତାଙ୍କୁ କୀଟ କାମୁଡ଼ି ଦେଇଥିଲା, ଯାହା ତାଙ୍କୁ ଅସୁସ୍ଥ କରି ଦେଇଥିଲା । ତଥାପି, ସେ ସୁଟିଂ ଜାରି ରଖିଥିଲେ। ଯେତେବେଳେ ସେ କୋଲକାତା ପାଇଁ ବିମାନରେ ଚଢ଼ିଲେ, ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା । ତାଙ୍କୁ ପ୍ରବଳ ଜ୍ୱର ହେଲା ଏବଂ ସେ ଅସହଜ ଅନୁଭବ କରିବାକୁ ଲାଗିଲେ । ତଥାପି, ସେ ଏହାକୁ ଗମ୍ଭୀରତାର ସହ ନ ନେଇ ଘରକୁ ଚାଲିଗଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟ ବେଶି ଖରାପ ହୋଇଗଲା, ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଗୁଜବ ହୋଇଥିଲା ଯେ ସଂକ୍ରମଣ ତାଙ୍କ ଫୁସଫୁସକୁ ମଧ୍ୟ ଆକ୍ରାନ୍ତ କରିଛି, କିନ୍ତୁ ଏହା ସତ ନଥିଲା ।
ଏଠାରେ କହି ରଖୁଛୁ ଯେ ,ରାଜେଶ ଶର୍ମା ମାଚିସ୍, ଇଶକାୟା, ଦି ଡାର୍ଟି ପିକଚର୍, ଚିଲ୍ଲର ପାର୍ଟି, ସ୍ପେଶାଲ୍ ୨୬, ବିଏ ପାସ୍, ତେଭର, ଡଲି କି ଡୋଲି, ବେଗମ ଜାନ୍, ହିନ୍ଦୀ ମିଡିୟମ୍, ଟଏଲେଟ୍ ଏକ ପ୍ରେମ କଥା, ରେସ୍ -୩ ଲକ୍ଷ୍ନୌ ସେଣ୍ଟ୍ରାଲ୍, ସୁପର ୩୦, ଡ୍ରିମ୍ ଗର୍ଲ, ଦବଙ୍ଗ୍ ୩, ଲକ୍ଷ୍ମୀ, କ୍ରୁ ଏବଂ ପେଡ୍ଡି ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ସେ ପରବର୍ତ୍ତୀ ସମୟରେ ପ୍ରଭାସଙ୍କ "ଫୌଜି" ରେ ନଜର ଆସିବେ । ତାଙ୍କ ଦମଦାର ଅଭିନୟ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି ।