ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଭାରତ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ଚାରୋଟି ନୂଆ ସେମିକଣ୍ଡକ୍ଟର ଉତ୍ପାଦନ ପରିଯୋଜନାକୁ ମଞ୍ଜୁରୀ ଦେଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୌଷ୍ଣବ ସୂଚନା ପ୍ରଦାନ କରିଛନ୍ତି। ଏହି ପରିଯୋଜନାଗୁଡ଼ିକରେ ମୋଟ ୪,୬୦୦ କୋଟି ଟଙ୍କାର ନିବେଶ ହେବ ଏବଂ ୨୦୩୪ ଜଣ ଦକ୍ଷ ପେସାଦାରଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ସହିତ ଅନେକ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। 

ଏହି ଚାରୋଟି ପରିଯୋଜନା ସିକସେମ (SICSEM), କଣ୍ଟିନେଣ୍ଟାଲ ଡିଭାଇସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (CDIL), ୩ଡି ଗ୍ଲାସ ସଲ୍ୟୁସନ୍ସ ଇନକ (3DGS) ଏବଂ ଆଡଭାନ୍ସଡ ସିଷ୍ଟମ ଇନ ପ୍ୟାକେଜ (ASIP) ଟେକ୍ନୋଲୋଜିସ ସହିତ ଜଡ଼ିତ ରହିଛି। ଏହା ସହିତ ଆଇଏସଏମ ଅଧୀନରେ ୬ଟି ରାଜ୍ୟରେ ମୋଟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ସ୍ୱୀକୃତ ପରିଯୋଜନାର ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ପରିଯୋଜନାର ବିବରଣୀ:

୧. ସିକସେମ ପ୍ରାଇଭେଟ ଲିମିଟେଡ (ଓଡ଼ିଶା): ଭୁବନେଶ୍ୱରର ଇନଫୋ ଭ୍ୟାଲିରେ ବ୍ରିଟେନର କ୍ଲାସ-ସିକ ୱେଫର ଫ୍ୟାବ ଲିମିଟେଡ ସହ ମିଳିତ ଭାବେ ସିଲିକନ କାର୍ବାଇଡ (ଏସଆଇସି) ଆଧାରିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ସ୍ଥାପନ କରାଯିବ। ଏହା ଭାରତର ପ୍ରଥମ ବାଣିଜ୍ୟିକ କମ୍ପାଉଣ୍ଡ ଫ୍ୟାବ୍ରିକେସନ ଇକାଇ ହେବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୬୦,୦୦୦ ୱେଫର ଏବଂ ୯୬ କୋଟି ଇକାଇ ପ୍ୟାକେଜିଂ ହେବ। ଏହାର ଉତ୍ପାଦ ମିସାଇଲ, ପ୍ରତିରକ୍ଷା ଉପକରଣ, ଇଲେକ୍ଟ୍ରିକ ଯାନ, ରେଳ, ଫାଷ୍ଟ ଚାର୍ଜର, ଡାଟା ସେଣ୍ଟର, ଗ୍ରାହକ ଉପକରଣ ଓ ସୌର ଶକ୍ତି ଇନଭର୍ଟରରେ ବ୍ୟବହୃତ ହେବ।

୨. ୩ଡି ଗ୍ଲାସ ସୋଲ୍ୟୁସନ୍ସ ଇନକ (ଓଡ଼ିଶା): ଭୁବନେଶ୍ୱରର ଇନଫୋ ଭ୍ୟାଲିରେ ଏକ ଉନ୍ନତ ପ୍ୟାକେଜିଂ ଓ ଗ୍ଲାସ ସବଷ୍ଟ୍ରେଟ ୟୁନିଟ ସ୍ଥାପନ କରାଯିବ। ଏହା ବିଶ୍ୱର ସବୁଠାରୁ ଉନ୍ନତ ପ୍ୟାକେଜିଂ ଟେକ୍ନୋଲୋଜିକୁ ଭାରତକୁ ଆଣିବ। ଏହାର ବାର୍ଷିକ କ୍ଷମତା ୬୯,୬୦୦ ଗ୍ଲାସ ପ୍ୟାନେଲ ସବଷ୍ଟ୍ରେଟ, ୫ କୋଟି ଆସେମ୍ବଲ୍ଡ ଇକାଇ ଓ ୧୩,୨୦୦ ୩ଡିଏଚଆଇ ମଡ୍ୟୁଲ ହେବ। ଏହାର ଉତ୍ପାଦ ପ୍ରତିରକ୍ଷା, ଉଚ୍ଚ-ପ୍ରଦର୍ଶନ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା, ଆରଏଫ, ଅଟୋମୋଟିଭ, ଫୋଟୋନିକ୍ସ ଓ କୋ-ପ୍ୟାକେଜ୍ଡ ଅପ୍ଟିକ୍ସ କ୍ଷେତ୍ରରେ ବ୍ୟବହୃତ ହେବ।

୩. ଆଡଭାନ୍ସଡ ସିଷ୍ଟମ ଇନ ପ୍ୟାକେଜ (ଆନ୍ଧ୍ରପ୍ରଦେଶ): ଦକ୍ଷିଣ କୋରିଆର ଏପିଏସିଟି କମ୍ପାନୀ ସହ ଟେକ୍ନିକାଲ ସହଯୋଗରେ ଏକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ସ୍ଥାପନ କରାଯିବ, ଯାହାର ବାର୍ଷିକ କ୍ଷମତା ୯୬ କୋଟି ଇକାଇ ହେବ। ଏହାର ଉତ୍ପାଦ ମୋବାଇଲ ଫୋନ, ସେଟ-ଟପ ବକ୍ସ, ଅଟୋମୋବାଇଲ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉତ୍ପାଦରେ ବ୍ୟବହୃତ ହେବ।

୪. କଣ୍ଟିନେଣ୍ଟାଲ ଡିଭାଇସ ଇଣ୍ଡିଆ (ପଞ୍ଜାବ): ମୋହାଲିରେ ଥିବା ଏହି କମ୍ପାନୀ ସିଲିକନ ଓ ସିଲିକନ କାର୍ବାଇଡ ଆଧାରିତ ଉଚ୍ଚ-ଶକ୍ତି ସେମିକଣ୍ଡକ୍ଟର ଉପକରଣ ଯଥା ଏମଓଏସଏଫଇଟି, ଆଇଜିବିଟି, ଶୋଟକି ବାଇପାସ ଡାୟୋଡ ଓ ଟ୍ରାନଜିଷ୍ଟର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ। ଏହାର ବାର୍ଷିକ କ୍ଷମତା ୧୫୮.୩୮ ନିୟୁତ ୟୁନିଟ ହେବ। ଏହାର ଉତ୍ପାଦ ଇଲେକ୍ଟ୍ରିକ ଯାନ, ଚାର୍ଜିଂ ଅବସଂରଚନା, ନବୀକରଣୀୟ ଶକ୍ତି, ଶିଳ୍ପ ଅବସଂରଚନାରେ ବ୍ୟବହୃତ ହେବ।

ଏହି ଖବର ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୌଷ୍ଣବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “କ୍ୟବିନେଟ ଅନୁମାଦନ ମିଳିବା ପରେ ଓଡିଶାରେ ବହୁ ଜଲଦି ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି। ଯାହା ଓଡିଶାର ଶିଳ୍ପ ଓ ବୌଷୟିକ ଭିତ୍ତିଭୂମି ପାଇଁ ଏକ ବଡ ସୁଯୋଗ ପ୍ରଦାନ କରିବ।”



ଏହି ପରିଯୋଜନାଗୁଡ଼ିକ ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନର ଅନୁକୂଳ ପରିବେଶ ସୃଷ୍ଟି କରିବ ଏବଂ ଭାରତକୁ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଓ ଉନ୍ନତ ପ୍ୟାକେଜିଂ କ୍ଷେତ୍ରରେ ଆଗେଇ ନେବ। ଏହା ଦୂରସଂଚାର, ଅଟୋମୋଟିଭ, ଡାଟା ସେଣ୍ଟର, ଗ୍ରାହକ ଇଲେକ୍ଟ୍ରୋନିକ୍ସ ଓ ଶିଳ୍ପ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବୃଦ୍ଧି ପାଉଥିବା ଚାହିଦା ପୂରଣ କରିବ। ଏହା ସହିତ ସରକାରଙ୍କ ଦ୍ୱାରା ୨୭୮ ଶିକ୍ଷାନୁଷ୍ଠାନ ଓ ୭୨ ଷ୍ଟାର୍ଟଅପକୁ ପ୍ରଦାନ କରାଯାଉଥିବା ଡିଜାଇନ ଅବସଂରଚନା ସହାୟତା ଏବଂ ୬୦,୦୦୦ରୁ ଅଧିକ ଛାତ୍ରଙ୍କୁ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଦେଶର ଚିପ ଡିଜାଇନ କ୍ଷମତାକୁ ଆହୁରି ମଜବୁତ କରିବ।

ଏହି ପରିଯୋଜନାଗୁଡ଼ିକ ଆତ୍ମନିର୍ଭର ଭାରତର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ଏବଂ ଦେଶକୁ ବିଶ୍ୱ ସେମିକଣ୍ଡକ୍ଟର ବଜାରରେ ଏକ ପ୍ରମୁଖ ଖେଳାଳି ଭାବେ ପ୍ରତିଷ୍ଠା କରିବ।