ଭୁବନେଶ୍ବର,୧୯/୨ : ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅପରେସନ ସାଇବର କବଚ’ ଅଭିଯାନ ରାଜ୍ୟବ୍ୟାପୀ ଜୋରଦାର ଜାରି ରହିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଏହି ଅଭିଯାନ ସପ୍ତମ ଦିନରେ ପହଞ୍ଚିଥିବା ବେଳେ ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଆଜି ସାଇବର ସେଲ, କ୍ରାଇମବ୍ରାଞ୍ଚ ଏବଂ ସମ୍ବଲପୁର ଜିଲ୍ଲା ପୁଲିସ ଏକ ବଡ଼ ଧରଣର ସାଇବର ଠକେଇକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି । ଏହି ଘଟଣାରେ ପୁଲିସ ୩୦୦ରୁ ଅଧିକ ସନ୍ଦେହଜନକ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ସେଥିମଧ୍ୟରୁ ୧୪୦ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧୧୦କୋଟି ୩୦ଲକ୍ଷରୁ ଅଧିକ ଟଙ୍କା କାରବାର ହୋଇଥିବା ସମ୍ପର୍କରେ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହା ବ୍ୟତୀତ ୫୨ଟି ଆକାଉଣ୍ଟ ଜରିଆରେ ୭୫କୋଟି ୩୬ ଲକ୍ଷ ଟଙ୍କା କାରବାର ହୋଇଥିବା ସମ୍ପର୍କରେ ପୁଲିସ ସୂଚନା ପାଇଛି । ଏହି ଘଟଣାରେ ପୁଲିସ ୨୦ଜଣଙ୍କୁ ଗିରଫ କରିଥିବାବେଳେ ୩୨ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି ।
ସେହିପରି ରାଉରକେଲା ପୁଲିସ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ କ୍ରିକେଟ୍ ବେଟିଂ ସିଣ୍ଡିକେଟ୍କୁ ପୁଲିସ ସଫଳତାର ସହ ଧ୍ୱଂସ କରିଛି । ଟି-୨୦ ବିଶ୍ୱକପ୍ ମ୍ୟାଚ୍କୁ ଆଧାର କରି ଏହି ବେଆଇନ ବେଟିଂ କାରବାର ଚାଲୁଥିବାବେଳେ ପୁଲିସ ଚଢଉ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୩୦.୬୫ଲକ୍ଷ ଟଙ୍କା, ଏକ ମହିନ୍ଦ୍ରା ଥାର୍ ଗାଡ଼ି, ୨ଟି ଲାପଟପ୍ ଏବଂ ୭ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରାଯାଇଛି । “ସିଲଭର ଏକ୍ସଚେଞ୍ଜ” ନାମକ ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକୁଥିବା ପ୍ରାଥମିକ ତଦନ୍ତରୁ ପ୍ରକାଶ ପାଇଛି । ସେହିପରି ଭାବେ ଝାରସୁଗୁଡ଼ା ଜିଲ୍ଲା ପୁଲିସ ଏକ ସଂଗଠିତ ସାଇବର ସିଣ୍ଡିକେଟ୍ର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ୧୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ଅଭିଯୁକ୍ତମାନେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ‘ମ୍ୟୁଲ୍ ଆକାଉଣ୍ଟ’ ଖୋଲି ପ୍ରାୟ ୫ କୋଟି ୨୭ ଲକ୍ଷ ଟଙ୍କାର ବେଆଇନ ଆର୍ଥିକ କାରବାର କରିଥିବା ଜଣାପଡ଼ିଛି । ଏହି ଅଭିଯାନରେ ଅନୁଗୁଳ ଜିଲ୍ଲା ପୁଲିସ ୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ସାଇବର ମାମଲା ରୁଜୁ କରି ୧ଜଣଙ୍କୁ ଗିରଫ କରିଛି । ଝାରସୁଗୁଡ଼ା ଜିଲ୍ଲା ପୁଲିସ ୩୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୫ଟି ମାମଲା ଓ ଚେକ୍ ଉଠାଣ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୧୬ଜଣଙ୍କୁ ଗିରଫ କରିଥିବା ସହ ୧ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ।
ସେହିପରି କନ୍ଧମାଳ ଜିଲ୍ଲା ପୁଲିସ ୧୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ସାଇବର ମାମଲା ରୁଜୁ କରିଛି । ନୂତନ ଓ ୬ଟି ପୁରୁଣା ମାମଲାରେ ୧୧ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରିଛି । କେନ୍ଦୁଝର ଜିଲ୍ଲା ପୁଲିସ ୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୧ଟି ଓ ଚେକ୍ ଉଠାଣ ସମ୍ପର୍କିତ ୨ଟି ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। ନୂତନ ଓ ୪ଟି ପୁରୁଣା ମାମଲାରେ ୫ଜଣଙ୍କୁ ନୋଟିସ୍ ଜାରି କରିଛି । ନବରଙ୍ଗପୁର ଜିଲ୍ଲା ପୋଲିସ ୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିଛି। ନୂତନ ଓ ୪ଟି ପୁରୁଣା ମାମଲାରେ ୭ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ପୁଲିସ ୧୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୪ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ଢେଙ୍କାନାଳ ଜିଲ୍ଲା ପୋଲିସ ୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିଛି।
ସେହିପରି କଳାହାଣ୍ଡି ଜିଲ୍ଲା ପୁଲିସ ୧୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ମାମଲାରେ ୧୪ଜଣଙ୍କୁ ନୋଟିସ୍ ଜାରି କରିଛି। ବୌଦ୍ଧ ଜିଲ୍ଲା ପୁଲିସ ୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ମାମଲାରେ ୬ଜଣଙ୍କୁ ନୋଟିସ୍ ଜାରି କରିଥିବାବେଳେ, ଚେକ୍ ଉଠାଣ ସମ୍ପର୍କିତ ୧ଟି ମାମଲା ମଧ୍ୟ ରୁଜୁ କରିଛି । ଗଜପତି, କୋରାପୁଟ, ମୟୂରଭଞ୍ଜ, କଟକ (UPD) ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ବେନାମୀ ଆକାଉଣ୍ଟ ଯାଞ୍ଚ କରାଯାଇ ସମ୍ପୃକ୍ତ ପୁରୁଣା ମାମଲାରେ ଆଇନଗତ ନୋଟିସ୍ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲିସ ୭୮ଟି ଓ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ୧୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି । ବରଗଡ଼ ଜିଲ୍ଲା ପୁଲିସ ୧୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ନକଲି ସିମ୍ ସମ୍ପର୍କିତ ୨ଟି ମାମଲା ରୁଜୁ କରିଛି ।
ଏ ପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅଭିଯାନରେ ସମଗ୍ର ରାଜ୍ୟରେ ମୋଟ ୧,୧୬୬ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି । ଏହାସହ ବେନାମୀ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୮୨ଟି, ଚେକ୍ ଉଠାଣ ସମ୍ପର୍କିତ ୫ଟି ଓ ନକଲି ସିମ୍ PoS ସମ୍ପର୍କିତ ୩ଟି ସାଇବର ମାମଲା ରୁଜୁ କରାଯାଇଛି । ସମୁଦାୟ ୮୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ନୂତନ ମାମଲା ଓ ୨୯ଟି ପୁରୁଣା ଏଫ୍.ଆଇ.ଆର୍ ସହ ସଂପୃକ୍ତ ୨୯୩ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି । ସାଇବର ଅପରାଧୀଙ୍କ ଆର୍ଥିକ କାରବାରକୁ ଧ୍ୱଂସ କରି ରାଜ୍ୟର ଜନସାଧାରଣଙ୍କ ଡିଜିଟାଲ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପୋଲିସ ସଦା ସର୍ବଦା ଦୃଢ଼ ସଂକଳ୍ପବଦ୍ଧ। ସାଇବର ଅପରାଧୀଙ୍କ ଆର୍ଥିକ କାରବାରକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଏହି ଅଭିଯାନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି ।