ନୂଆଦିଲ୍ଲୀ,୧୮/୦୧: ପବିତ୍ର ମୌନି ଅମାବାସ୍ୟାରେ ଜନସମୁଦ୍ର ପାଲଟିଛି ପ୍ରୟାଗରାଜ । ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପ୍ରୟାଗରାଜରେ ମାଘ ମେଳାରେ ପବିତ୍ର ମୌନୀ ଅମାବାସ୍ୟା ଅବସରରେ କଡ଼ା ସୁରକ୍ଷା ଭିତରେ ବିବାଦ ଦେଖିବାକୁ ମିଳିଛି । ସଙ୍ଗମ ଘାଟରେ ଭକ୍ତମାନଙ୍କର ଏକ ଭିଡ଼ ଏକାଠୀ ହୋଇଛନ୍ତି । ଫଳରେ ପ୍ରଶାସନ ପାଇଁ ପରିସ୍ଥିତି ପରିଚାଳନା କରିବାରେ ଅସୁବିଧା ସୃଷ୍ଟି କରିଛି । ଏହି ସମୟରେ, ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କୁ ଆଗକୁ ବଢ଼ିବାକୁ ବାରଣ କରିଥିଲା ପୁଲିସ୍ । ଭିଡ଼ ଦେଖି ପ୍ରଶାସନ ତାଙ୍କୁ ରଥରୁ ଓହ୍ଲାଇ ଚାଲି ଚାଲି ଯିବାକୁ କହିଥିଲା । କିନ୍ତୁ ତାଙ୍କ ସମର୍ଥକ ଏବଂ ଭକ୍ତମାନେ ମନା କରି ଆଗକୁ ବଢ଼ିଥିଲେ । ଫଳରେ ମେଳାରେ ହଙ୍ଗାମା ଦେଖିବାକୁ ମିଳିଛି । ସମର୍ଥକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଛି । ପୁଲିସ ଏବଂ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ଏବଂ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା । ଶଙ୍କରାଚାର୍ଯ୍ୟଙ୍କ ଶୋଭାଯାତ୍ରାକୁ ବନ୍ଦ କରାଯାଇଛି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ପୁଲିସ୍  ପ୍ରଶାସନ ଅନୁସାରେ, ମୌନୀ ଅମାବାସ୍ୟାକୁ ଧ୍ୟାନରେ ରଖି ମେଳା ଅଞ୍ଚଳରୁ ନୋ-ଭେଇକିଲ୍ ଘୋଷଣା ହୋଇଥିଲା । ଫଳରେ କୌଣସି ଯାନବାହାନକୁ ଅନୁମତି ନଥିଲା । ତେଣୁ ଶଙ୍କରାଚାର୍ଯ୍ୟଙ୍କୁ ସଙ୍ଗମ ଘାଟକୁ ଯିବାକୁ ବାରଣ କରାଯାଇଥିଲା । ପୁଲିସ୍ ତାଙ୍କ ରଥକୁ ଅଟକାଇଥିଲା ଏହି ସମୟରେ ସମର୍ଥକ ଏବଂ ପୁଲିସକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିବାଦ ଏତେ ବଢିଗଲା ଯେ ପୁଲିସ୍ ଏବଂ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟଙ୍କ ମଧ୍ୟରେ ଧକ୍କା ମରାମରି ହୋଇଥିଲା । ପୁଲିସ୍ ଭିଡ଼ ନିୟନ୍ତ୍ରଣ ପାଇଁ ସମର୍ଥକଙ୍କୁ ଧକ୍କା ମାରି ପଛକୁ ହଟାଇଥିଲା । ଯାହାକୁ ନେଇ ସନ୍ଥଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

'ଅଟକାଇ ପାରିବ ତ ଅଟକାଅ'- ସ୍ୱାମୀ ଅଭିମୁକ୍ତେଶ୍ୱରନନ୍ଦ ସରସ୍ୱତୀ ଅଭିଯୋଗ କରିଛନ୍ତି କି, ''ପ୍ରଶାସନ ଆମକୁ ଅଟକିବାକୁ କହିଥିଲା । ଆମେ ଫେରିବା ସମୟରେ ଆମ ସାଧୁଙ୍କୁ ମାଡ଼ ମାରିବା ଆରମ୍ଭ କଲେ । ଆମେ ଫେରିବାକୁ ନିଷ୍ପତ୍ତି ନେଇଥିଲୁ କିନ୍ତୁ ଆମେ କୌଣସି ସ୍ଥାନକୁ ନଯାଇ କେବଳ ସ୍ନାନ କରିବୁ । ଯଦି ତୁମେ ଆମକୁ ଅଟକାଇ ପାରିବ ତ ଅଟକାଅ । ସେମାନଙ୍କୁ ଉପରୁ ନିର୍ଦ୍ଦେଶ ମିଳିଛି । ଏହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ହେଉଛି । ଆମେ କୁମ୍ଭମେଳା ଅଘଟଣ ପାଇଁ ତାଙ୍କୁ ଦାୟୀ କରିଥିଲୁ । ସେ ପ୍ରତିଶୋଧ ନେବା ପାଇଁ ଏପରି କରୁଛନ୍ତି । ଅଧିକାରୀମାନେ ତାଙ୍କୁ ଖୁସି କରିବାକୁ ଆମକୁ ଅପମାନ କରୁଛନ୍ତି ।''

​​​​​​​କହି ରଖୁଛୁ କି, ମାଘ ମେଳା ମୌନୀ ଅମାବାସ୍ୟା ଅବସରରେ ସଙ୍ଗମ ଘାଟରେ ସକାଳ ୯ଟା ସୁଦ୍ଧା ୧.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ମାଘ ମେଳାର ସବୁଠୁ ବଡ଼ ସ୍ନାନ ମହୋତ୍ସବରେ ରାତି ୧୨ଟାରୁ ସଙ୍ଗମ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଆକଳନ ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ୩ କୋଟି ଶ୍ରଦ୍ଧାଳୁ ବୁଡ ପକାଇବେ ।​​​​​​​