ନୂଆଦିଲ୍ଲୀ, ୧।୩: ଦିନେ ବନ୍ଧୁ ଥିଲେ ଆଜି ଶତ୍ରୁ । ଦିନେ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଉଥିଲେ, ଆଜି ଜଣେ ଜଣଙ୍କ ଉପରେ କରୁଛନ୍ତି ଆକ୍ରମଣ । ଆଜି ଯେଉଁ ଆକାଶରୁ କ୍ଷେପଣାସ୍ତ୍ରର ବର୍ଷା ହେଉଛି, ଦିନେ ସେହି ଆକାଶରେ ବନ୍ଧୁତାର ପତାକା ଉଡ଼ୁଥିଲା । ଇରାନ, ଇସ୍ରାଏଲ ଏବଂ ଆମେରିକା । ବିଶ୍ୱ ପାଇଁ ଏକ ବଡ଼ ସଙ୍କଟ ସାଜିଛି ଏହି ତିନି ଦେଶର ସମ୍ପର୍କ । କିନ୍ତୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଜି ପରମ ଶତ୍ରୁ ପାଲଟିଥିବା ଇରାନ ଓ ଇସ୍ରାଏଲ ଦିନେ ପରସ୍ପରର ଘନିଷ୍ଠ ସହଯୋଗୀ ଥିଲେ । ୧୯୪୮ ମସିହା । ଯେତେବେଳେ ଇସ୍ରାଏଲ ଏକ ନୂଆ ଦେଶ ଭାବେ ଗଠିତ ହେଲା, ସେତେବେଳେ ଅଧିକାଂଶ ଆରବ ଦେଶ ଏହାକୁ ବିରୋଧ କରୁଥିଲେ । କିନ୍ତୁ, ଇରାନ ଥିଲା ମଧ୍ୟପ୍ରାଚ୍ୟର ପ୍ରଥମ ଦେଶ, ଯିଏ ଇସ୍ରାଏଲକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଥିଲା । ତୁର୍କୀ ପରେ ଇରାନ ଥିଲା ଦ୍ୱିତୀୟ ମୁସଲିମ ବହୁଳ ଦେଶ ଯିଏ ଇହୁଦି ରାଷ୍ଟ୍ର ସହ ବନ୍ଧୁତାର ହାତ ବଢ଼ାଇଥିଲା । ସେତେବେଳେ ଇରାନରେ ଶାହ ମହମ୍ମଦ ରେଜା ପାହଲଭିଙ୍କ ରାଜବଂଶ ଶାସନ କରୁଥିଲେ । ଶାହଙ୍କ ସହ ଆମେରିକା ଓ ଇସ୍ରାଏଲର ସମ୍ପର୍କ ଅତି ନିବିଡ଼ ଥିଲା ।
ଏହା ବି ପଢ଼ନ୍ତୁ... ଇରାନରେ ୪୦ ଦିନିଆ ଶୋକ ଏବଂ ୭ ଦିନର ଛୁଟି, ୨୪ ଘଣ୍ଟାରେ ଇସ୍ରାଏଲ ମାଡ଼ କରିଛି ୧୨୦୦ ବୋମା
ଯେତେବେଳେ ଅନ୍ୟ ଆରବ ଦେଶଗୁଡ଼ିକ ଇସ୍ରାଏଲକୁ ବାସନ୍ଦ କରିଥିଲେ, ସେତେବେଳେ ଇରାନ ହିଁ ଇସ୍ରାଏଲକୁ ତୈଳ ଯୋଗାଉଥିଲା । ୧୯୪୮ର ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧରେ ଇରାନ ନିଜକୁ ଦୂରେଇ ରଖିଥିଲା ଏବଂ ଇସ୍ରାଏଲର ବିଜୟ ପରେ ବନ୍ଧୁତାକୁ ଆହୁରି ମଜବୁତ କରିଥିଲା । ଗୋଟିଏ ବିପ୍ଲବ ଓ ସବୁକିଛି ବଦଳିଗଲା । ଇତିହାସର ମୋଡ଼ ବଦଳିଗଲା ୧୯୭୯ ମସିହାରେ । ଇରାନରେ 'ଇସଲାମିକ ବିପ୍ଲବ' ହେଲା ଏବଂ ଶାହ ରାଜବଂଶର ପତନ ଘଟିଲା । କ୍ଷମତାକୁ ଆସିଲେ ଧାର୍ମିକ ନେତା ଆୟତୋଲ୍ଲା ଖାମେନେଇ । ଖାମେନେଇ ଆମେରିକାକୁ "ବଡ଼ ସୈତାନ" ଏବଂ ଇସ୍ରାଏଲକୁ "ଛୋଟ ସୈତାନ" ବୋଲି ସମ୍ବୋଧନ କଲେ । ଇରାନର ନୂଆ ଶାସନ ଇସ୍ରାଏଲକୁ ଏକ 'ଦଖଲକାରୀ ଶକ୍ତି' ଭାବେ ଗ୍ରହଣ କଲା ଏବଂ ପାଲେଷ୍ଟାଇନକୁ ସମର୍ଥନ ଜଣାଇଲା ।
୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଏହି ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିଛି । ଇରାନ ଚାହୁଁଛି ମଧ୍ୟପ୍ରାଚ୍ୟରେ ଆମେରିକା, ସାଉଦି ଆରବ ଓ ଇସ୍ରାଏଲର ପ୍ରଭାବ କମାଇ ନିଜର ଆଧିପତ୍ୟ ବିସ୍ତାର କରିବାକୁ । ଯେଉଁ ଦେଶମାନେ ଦିନେ ତୈଳ ଓ ବାଣିଜ୍ୟରେ ପରସ୍ପରକୁ ସହଯୋଗ କରୁଥିଲେ, ଆଜି ସେମାନେ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି । ଏହି ଶତ୍ରୁତା କେବଳ ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ସାରା ବିଶ୍ୱକୁ ଏକ ସମ୍ଭାବ୍ୟ ମହାଯୁଦ୍ଧର ଆଶଙ୍କା ଭିତରକୁ ଠେଲି ଦେଇଛି ।