ତେହରାନ,୧।୩: ଇରାନର ସୁପ୍ରିମ ଲିଡର ଆୟାତୁଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଏବଂ ସାତ ଦିନର ଛୁଟି ଘୋଷଣା କରାଯାଇଛି। ଇରାନୀ ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) କହିଛି, ‘ଆମେ ଜଣେ ମହାନ ନେତାଙ୍କୁ ହରାଇଲୁ, ଏବଂ ସମଗ୍ର ରାଷ୍ଟ୍ର ଶୋକ କରୁଛି।’ ସେପଟେ ଇସ୍ରାଏଲୀ ବାୟୁସେନା କହିଛି , ଆମେରିକା ସହିତ ମିଳିତ ଆକ୍ରମଣରେ ଇରନା ଉପରେ ୧୨୦୦ ରୁ ଅଧିକ ବୋମା ମାଡ ହୋଇଛି। ଏହି ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ମୃତ୍ୟୁ ହୋଇଛି।

ଶନିବାର ତାଙ୍କ କାର୍ଯ୍ୟାଳୟ ପରିସରରେ ୩୦ ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଥିରେ ତାଙ୍କ ଝିଅ-ଜ୍ବାଇଁ, ବୋହୁ ଏବଂ ନାତୁଣୀଙ୍କ ସମେତ କମ୍ପ୍ଲେକ୍ସରେ ଉପସ୍ଥିତ ୪୦ ଜଣ କମାଣ୍ଡର ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆକ୍ରମଣ ସମୟରେ ଖାମେନେଇ କମାଣ୍ଡରଙ୍କ ସହିତ ଏକ ବୈଠକ କରୁଥିଲେ।

ଖାମେନେଇଙ୍କ ମୃତ୍ୟୁ ପରେ ଇସ୍ରାଏଲ ଲଗାତାର ଆକ୍ରମଣ ଜାରି ରହିଛି। ଇରାନର ରାଜଧାନୀ ତେହରାନରେ ପୁଣିଥରେ ହୋଇଛି ଜୋରଦାର ହମଲା। ରାଜଧାନୀରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଛି। ଇସ୍ରାଏଲର କହିବା ଅନୁସାରେ,ଆଇଡିଏଫ୍ ତେହରାନର ପୁରାପୁରି ମଝିରେ ଥିବା ଆତଙ୍କୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛି। ବିସ୍ପୋରଣ ସେହି ଅଞ୍ଚଳରେ ହୋଇଛି ଯେଉଁଠି ଦେଶର ହେଡକ୍ବାର୍ଟର ଓ ଇରାନ ସରକାରୀ ଟେଲିଭିଜନ୍ ରହିଛି। ଇସ୍ରାଏଲୀ ସେନା କହିଛି ସେ ସେଣ୍ଟ୍ରାଲ ତେହରାନରେ ଆକ୍ରମଣ କରି ଦେଶର ହାର୍ଟକୁ ଟାର୍ଗେଟ କରିଛୁ।

ଗତକାଲି ଇସ୍ରାଏଲ ଏୟାରଫୋର୍ସର ଆକ୍ରମଣରେ ତେହରାନ ଉପରେ ଦଖଲ କରିବାକୁ ବାଟ ଫିଟି ଯାଇଥିଲା। ଇସ୍ରାଏଲ ଏବଂ ଆମେରିକା ଇରାନର ରାଜଧାନୀ ତେହେରାନ ସମେତ ୧୦ଟି ପ୍ରମୁଖ ସହରକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୭୪୦ ରୁ ଅଧିକ ଆହତ ହୋଇଛନ୍ତି। ଏକ କ୍ଷେପଣାସ୍ତ୍ର ଏକ ସ୍କୁଲରେ ମାଡ଼ ହୋଇଥିଲା, ଯେଉଁଥିରେ ୧୪୮ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୫ ଜଣ ଆହତ ହୋଇଥିଲେ।