ପାରାଦୀପ,୨୨/୦୨ :ପାରାଦୀପର ବଡ଼ବଡ଼ିଆ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫୦ ରୁ ଉର୍ଦ୍ଧ୍ୱ ପରିବା ଦୋକାନ । ପାଖାପାଖି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ, ଶନିବାର ରାତି ପାଖାପାଖି ୨ଟାରେ ସମସ୍ତ ପରିବା ବ୍ୟବସାୟୀ ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ଆଗରୁ ସମଗ୍ର ପରିବା ମାର୍କେଟ ନିଆଁରେ ପୋଡି ଛାରଖାର ହୋଇଯାଇଥିଲା। ଲକ୍ଷ ଲକ୍ଷ ଟଙ୍କାର ପରିବା,ଟଙ୍କା ବାକ୍ସ,ଓଜନକଣ୍ଟା, ସାଇକେଲ, ବାଇକ,ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏନେଇ ଖବରପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ସହିତ ପାରାଦୀପ ବନ୍ଦରର ଦୁଇଟି ଅଗ୍ନିଶମ ଗାଡ଼ି,ପିପିଏଲ, ଇଫକୋ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନାର ମୋଟ ୬ ଟି ନିଆଁଲିଭା ଗାଡି ପହଞ୍ଚି ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

ଆହୁରି ପଢନ୍ତୁ-ଥମୁନି ହାତୀ ମଣିଷ ଲଢେଇ, ବିଲକୁ କାମ କରିବାକୁ ଯିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା

ସମଗ୍ର ପାରାଦୀପବାସୀଙ୍କ ପରିବାର ଚାହିଦା ମେଣ୍ଟାଉ ଥିବା ଏହି ପରିବା ମାର୍କେଟରେ ରହିଥିବା ଅସ୍ଥାୟୀ ପିଣ୍ଡିଗୁଡିକ ବାଉଁଶ ଓ ପଲିଥିନ ପାଲରେ ତିଆରି ହୋଇଥିବାରୁ ନିଆଁ ଲାଗିବା ପରେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା ବୋଲି ବଣିକ ସଙ୍ଘର ସଦସ୍ୟ ମାନେ କହିଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜଣା ପଡି ନ ଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ କୁଜଙ୍ଗ ଅଗ୍ନିଶମ ବିଭାଗ ର ଅଧିଜାରୀ କାର୍ତ୍ତିକେଶ୍ୱର ବିଶ୍ୱାଳ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ପାରାଦୀପ ପୌର ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ, ପାରାଦୀପ ପୋର୍ଟ ବଣିକ ସଂଘ ସାଧାରଣ ସମ୍ପାଦକ ଗୋଲେଖ ଚନ୍ଦ୍ର ସାହୁ,ସଭାପତି ଅମିୟ ପାଣି,ସ୍ଥାନୀୟ କାଉନସିଲର ସୌଦାମିନୀ ସାହୁ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ମାର୍କେଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ଭେଣ୍ଡିଂ ଜୋନଟିଏ ନିର୍ମାଣ କରାଯାଉ ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ