ପୁରୀ,୧୧/୦୬: ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋ ପାଟେଣ୍ଟ ଅନ୍ତର୍ଭୁକ୍ତ ହେଲା । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍‌ ବା ଏସ୍‌ଜେଟିଏ ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ଅନୁମୋଦନ । ଖୁବ୍‌ଶୀଘ୍ର ଆଉ ୨୬ଟି ନାମକୁ ନେଇ ରହିଥିବା ଆବେଦନପତ୍ରକୁ ମିଳିବ ଅନୁମୋଦନ । ଏନେଇ ଅଧିକ ତଥ୍ୟ ମାଗିଛି ଆଇପି ଇଣ୍ଡିଆ ବା ଇଣ୍ଡିଆନ୍‌ ପାଟେଣ୍ଟ ଅଫିସ୍‌ । ଏସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।  ଏହା ଶ୍ରୀମନ୍ଦିର ଐତିହ୍ୟ, ସଂସ୍କୃତି  ସୁରକ୍ଷାରେ ବିଶେଷ  ସହାୟକ ହେବ ବୋଲି ସେ  ଆଶା ପ୍ରକାଶ କରିଛନ୍ତି ।

 

ପାଟେଣ୍ଟ ନିୟମ ଅନୁଯାୟୀ କୌଣସି  ଜିନିଷ, ଦ୍ରବ୍ୟ କିମ୍ବା ଶବ୍ଦ ଅଥବା  ଲୋଗୋକୁ ଅନୁମୋଦନ ମିଳିଲେ ତାହା  ମୂଳ ସ୍ଥାନଠାରୁ ଅନ୍ୟତ୍ର ବ୍ୟବହାର,  ବିକ୍ରି, ପ୍ରସ୍ତୁତି କିମ୍ବା ଆମଦାନୀ ଉପରେ  ରୋକ ଲାଗିଥାଏ । ‘ଜଗନ୍ନାଥ ଧାମ’  ନାମ  ପାଇଁ ମଧ୍ୟ ପାଟେଣ୍ଟ ଆବେଦନ  କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାବାଦ୍‌  ଶ୍ରୀମନ୍ଦିରରେ ବ୍ୟବହୃତ ଆହୁରି ୨୬ଟି  ସ୍ୱତନ୍ତ୍ର ଶବ୍ଦ ବା ନାମକୁ ପାଟେଣ୍ଟ ଅନ୍ତର୍ଭୁକ୍ତ  କରିବା ନିମନ୍ତେ ଆବେଦନ ହୋଇଛି ।  ଏନେଇ ଅଧିକ ତଥ୍ୟ ଉପସ୍ଥାପନ  ପରେ ମିଳିବ ପାଟେଣ୍ଟ ଅନୁମୋଦନ ।

ପଶ୍ଚିମବଙ୍ଗର ଦୀଘାରେ ମମତା  ସରକାର ଜଗନ୍ନାଥ ଧାମ ଶବ୍ଦ ବ୍ୟବହାର  କରିବା ଭଳି ମହାପ୍ରସାଦ, ନିର୍ମାଲ୍ୟ,  ଆନନ୍ଦବଜାର, ରତ୍ନ ବେଦୀ, ଶ୍ରୀଗୁଣ୍ଡିଚା  ମନ୍ଦିର, ବଡ଼ଦେଉଳ, ଶଙ୍ଖକ୍ଷେତ୍ର,  ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଭଳି ଅନେକ  ନାମରେ ଅପବ୍ୟବହାର ହେଉଛି ।  ଶ୍ରୀମନ୍ଦିର ପ୍ରଶାସନ ଲୋଗୋର  ଦୁରୁପଯୋଗ କରି ଜାଲ ୱେବସାଇଟ୍‌  କରାଯାଉଛି । ଲୋକେ ଏହାଦ୍ୱାରା  ଠକେଇର ଶିକାର ହେଉଛନ୍ତି ।  ମୂଳପୀଠର ନାମ ଓ ପରମ୍ପରା ନାମରେ  ବ୍ୟବସାୟୀକରଣ କରାଯାଉଛି । ଏହି  ଶବ୍ଦ ଓ ପରମ୍ପରାର ଦୁରୁପଯୋଗ  ରୋକିବାକୁ ପ୍ରଶାସନିକ ତତ୍ପରତା  ପ୍ରକାଶ ପାଇଛି । ଆଇପି ଇଣ୍ଡିଆ  ଶ୍ରୀମନ୍ଦିର ପ୍ରଶାସନ ଆବେଦନକୁ  ଅନୁମୋଦନ କଲେ ଏହାକୁ ବାହାର  ଦେଶରେ କିପରି ଲାଗୁ କରାଯିବ ତାହା  ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁଠି  ବିଦେଶରେ ଅ-ତିଥିରେ ସ୍ନାନଯାତ୍ରା  ଓ ରଥଯାତ୍ରା ରୋକିବାରେ ପ୍ରଶାସନ  ବିଫଳ ହେଉଛି, ସେଠାରେ ପାଟେଣ୍ଟ  ଶବ୍ଦର ଅପବ୍ୟବହାର ରୋକିବା ନିଶ୍ଚିତ  ଆଉ ଏକ ଆହ୍ୱାନ ହେବ । କାରଣ  ଏଥିନିମନ୍ତେ ୱାଲ୍ଡ ୱାଇଡ୍‌ ପାଟେଣ୍ଟର  ଆବଶ୍ୟକତା ପଡ଼ିବ ।

ଅଧିକ ପଢ଼ନ୍ତୁ :-  Digha Dham dispute : ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା 'ଧାମ' ଶବ୍ଦ, ମୋହନଙ୍କ ଚିଠି ପରେ ହଟାଇଲେ ଶୁଭେନ୍ଦୁ ଅଧିକାରୀ

ସୂଚନା ମୁତାବକ  ଆଇପି ଇଣ୍ଡିଆର ଅନୁମୋଦନ ପରେ  ପ୍ରଶାସନ ଚାହିଁଲେ ୱାଲ୍ଡ ୱାଇଡ୍‌ ପାଟେଣ୍ଟ  ନିମନ୍ତେ ପଦକ୍ଷେପ ନେଇପାରିବ ।  ପିସିଟି (ପାଟେଣ୍ଟ କର୍ପୋରେସନ  ଟ୍ରିଟି) ଏହି ଆବେଦନକୁ ବିଚାର  କରି ଆବଶ୍ୟକ ଅନୁମୋଦନ ଦେବ । ଏନେଇ ଶ୍ରୀମନ୍ଦିର ପରିଚାଳନା  କମିଟି ସଦସ୍ୟ ତଥା ଶ୍ରୀମନ୍ଦିର ପୁରୋହିତ  ଡ. ସିଦେ୍ଧଶ୍ୱର ମହାପାତ୍ର କହିଛନ୍ତି,  ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ପୁରୀ  ଓ ଶ୍ରୀମନ୍ଦିରରେ ବ୍ୟବହୃତ ଅନେକ  ଶବ୍ଦକୁ ନେଇ ସେ ‘ପୁରୀ ବୋଲି’  ନାମକ ଏକ ପୁସ୍ତକ ରଚନା କରିଛନ୍ତି ।  ଏଥିରେ ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର, ଗୁଆଳି,  ରହୁବର, ବଡ଼ଦେଉଳ ପ୍ରଭୃତି ବହୁ  ସ୍ୱତନ୍ତ୍ର ଶବ୍ଦକୁ ନେଇ ଏକ ଶବ୍ଦକୋଷ  କରାଯାଇଛି । ଅ’ରୁ କ୍ଷ’ ପର୍ଯ୍ୟନ୍ତ  କ୍ରମାନ୍ୱୟରେ ଏହି ସ୍ୱତନ୍ତ୍ର ଶବ୍ଦକୋଷ  ରହିଛି । ଏହା ଗବେଷକ ଓ ପାଠକଙ୍କ  ବିଶେଷ ଆଦୃତି ପାଇଛି । ଏହାକୁ  ସେ ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ଭେଟି  ଦେଇଥିବା ଡ. ମହାପାତ୍ର କହିଛନ୍ତି ।