ନୂଆଦିଲ୍ଲୀ : ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ କଳା ସାଗର (Black sea)ର ସାମୁଦ୍ରିକ କ୍ଷେତ୍ରରେ କମର୍ସିଆଲ ଜାହାଜ ଗୁଡ଼ିକ ଉପରେ ଆକ୍ରମଣ ଥମିବାର ନାଁ ହିଁ ନେଉନାହିଁ। ୟୁକ୍ରେନର ପ୍ରମୁଖ ବନ୍ଦର ସହର ଓଡେଶାରେ ଶନିବାର ( ୨୫ ଜୁଲାଇ)ରେ ଆଉ ଏକ ମର୍ଚ୍ଚାଣ୍ଟ ଭେସଲ ‘MV AGN Ragnar’ ଆକ୍ରମଣର ଶିକାର ହୋଇଥିଲା। ଏହି ଜାହାଜାରେ ୪ଜଣ ଭାରତୀୟ ନାଗରିକ( ନାବିକ) ଥିଲେ। କିଭ୍ ସ୍ଥିତ ଭାରତୀୟ ଦୂତାବାସ ରବିବାର ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ, ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ଭାରତୀୟ ନାଗରିକ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ଅନ୍ୟ ଦୁଇ ଜଣ ନିଖୋଜ ଭାରତୀୟ କ୍ରୁ ସଦସ୍ୟଙ୍କର ତଲାସ ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି।

ଗୋଟିଏ ସପ୍ତାହରେ ଦ୍ୱିତୀୟ ଆକ୍ରମଣ , ଦୂତାବାସ ରଖିଛି ନଜର –

ୟୁକ୍ରେନରେ ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ କହିଛି ଯେ, ୨୫ ଜୁଲାଇରେ ଓଡେଶା ପୋର୍ଟରେ ମର୍ଚ୍ଚାଣ୍ଟ ଭେସଲ ‘MV AGN Ragnar’ ଉପରେ ହୋଇ ଥିବା ଆକ୍ରମଣ ପରେ ଭାରତୀୟ ଦୂତାବାସ ତା ଉପରେ ନିରନ୍ତର ନଜର ରଖିଛି। ଜାହାଜରେ ଚାରି ଜଣ ଭାରତୀୟ ନାଗରିକ ଥିଲେ। ତାଜା ସୂଚନା ମୁତାବିକ, ୨ ଜଣ ଭାରତୀୟ ସୁରକ୍ଷିତ ଅଛନ୍ତି ଏବଂ ଅନ୍ୟ ୨ ଜଣଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଛି। ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ ଜାରି ରହିଛି ଏବଂ ଦୂତାବାସ ସ୍ଥାନୀୟ ଅଧିକାରୀଙ୍କ ସଂପର୍କରେ ଅଛନ୍ତି।

ଦୂତାବାସ ଜରୁରୀକାଳୀନ ସ୍ଥିତି ପାଇଁ ଫୋନ୍ ନମ୍ୱର ( +38 0933559958) ମଧ୍ୟ ଜାରି କରିଛି।

ଉକ୍ତ ଘଟଣା ଏଥିପାଇଁ ମଧ୍ୟ ଖୁବ୍ ଚିନ୍ତାଜନକ ,କାରଣ ପ୍ରାୟ କିଛି ଦିନ ପୂର୍ବେ , ୧୯ ଜୁଲାଇରେ ଓଡେଶା ପୋର୍ଟରୁ ପ୍ରସ୍ଥାନ କରୁଥିବା ମାଲବାହୀ ଜାହାଜ ‘MV Golden Leo’ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ଜୀବନ ଚାଲି ଯାଇ ଥିଲା। ଏହି ଘଟଣା ପରେ ଭାରତ କଡ଼ା ଅଭିଯୋଗ କରି ବରିଷ୍ଠ ରୁଷୀୟ କୂଟନୀତିଜ୍ଞଙ୍କୁ ନୋଟିସ୍ ପଠାଇ ଥିଲା।

ଆହୁରି ମଧ୍ୟ ପଢନ୍ତୁ - ବଦଳିଯିବ କି ଯୁଦ୍ଧର ମୋଡ଼ ? ୟୁକ୍ରେନ୍ ସେନା ପାଖରେ ରହିବ ୧୦,୦୦୦ କି.ମି ପର୍ଯ୍ୟନ୍ତ ଆକ୍ରମଣ କରି ପାରୁଥିବା ଡ୍ରୋନ୍

ବୈଦେଶିକ ମନ୍ତ୍ରଣାଳୟ ଜାରି କଲା ଦୃଢ ଟ୍ରାଭେଲ ଆଡଭାଇଜରୀ –

କଳା ସାଗରରେ ଜାହାଜ ଗୁଡ଼ିକ ଉପରେ ଲଗାତାର ଆକ୍ରମଣରେ ଏବେସୁଦ୍ଧା ଅତି କମରେ ୫ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇ ସାରିଛି। ସ୍ଥିତିର ଗମ୍ଭିରତାକୁ ଦେଖି ଭାରତର ବୈଦେଶିକ ମନ୍ତ୍ରଣାଳୟ (ଏମଇଏ)ଏହି ଅଞ୍ଚଳରେ କାମ କରୁଥିବା ସବୁ ଭାରତୀୟ ନାବିକ ଓ ମର୍ଚ୍ଚାଣ୍ଟ ନେଭି କର୍ମଚାରୀଙ୍କ ପାଇଁ ଏକ ବିସ୍ତୃତ ସୁରକ୍ଷା ଆଡଭାଇଜରି ଜାରି କରିଛି।