ଭୁବନେଶ୍ୱର ୧୪/୦୧: ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ବଡ଼ଦେଉଳର ନାଟମଣ୍ଡପରେ ଜଗା ଦର୍ଶନ ହେବ ସହଜ। ଧାଡ଼ି ଦର୍ଶନ ପାଇଁ ର୍ୟାମ୍ପ ଓ ବ୍ୟାରିକେଡ୍ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସେହିପରି ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ କରାଯାଇଥଲା। ବୁଧବାରଠୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ରତ୍ନଭଣ୍ଡାରେ ଫାଟ ସ୍ଥାନରେ କେମିକାଲ ଟିମ୍ କେମିକାଲ ପ୍ରଲେପ ଦେବା କାମ କରିବ । ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍ ପଥର ପକାଯିବ । ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ ରହିଥିବା ବିମ୍କୁ ବଦାଇ ଦିଆଯିବ । ମରାମତି ସରିବା ପରେ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାଇ , ଶ୍ରୀମନ୍ଦିରରେ ଧାଡ଼ ଦର୍ଶନ ଆରମ୍ଭ ହେଲେ ର୍ୟାମ୍ପ ଓ ବ୍ୟାରିକେଡ୍ରେ ମହାପ୍ରଭୁଙ୍କ ଦର୍ଶନ ଖୁବ୍ ଭଲ ଭାବେ ହୋଇପାରିବ । ଆଉ ବଡ଼ଦେଉଳ ବାହାର କାଠ ପାଖରୁ ଶ୍ରଦ୍ଧାଳୁଙ୍କୁ ପାଦ ଟିପରେ ଟେକି ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଭିଡ଼ରେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବନି । ବ୍ୟାରିକଡ୍ରେ ଯାଇ ର୍ୟାମ୍ପ ଉପରେ ଠିଆ ହୋଇଗଲେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ମିଳିଯିବ । ଆଗରେ ଥିବା ଶ୍ରଦ୍ଧାଳୁ ଓ ପଛରେ ଥିବା ଶ୍ରଦ୍ଧାଳୁ ସମସ୍ତେ ମହାପ୍ରଭୁଙ୍କ ଆଖି ପୂରାଇ ବାହାର କାଠ ପାଖରୁ ଠାକୁର ଦର୍ଶନ କରିପାରିବେ । ପ୍ରାୟ ୧୫ରୁ ୧୩ ଫୁଟ ପର୍ଯ୍ୟନ୍ତ ଲମ୍ବା ୬ ଥାକିଆ ର୍ୟାମ୍ପ ଯୁକ୍ତ ବ୍ୟାରିକେଡ୍ କରାଯାଇଛି । ଯେପରି ପ୍ରେକ୍ଷାଳୟରେ ସିଟ୍ଗୁଡ଼ିକ ପଛକୁ ଉଚ୍ଚ ହୋଇଥାଏ ଠିକ୍ ସେହିପରି ଏହି ର୍ୟାମ୍ପ ପଛକୁ ପଛ ୪ଇଞ୍ଚ ଲେଖାଏଁ ଉଚ୍ଚ ହୋଇ ୬ ଥାକରେ ରହିଛି ।
ର୍ୟାମ୍ପର ଦୁଇପାଶ୍ୱର୍ ନୁଆଁଣିଆ ଓ ମଝି ଢ଼ାଲୁଆ । ଫଳରେ ଶ୍ରଦ୍ଧାଳୁଙ୍କୁ ର୍ୟାମ୍ପ ଉପରେ ଚଢ଼ିବାରେ ଠାକୁର ଦର୍ଶନ କରିବେ ସୁବିଧା ହେବ । ଥରକରେ ପ୍ରାୟ ୧୫୦ରୁ ୨୦୦ ଶ୍ରଦ୍ଧାଳୁ ଏହି ର୍ୟାମ୍ପରେ ଚଢ଼ି ବ୍ୟାରିକେଡ୍ ଭିତରେ ଠାକୁର ଦର୍ଶନ କରିପାରିବେ । ଏଠାରେ ଠେଲାପେଲା ହେବାକୁ ପଡ଼ିବନି । ଆଗ ଲୋକ ଯେପରି ଭଲଭାବେ ଠାକୁର ଦର୍ଶନ କରିବ, ପଛରେ ରହିଥିବା ଲୋକମାନେ ମଧ୍ୟ ଠିକ୍ ସେହିପରି ଠାକୁର ଦର୍ଶନ କରିବେ ।
ଶ୍ରୀମନ୍ଦିର ନାଟମଣ୍ଡପରେ ହେଉଥିବା ୬ଥାକିଆ ବ୍ୟାରିକେଡ୍ ଓ ର୍ୟା ମ୍ପ ଦର୍ଶନ ବ୍ୟବସ୍ଥାରେ ୩ଟି ଲାଇନ୍ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗ ନିମନ୍ତେ ଏବଂ ବାକି ୩ଟି ପୁରୁଷଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ଶ୍ରଦ୍ଧାଳୁମାନେ ସାତପାହାଚ ନେଇ ନାଟମଣ୍ଡପରେ ଠାକୁର ଦର୍ଶନ କରିବା ପରେ ଗାରଦ ଦ୍ୱାର ଓ ଘଣ୍ଟି ଦ୍ୱାର ଦେଇ ପାଟଅଗଣାକୁ ବାହାରିବେ ।