କଟକ,୦୬/୧୧:ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ଦଲାଲ୍‌ ବାଲେଶ୍ୱରର ଅରବିନ୍ଦ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ୫ ଦିନିଆ  ରିମାଣ୍ଡରେ ଆଣି ମାରାଥନ୍‌ ଜେରା ଚଳାଇଛି । ଅଭିଯୁକ୍ତ ଶଙ୍କର ପେସାଦାର ଠକ ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ୍‌କୁ  ଦୁଇ ଦିନ ହେଲାଣି ଭୁଆଁ ବୁଲାଉଛି । ତେବେ ତଦନ୍ତକାରୀ  ଟିମ୍‌  ଜେରା ବେଳେ ଶଙ୍କର ବିରୋଧରେ ମିଳିଥିବା ସାଇଣ୍ଟିଫିକ୍‌ ପ୍ରମାଣ ଥୋଇବା ପରେ ସେ ଅକଳରେ ପଡ଼ିଥିଲା । କେଳେଙ୍କାରୀ ବାବଦରେ କିଛି କଥା ଖୋଲିଥିଲା ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଶଙ୍କର ସହ ସିଲିକନ୍‌  ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକର ସମ୍ପର୍କ  ଦୀର୍ଘ ୫ ବର୍ଷର ବୋଲି ସେ ସ୍ୱୀକାର କରିଛି । ଏସ୍‌ଆଇ  ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଆୟୋଜନରେ ମାନବ ସମ୍ବଳ (ରିସୋର୍ସ) ସୁବିଧା ବନ୍ଦୋବସ୍ତ କରାଇବା ପାଇଁ  ଅଭିଯୁକ୍ତ ଶଙ୍କରଙ୍କୁ ସିଲିକନ୍‌ ସଂସ୍ଥା ମୁଖ୍ୟ ସୁରେଶ ସମସ୍ତ  ଦାୟିତ୍ୱ ଦେଇଥିଲେ । ଏହି ସୁଯୋଗର ଭରପୂର ଫାଇଦା ଉଠାଇଥିଲା ଶଙ୍କର । ଏଜେଣ୍ଟ୍‌ଙ୍କ ଜରିଆରେ ପିଲା ଯୋଗାଡ଼ କରି ନିଯୁକ୍ତି ପରୀକ୍ଷାରେ ପାସ୍‌ କରାଇବା ପାଇଁ ମୋଟା  ଅଙ୍କର ଅର୍ଥ ଆଦାୟ କରାଯାଇଥିଲା । ଅର୍ଥରୁ ସିଂହଭାଗ ନେଇଥିଲା ସିଲିକନ୍‌ ସଂସ୍ଥା । କେଳେଙ୍କାରୀ ଧରାପଡ଼ିବା  ପରେ ଶଙ୍କର କିପରି ଧରା ନପଡ଼ିବ ସେଥିଲାଗି ସିଲିକନ୍‌ ସଂସ୍ଥା ସମସ୍ତ ସହଯୋଗ କରିଥିଲା । ଏମିତିକି ଦିଲ୍ଲୀ  ଖସି ପଳାଇବା ଓ ସେଠାରେ ହୋଟେଲ୍‌ ଆଦି ଯାବତୀୟ ସୁବିଧା  କିପରି ଶଙ୍କରକୁ ମିଳିବ ସେସବୁ ବନ୍ଦୋବସ୍ତ ସିଲିକନ୍‌ର ମୁଖ୍ୟ ସୁରେଶ କରାଇ ଦେଇଥିଲା । ଏଥିରେ ଶଙ୍କରକୁ ତାର ପ୍ରମୁଖ  ଏଜେଣ୍ଟ୍‌ ଅରବିନ୍ଦ ମଧ୍ୟ ସମସ୍ତ ସହଯୋଗ କରିଥିଲା । କ୍ରାଇମ୍‌ବ୍ରାଞ୍ଚ୍‌  ଟିମ୍‌ ଜେରା ସମୟରେ ଏପରି କିଛି ତଥ୍ୟ ପ୍ରମାଣ ଅଭିଯୁକ୍ତ  ଦ୍ୱୟଙ୍କଠାରୁ ସଂଗ୍ରହ କରିଛି ।

ସିଲିକନ୍‌ର ମୁଖ୍ୟ ସୁରେଶ ସହ ଅନ୍ୟ  ଅଭିଯୁକ୍ତମାନେ ତଦନ୍ତ ଜାଲରେ ଛନ୍ଦି ହୋଇଯିବାରୁ ଶଙ୍କର ଉପରେ  ବିପଦ ବଢ଼ିଥିଲା । ତେଣୁ ସେ କ୍ରାଇମ୍‌ବ୍ରାଞ୍ଚ୍‌ ନଜରରୁ ବର୍ତ୍ତିବା ପାଇଁ  ରାଜ୍ୟ ବାହାରେ ଲୁଚିଥିଲା । ଧରାପଡ଼ିବା ଆଶଙ୍କା ବଢ଼ିବାରୁ ଶଙ୍କର  ବିଦେଶ ପଳାଇଯିବା ପାଇଁ ଯୋଜନା ରଖିଥିଲା ବୋଲି କ୍ରାଇମ୍‌ବ୍ରାଞ୍ଚ୍‌  ଜାଣିବାକୁ ପାଇଛି । ଏଥିଲାଗି ତାପାଖରେ ପାସ୍‌ପୋର୍ଟଠାରୁ ଆରମ୍ଭ  କରି ଅନ୍ୟାନ୍ୟ କାଗଜପତ୍ର ଆଦି ପହଞ୍ଚି ସାରିଥିଲା । କ୍ରାଇମ୍‌ବ୍ରାଞ୍ଚ୍‌  ଟିମ୍‌ ଉତ୍ତରାଖଣ୍ଡରେ ଶଙ୍କର ଲୁଚି ରହିଥିବା ଠିକଣା ସ୍ଥାନରେ  ପହଞ୍ଚିବାରେ ଆଉ କିଛି ବିଳମ୍ବ ହୋଇଥିଲେ ହୁଏତ ସେ ଦେଶ  ପାର ହୋଇଯାଇଥାନ୍ତା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ଅରବିନ୍ଦ ପାଖରୁ ମିଳିଥିବା ମୋବାଇଲ୍‌, ଲାପ୍‌ଟପ୍‌ ଆଦି ଇଲେକ୍ଟ୍ରୋନିକ୍ସ  ଡିଭାଇସ୍‌ରୁ ବିଭିନ୍ନ ତଥ୍ୟ ସେ ଉଡ଼ାଇ ଦେଇଥିଲେ ମଧ୍ୟ ଖସିବାର  ସୁଯୋଗ ନାହିଁ । ଡିଭାଇସ୍‌ରୁ କିପରି ସମସ୍ତ ପୁରୁଣା ତଥ୍ୟ ଓ ସୂଚନା  ମିଳି ପାରିବ ସେ ବାବଦରେ କ୍ରାଇମ୍‌ବ୍ରାଞ୍ଚ୍‌ ଉଦ୍ୟମ ଚଳାଇଛି । ଅନ୍ୟପକ୍ଷରେ ଶଙ୍କରର ମୁଖ୍ୟ ଏଜେଣ୍ଟ୍‌ ଭାବେ କାମ କରୁଥିବା ଦଲାଲ୍‌  ଅରବିନ୍ଦ ବିଭିନ୍ନ ସମୟରେ ସିମ୍‌କାର୍ଡ ବଦଳାଇ ଶଙ୍କର ସହ ଯୋଗସୂତ୍ର  ରକ୍ଷା କରୁଥିଲା ବୋଲି ଜଣାପଡ଼ିଛି । କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଶଙ୍କରର  ବୟାନକୁ ରେକର୍ଡ କରି ଅନୁଧ୍ୟାନ କରୁଛି । ୪ ଜଣ ଅଧିକାରୀ ତାକୁ  ପୃଥକ୍‌ ଭାବେ ଜେରା କରୁଛନ୍ତି । ସିଲିକନ୍‌ର ମୁଖ୍ୟ ସୁରେଶ ଗିରଫ  ପରେ ଜେରା ସମୟରେ କ୍ରାଇମ୍‌ବ୍ରାଞ୍ଚ୍‌କୁ ଯାହା ବୟାନ ଦେଇଥିଲା ତା  ସହ ଶଙ୍କରର ବୟାନ ମେଳ ଖାଉଛି । 

ତେଣୁ ପରୀକ୍ଷା କେଳେଙ୍କାରୀରେ ଦୁଇ ଅଭିଯୁକ୍ତ ଗୋଟିଏ  ଜାଗାରେ ସ୍କ୍ରିପ୍ଟ ଲେଖି ତାହାକୁ ମୁଖସ୍ଥ କରି ତଦନ୍ତକାରୀ ଟିମ୍‌ ଆଗରେ ସମାନ ଭାବେ କହୁଥିବା ଜଣାପଡ଼ିଛି । ଏଥିରୁ ସିଲିକନ୍‌ ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ସବୁ ନାଟର ଗୋବର୍ଦ୍ଧନ ବୋଲି ଜଣାପଡୁଥିବା  କ୍ରାଇମବ୍ରାଞ୍ଚ ଟିମର ଜଣେ ଅଧିକାରୀ କହିଛନ୍ତି । ସୁରେଶ ଅନ୍‌ଲାଇନ୍‌ ନିଯୁକ୍ତି ପରୀକ୍ଷା କାମରେ ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ନିୟୋଜିତ  ରହିଆସୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଛି । ସିଲିକନ୍‌ ମୁଖ୍ୟ ସହ  ଶଙ୍କରର ସମ୍ପର୍କ ୫ ବର୍ଷର ହୋଇଥିବାରୁ ଉକ୍ତ ସମୟ ସୀମା ମଧ୍ୟରେ  ଅନେକ ପରୀକ୍ଷା କେଳେଙ୍କାରୀ ହୋଇଥିବା ଆଶଙ୍କା କରାଯାଉଛି ।  ଶଙ୍କର ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଦାଗୀ ଚେହେରା ଭାବେ  ପରିଚିତ । ପୂର୍ବରୁ ସେ ଅନେକ ନିଯୁକ୍ତି ପରୀକ୍ଷା ସମ୍ପର୍କିତ ଠକେଇଜାଲ୍‌ ସାର୍ଟିଫିକେଟ୍‌ କାରବାର ଓ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ  ରହି ଜେଲ୍‌ ଯାଇଥିଲା । ସେ ପ୍ରଚୁର ଟଙ୍କା କମାଇଥିବା କ୍ରାଇମ୍‌ବ୍ରାଞ୍ଚ୍‌  ଜାଣିବାକୁ ପାଇଛି ।