ନୂଆଦିଲ୍ଲୀ,୨୯/୦୫: ଆମେରିକାର ରିଟେଲ ବଜାରରେ ରୁପା ଗହଣାର ଚାହିଦା ବଡ଼ ଆକାରରେ  ବୃଦ୍ଧି ପାଇଛି । ଅନ୍ୟାନ୍ୟ ଦାମୀ ଧାତୁଗୁଡ଼ିକ ତୁଳନାରେ ଏହାର ମଜଭୁତ ବିକ୍ରି ଅଭିବୃଦ୍ଧି ଦେଖିବାକୁ ମିଳିଛି ।  ସିଲ୍‌ଭର ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା କରାଯାଇଥିବା ଏକ  ସର୍ଭେରୁ ଏହା ଜଣାପଡ଼ିଛି । ଆମେରିକୀୟ ଗହଣା  ରିଟେଲରମାନଙ୍କ ୨୦୨୪ ବର୍ଷର ପ୍ରଦର୍ଶନ ଆଧାରରେ  ଏହି ସର୍ଭେ କରାଯାଇଥିଲା । ତେବେ ଏହା ଭାରତୀୟ ରୁପା ଗହଣା ରପ୍ତାନିକାରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ  ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ସାଧାରଣତଃ  ଭାରତ ଆମେରିକାକୁ ୩୨ କୋଟି ଡଲାର ମୂଲ୍ୟର ରୁପା  ଗହଣା ରପ୍ତାନି କରିଥାଏ ।

ସର୍ଭେରୁ ଜଣାପଡ଼ିଛି ଯେ,  ୨୦୨୪ରେ ୫୩% ରିଟେଲର ରୁପା ଗହଣା ବିକ୍ରିରେ  ଅଭିବୃଦ୍ଧି ହାସଲ କରିଛନ୍ତି । ୨୦୨୨ ସର୍ଭେ ତୁଳନାରେ ଏହା ବଡ଼ ଅଭିବୃଦ୍ଧି । ରିପୋର୍ଟ ଅନୁସାରେ, ରୁପା  ଗହଣା ରିଟେଲରମାନେ ସେମାନଙ୍କ ଇନ୍‌ଭେଣ୍ଟୋରୀରେ  ବ୍ୟାପକ ବୃଦ୍ଧି କରିଛନ୍ତି । ୭୧% ରିଟେଲର ୨୦୨୪ରେ  ସେମାନଙ୍କ ରୁପା ଗହଣା ଷ୍ଟକ୍‌କୁ ହାରାହାରି ୧୫%  ବଢ଼ାଇଛନ୍ତି । ଏହା ୨୦୨୨ ତୁଳନାରେ ୧୦% ଅଭିବୃଦ୍ଧି ।