ନୂଆଦିଲ୍ଲୀ ୦୨/୦୪: ଫିଲ୍ମ ବା ବହିରେ କୁହାଯାଇଥାଏ ଯେ ବିପରୀତ ସ୍ୱଭାବ ଲୋକଙ୍କୁ ପରସ୍ପର ଆଡ଼କୁ ଆକର୍ଷିତ କରିଥାଏ । କିନ୍ତୁ ବାସ୍ତବ ସମ୍ପର୍କରେ ସତ ସାମାନ୍ୟ ନିଆରା । ବିଜ୍ଞାନ ଏ ବିଷୟରେ କିଛି ଅଲଗା ମତ ଦେଇଥାଏ । କୋଲେରାଡୋ ବିଶ୍ୱବିଦ୍ୟାଳୟ ବୋଲ୍ଡର୍ ଏବଂ ୟୁନିଭର୍ସିଟି ଅଫ୍ ମସୌରୀର ଗବେଷଣା ଅନୁସାରେ ସମାନ ଗୁଣ ଥିବା ଲୋକମାନେ ପରସ୍ପରଙ୍କର ଅଧିକ ନିକଟତ୍ତର ହୋଇଥାନ୍ତି ।
ସମାନ ଗୁଣକୁ ପସନ୍ଦ କରନ୍ତି ଲୋକ :
କେଲୋରାଡୋ ୟୁନିଭର୍ସିଟି ବୋଲ୍ଡର୍ ଦ୍ୱାରା କରାଯାଇଥିବା ବିଶ୍ଲେଷଣ ଏକ ଦଶନ୍ଧିରୁ ଅଧିକ ସମୟ ଯାଏ ଲକ୍ଷେରୁ ଅଧିକ ଦମ୍ପତ୍ତି ଓ ତାଙ୍କ ୧୩୦ରୁ ଅଧିକ ଗୁଣ ଉପରେ ଅଧ୍ୟୟନ କରିବା ସହ ପାଇଥିଲେ ଯେ ସମାନ ଗୁଣ ଥିବା ଲୋକ ପରସ୍ପରଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଗବେଷଣାରେ ପ୍ରାୟ ୮୩ ପ୍ରତିଶତରୁ ୮୯ ପ୍ରତିଶତ ଘଟଣାରେ ସାଥୀ ସ୍ୱଭାବ ସମାନ ରହିଥିଲା । ତେଣିକି ଉଭୟଙ୍କ ବିଚାରଧାରା ରାଜନୈତିକ ହେଉ ଅବା ସାମାଜିକ । ବିଭିନ୍ନ ଭାବରେ ଦମ୍ପତ୍ତିଙ୍କ ଭିତରେ ସମାନତା ଦେଖିବାକୁ ମିଳିଥିଲା । କେବଳ ୩ ପ୍ରତିଶତ ଦମ୍ପତ୍ତିଙ୍କ କ୍ଷେତ୍ରରେ ଭିନ୍ନ ସ୍ୱଭାବ ରହିଥିବା ଦେଖିବାକୁ ମିଳିଥିଲା ।
ପସନ୍ଦ ଓ ସଫଳତାର ଗଣିତ :
ୟୁନିଭର୍ସିଟି ଅଫ୍ ମସୌରୀର ଗବେଷଣା ଅନୁସାରେ ବିପରୀତ ସ୍ୱଭାବ ଦ୍ୱାରା ଆକର୍ଷିତ ହେଉଥିବା ଲୋକମାନେ ସମ୍ପର୍କ ଉପରେ ସେତେଟା କାମ କରି ନଥାନ୍ତି । ଅଧ୍ୟୟନ ଅନୁସାରେ ଜୀବନରୁ ସମାନ ଆଶା ରଖୁଥିବା ବ୍ୟକ୍ତି କେବଳ ଜଣେ ଅନ୍ୟଜଣକ ସହ ସମ୍ପର୍କରେ ଆସିବାର ସମ୍ଭାବନା ଅଧିକ ରଖି ନଥାନ୍ତି, ବରଂ ସମ୍ପର୍କକୁ ସଫଳ କରିବାରେ ମଧ୍ୟ ସହଯୋଗ କରିଥାନ୍ତି । ଲୋକମାନେ ନିଜଠାରୁ ଭଲ ସାଥୀର ଆଶା ରଖିଥାନ୍ତି, କିନ୍ତୁ ଯାହା ସହ ସ୍ୱଭାବ ଓ ଭାବନା ମିଶିଥାଏ । ଉଭୟଙ୍କ ପ୍ରତି ଆକର୍ଷଣ ଅଧିକ ରହିଥାଏ ।
ସମାନତା କାହିଁକି ଜରୁରୀ?
ସମାନ ସ୍ୱଭାବ ରହିବା ଦ୍ୱାରା ପରସ୍ପର ସହ ଭଲ ଭାବେ କଥାବାର୍ତ୍ତା କରିବା ସମ୍ଭବ ହୋଇଥାଏ । ସମାନ ବିଚାରଧାରା ଲୋକ ପରସ୍ପର ସହ ଅଧିକ ଦିନଯାଏ ଏକାଠି ରହିବା ସମ୍ଭବ ହୋଇଥାଏ। ବୁଝାମଣା ଦ୍ୱାରା ସମ୍ପର୍କର ମୂଳଦୁଆ ମଜଭୁତ ହୋଇଥାଏ ।
ସମ୍ପର୍କରେ ସମାନତା ଜରୁରୀ କି?
ପ୍ରଥମେ ଅଲଗା ସ୍ୱଭାବର ବ୍ୟକ୍ତି ପ୍ରତି ଆକର୍ଷଣ ହେବା ନିଶ୍ଚିତ । କିନ୍ତୁ ଦୀର୍ଘ ସମୟ ଯାଏ ଚାଲିବା ପାଇଁ ସମ୍ପର୍କରେ ସମାନତା ରହିଥିବା ଆବଶ୍ୟକ । ଅବଶ୍ୟ ଆମେ ଅଜଣତାରେ ନିଜ ପରି ଲୋକକୁ ଚୟନ କରିଥାଉ । ସମାନ ଅଭ୍ୟାସ ହେଉ ଅବା ଜୀବନର ମୂଲ୍ୟବୋଧ, ଭାବନା ଓ ବିଚାରଧାରା କାରଣରୁ ସ୍ୱାମୀସ୍ତ୍ରୀ ପରସ୍ପର ସହ ଦୀର୍ଘଦିନ ଯାଏ ଏକାଠି ରହିଥାନ୍ତି ।
ଆହୁରି ପଢ଼ନ୍ତୁ...ଏବେ ସ୍କିଲ୍କୁ ମିଳୁଛି ଗୁରୁତ୍ୱ, ବିନା ଡିଗ୍ରୀରେ ଏସବୁ କ୍ଷେତ୍ରରେ କରିହେବ କ୍ୟାରିଅର...