ମୁମ୍ବାଇ ୦୮/୦୧: ମୁମ୍ବାଇରେ ଗାୟକ ଉଦିତ୍ ନାରାୟଣଙ୍କ ବାସଭବନରେ ଲାଗିଲା ନିଆଁ । ଅନ୍ଧେରି ପଶ୍ଚିମ ସ୍ଥିତ ଶାସ୍ତ୍ରୀ ନଗରରେ ସ୍କାଇପେନ୍ ଆପାର୍ଟମେଣ୍ଟରେ ରାତି ପ୍ରାୟ ୯.୧୫ ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ବିକି ଲାଲୱାନି ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏକାଦଶ ମହଲାରେ ରହୁଥିବା ଉଦିତ ନାରାୟଣଙ୍କ ପଡ଼ୋଶୀ ରାହୁଲ ମିଶ୍ରାଙ୍କ (୭୫ ବର୍ଷ) ମୃତ୍ୟୁ ହୋଇଥିବାବେଳେ ତାଙ୍କ ସମ୍ପର୍କୀୟ ରୌନକ ମିଶ୍ରା ଗୁରୁତର ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ମୃତକଙ୍କ ପରିବାର ଏକ ଦୀପ ଜାଳି ଥିଲେ, ଯାହାର ନିଆଁ ନିକଟରେ ଥିବା ପରଦାରେ ଲାଗିଯାଇଥିଲା। ଯାହାପରେ ରାହୁଲଙ୍କ ପତ୍ନୀ ସାହାଯ୍ୟ ପାଇଁ ଚିତ୍କାର କରି ତଳ ମହଲାକୁ ଦୌଡ଼ିଥିଲେ। ଏହା ପରେ ସିକ୍ୟୁରିଟି ଗାର୍ଡ ଘଟଣା ବିଷୟରେ ଜାଣି ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବହୁତ ଡେରି ହୋଇଯାଇଥିଲା ।