କେନ୍ଦୁଝର, ୨୨/୦୮ : ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ଚାଲିଗଲେ ସାର୍। ରାତି ସାରା ସ୍କୁଲରେ ଅଟକ ରହିଲେ ଛାତ୍ରୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ସ୍କୁଲ ଛୁଟି ହେବା ପରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହିଯାଇଥିଲେ। ଶିକ୍ଷକମାନେ ଭଲ ଭାବରେ ଯାଞ୍ଚ ନକରି ସ୍କୁଲରେ ତାଲା ପକାଇ ଚାଲିଯାଇଥିଲେ। ସେପଟେ ଛାତ୍ରୀଙ୍କୁ ନପାଇ ପରିବାର ଲୋକେ ରାତିସାରା ଖୋଜାଖୋଜି କରି ନିରାଶ ହୋଇଥିଲେ। ଏପଟେ ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଝରକାରେ ଅଟକି ରାତିସାରା ଲହୁ ଲୁହାଣ ଅବସ୍ଥାରେ ପଡି ରହିଥିଲେ। ଆଜି ଅସୁସ୍ଥ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଚଳାଇଛି।