ନୂଆଦିଲ୍ଲୀ : ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ତାମହିନୀ ଘାଟି ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍ ୪ ଶହ ଫୁଟ ଗଭୀର ଖାଈକୁ ଖସିବା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଯୁବକ ମାନେ ତାମହିନୀ ଘାଟି ଅଞ୍ଚଳରେ ପିକନିକ୍ ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଯଦିଓ ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ ଘଟିଥିଲା, କିନ୍ତୁ ପୋଲିସକୁ ଗୁରୁବାର ସକାଳେ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ଡ୍ରୋନ୍ କ୍ୟାମେରା ବ୍ୟବହାର କରି ଗାଡିଟି ଠାବ କରାଯାଇଛି। ଏହି ଗାଡିରେ ୧୮ ରୁ ୨୨ ବର୍ଷ ବୟସର ଯୁବକ ମାନେ ଥିଲେ, ଯେଉଁମାନେ କି ସୋମବାର ବିଳମ୍ବିତ ସନ୍ଧ୍ୟାରେ ଏକ ଥାର ଗାଡିରେ ପୁଣେ ସହରରୁ ବାହାରିଥିଲେ ।

ମଙ୍ଗଳବାର ସକାଳେ ପରିବାର ସଦସ୍ୟ ମାନେ ଯେତେବେଳେ ଏହି ଯୁବକ ମାନଙ୍କୁ ଫୋନ୍ କଲେ, ସେମାନଙ୍କ ଫୋନ୍ ଲଗାତାର ବନ୍ଦ ଥିଲା। ଯେତେବେଳେ ସେମାନେ ସେମାନଙ୍କ ସହିତ ଯୋଗାଯୋଗ କରିପାରିଲେ ନାହିଁ, ପରିବାର ଚିନ୍ତିତ ହୋଇ ପୋଲିସକୁ ଯୋଗାଯୋଗ କରିଥିଲେ। ସୂଚନା ପାଇବା ପରେ, ପୋଲିସ ସେହି ଅଞ୍ଚଳ ଖୋଜାଖୋଜି ଆରମ୍ଭ କରିଥିଲା ଏବଂ ଖୋଜାଖୋଜି ସମୟରେ, ସେମାନେ ରାସ୍ତାରଏକ ବିପଦପୂର୍ଣ୍ଣ ମୋଡ଼ରେ ସୁରକ୍ଷା ରେଲିଂ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ତେବେ ଭଙ୍ଗା ରେଲିଂ ଦେଖିବା ପରେ ପୋଲିସ ସନ୍ଦେହ କରିଥିଲା ଏବଂ ଖୋଜାଖୋଜିକୁ ଜୋରଦାର କରିଥିଲା। ଡ୍ରୋନ୍ କ୍ୟାମେରା ବ୍ୟବହାର କରି ସେମାନେ ଜାଣିପାରିଲେ ଯେ ଏକ ଏସୟୁଭି (SUV) ରେଲିଂ ଭାଙ୍ଗି ତଳେ ପଡ଼ିଛି।

ଡ୍ରୋନ୍ ଫଟୋରେ SUV ଟି ଏକ ଗଭୀର ଘାଟିରେ ଏକ ଗଛରେ ଫସି ରହିଥିବା ଦେଖାଯାଉଛି। ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିଛି ଘଣ୍ଟାର କଠିନ ପରିଶ୍ରମ ପରେ, ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ଘାଟି ଭିତରକୁ ଓହ୍ଲାଇ SUV ପାଖରେ ପହଞ୍ଚିଥିଲେ। ସେମାନେ ଛଅ ଜଣଙ୍କ ମୃତଦେହ ପାଇଥିଲେ । ସେମାନଙ୍କୁ ବାହାରକୁ ଆଣିବା ପରେ ଚିହ୍ନଟ କରାଯାଇଥିଲା।