ଭୁବନେଶ୍ବର, ୩୦।୧୧: ଯୁବ ସାହିତ୍ୟିକ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷରୁ ଏହି ପୁରସ୍କାର ପ୍ରଦାନ ଆରମ୍ଭ ହୋଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଉପସଭାପତି ଶାଶ୍ବତୀ ଦାସ, ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ତାଙ୍କୁ ଏକ ରୌପ୍ୟ ଫଳକ, ମାନପତ୍ର, ଉତ୍ତରୀୟ ଓ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ସୂର୍ଯ୍ୟସ୍ନାତଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ:
ଶ୍ରୀ ତ୍ରିପାଠୀଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆ ପୁଚି ନାରଙ୍ଗ' ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟ ଉତ୍ସବର ମୁଖ୍ୟ ଅତିଥି ତଥା ସୋଆ ଉପସଭାପତି ଶାଶ୍ବତୀ ଦାସ କହିଥିଲେ, ସାହିତ୍ୟ ସମାଜର ଏକ ଅଂଶ। ସାହିତ୍ୟ ଓ ସଂସ୍କୃତିକୁ ଛାଡ଼ି ଆମେ ଆଗକୁ ବଢ଼ି ପାରିବାନି। ଇଣ୍ଟରନେଟ୍ ଓ ଚାଟ୍ ଜିପିଟିର ବହୁଳ ବ୍ୟବହାର ଯୋଗୁ ଏବେ ବହି ପଢ଼ା କମିଛି। ଏଭଳି ସମୟରେ ସାହିତ୍ୟ ଉତ୍ସବ ଆୟୋଜନ କରିବା ବେଶ୍ ପ୍ରାସଙ୍ଗିକ।
ଆଦିବାସୀ ଭାଷା ଲୋପ ପାଇଯାଉଛି:
ବିଶିଷ୍ଟ ସାନ୍ତାଳୀ ଲେଖିକା ଦମୟନ୍ତୀ ବେସ୍ରା କହିଥିଲେ, ଭାଷା ମରିଗଲେ ସବୁ ମରିଯିବ। ଭାଷାକୁ ଛାଡ଼ି କୌଣସି ଜାତି, ରାଜ୍ୟ ଓ ଦେଶ କେବେ ଆଗକୁ ବଢ଼ିପାରବନି। ଯେଉଁ ଜାତିର ଭାଷା ନାହିଁ ସେ କେବେ ଉପରକୁ ଉଠି ପାରିବନି। ଆଦିବାସୀଙ୍କ ଭାଷା ଏବେ ଲୋପ ପାଇଯାଉଛି। ଭାଷା ଲୋପ ହେଲେ ତାର ସଂସ୍କୃତି ଆଗକୁ ବଢ଼ି ପାରିବନି।
ଆଦିବାସୀ ପିଲା ଏବେ ବି ନିଜ ଭାଷାରେ ପଢ଼ି ପାରୁନାହାନ୍ତି। ଯଦି ସେମାନଙ୍କ ମାତୃଭାଷାକୁ ଅଣଦେଖା କରାଯିବ ସେମାନେ ସମାଜର ମୁଖ୍ୟ ସ୍ରୋତକୁ କେମିତି ଆସିବେ ? ଆଉ ଆଦିବାସୀ ଅଞ୍ଚଳର ବିକାଶ କିଭଳି ଚିନ୍ତା କରା ଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ୬୪ ପ୍ରକାରର ଜନଜାତି ଅଛନ୍ତି ଓ ସେମାନଙ୍କ ପ୍ରାୟ ୨୫ଟି ଭାଷା ରହିଛି । ଏହାର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉ। ସମାଜରେ ଯଦି ଜନଜାତି ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରାଯାଏ ତେବେ ବର୍ତ୍ତମାନ ସମାଜରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ସୋଆରେ ସାନ୍ତାଳୀ ଓ ଟ୍ରାଇବାଲ ଷ୍ଟଡିଜ୍ ପାଇଁ ସ୍ବତନ୍ତ୍ର ବିଭାଗ ଖୋଲିବାକୁ ସେ ପ୍ରସ୍ତାବ ଦେଇଥିଲେ । ଜନଜାତି ସଂସ୍କୃତିରେ ଯୌତୁକ ପ୍ରଥା ନାହିଁ। ମହିଳାଙ୍କୁ ଆଦିବାସୀ ସମାଜରେ ଅନେକ ସମ୍ମାନ ଦିଆଯାଏ ବୋଲି ଶ୍ରୀମତି ବେସ୍ରା କହିଛନ୍ତି।
ୟୁନେସ୍କୋର ରିପୋର୍ଟ କହୁଛି, ଦେଶରେ ୧୯୭ ଭାଷା ଏବେ ବିପଦରେ ରହିଛି। ଆମେ ଅସ୍ମିତା କଥା କହୁଛୁ, କିନ୍ତୁ ସମୟ ଆସିବ ଏହା ହଜିଯିବ। ଆମେ କେବଳ ମୋବାଇଲ ଭାଷାକୁ ବୁଝୁଛୁ। ପ୍ରଥମେ ସମସ୍ତଙ୍କୁ ନିଜ ମାତୃଭାଷାରେ ପଢ଼ାଇବାକୁ ସେ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା:
ସମାରୋହର ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ବାର୍ତ୍ତ। ପଠାଇଥିଲେ। ସେ କହିଥିଲେ, ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଓ ଗୋଟିଏ ଜାତିର ପରିଚୟ ସୃଷ୍ଟିରେ ଭାଷାର ବଡ଼ ଭୂମିକା ରହିଛି। ଲେଖକଙ୍କର ବି ଠିକ୍ ସେମିତି ଭୂମିକା ରହିଛି । ସାହିତ୍ୟ ଉତ୍ସବର ପ୍ରସଙ୍ଗ ‘ସଂସ୍କୃତି, ସୃଜନଶୀଳତା ଓ କୃତ୍ରିମ ବୁଦ୍ଧିମତା'କୁ ସେ ସମୟ ଉପଯୋଗୀ ବୋଲି କହିଛନ୍ତି । ଉତ୍ସବରେ ଯୋଗ ଦେଇଥିବା ଲେଖକ, କବି ଓ ବକ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସୋଆର ଏଭଳି ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ ବୋଲି କହିଛନ୍ତି।
ଯୁବବର୍ଗ ଆତ୍ମଗର୍ବରୁ ମୁକ୍ତ ହୁଅନ୍ତୁ:
ଆମେ ସମସ୍ତେ ଆତ୍ମଗର୍ବ ଓ ଆତ୍ମମୁଗ୍ଧତାରୁ ବାହାରକୁ ବାହାରିବାକୁ ସୋଆ ଯୁବ ସାହିତ୍ୟ ସମ୍ମାନ ବିଜେତା ଶ୍ରୀ ତ୍ରିପାଠୀ ଆହ୍ବାନ ଦେଇଛନ୍ତି। ଆମକୁ ଅନେକ ଜଣେ ଚାହିଁ ବସିଛନ୍ତି। ଆମ ଆଖି ଅନ୍ୟମାନଙ୍କ ଉପରେ ପଡୁ। ପରଶ୍ରୀକାତରତା, ଘୃଣା ଓ ଇର୍ଷାରୁ ମୁକ୍ତି ମିଳୁ। ଯେଉମାନେ ମଶାଲ ଧରି ଛିଡ଼ା ହେବେ ସେମାନେ ଏଥିରୁ ମୁକ୍ତି ନ ପାଇଲେ ଆଗକୁ ବାଟ ଦେଖାଇ ପାରିବେନି। ଆମ ସାହିତ୍ୟ ଆମକୁ ପ୍ରେମମୟ ସମାଜ ଆଡ଼କୁ ନେଇଯାଉ। ଆମେ ପୁରସ୍କାର ମୋହ ଛାଡ଼ିବା। ଆମକୁ ନୁହେଁ, ଆମ କୃତୀକୁ ଏହି ସମ୍ମାନ ମିଳୁଛି। ଆମ ମନ ଭିତରେ ଉତ୍ତରଦାୟିତ୍ବ ରହୁ। କେଉ ବାଟରେ ନିଜ ମାଟିକୁ ଉପରକୁ ନେବା ସେଥିପାଇଁ ପ୍ରୟାସ କରିବା ଜରୁରୀ ବୋଲି ସେ କହିଛନ୍ତି। ମଣିଷଙ୍କର ହୃଦୟ ଓ ଭାବାବେଗ ରହିଛି। ଏଥିପାଇଁ ଏଆଇ ଆମକୁ କବଳିତ କରିପାରୁନି ବୋଲି ସେ କହିଛନ୍ତି।
ସୋଆ ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟାଜିତ ହୋଇଥିଲା। ପ୍ରାଚୀନର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଓ ଅଧୀକ୍ଷକ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ଓ ମୁଖ୍ୟ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ।