ଫିରିଙ୍ଗିଆ,୧୫/୧୧ : ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଏଭଳି କିଛି ଗାଁ ରହିଛି ଯେଉଁଠି ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନାହିଁ l ଏମାନଙ୍କ ପାଇଁ ରାସ୍ତା ଘାଟ ପାନୀୟ ଜଳ ହେଉ କି ବିଦ୍ୟୁତ ସଂଯୋଗ ହେଉ ମୌଳିକ ସୁବିଧା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତର ଗୁଡ୍ରିଖୋଲ ଓ ସିମିଝିରୀ ଗ୍ରାମରେ ।

୨ନମ୍ବର ୱାର୍ଡ଼ ଗୁଡ୍ରିଖୋଲରେ ୧୫ଘର ଅଛନ୍ତି । ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ପ୍ରାୟତଃ ଅଧିକାଂଶ ସରକାରଙ୍କ ସୁବିଧାରୁ ବଞ୍ଚିତ ଥିବାବେଳେ ଏମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଗାଁରେ ବିଜୁଳି ଆଲୁଅ ଦେଖିବା ସାତ ସପନ ହୋଇଛି । ଯାହାଦ୍ୱାରା ବର୍ତ୍ତମାନ ବି ଗ୍ରାମବାସୀଙ୍କ ପାଇଁ ଡିବିରୀ ଆଲୁଅ ଓ ମୋବାଇଲ ଫୋନ୍ ଆଲୁଅ ସାହା ଭରସା ପାଲଟିଛି l ଏହି ଗୁଡ୍ରିଖୋଲ ଗାଁରେ ପ୍ରାୟ ୧୫ଘରରୁ ଊର୍ଦ୍ଧ୍ବ ଅଛନ୍ତି । ଏମାନେ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଲିଖିତ ଭାବେ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ତେଣୁ ଗ୍ରାମବାସୀଙ୍କ ପାଇଁ ଡିବିରୀ ଆଲୁଅ ଏକ ମାତ୍ର ଭରସା ।

ଗୁଡ୍ରିଖୋଲ ଗ୍ରାମବାସୀ କହିଛନ୍ତି କିଛି ବର୍ଷ ତଳେ ଗାଁ ଲୋକେ ମିଶି ରାସ୍ତା ତିଆରି କରିଥିଲୁ । ତେଣୁ ସରକାରଙ୍କ ତରଫରୁ ତୁରନ୍ତ ଗାଁରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କଲେ ଗୁଡ୍ରିଖୋଲଓ ସିମିଝିରୀ ଗ୍ରାମବାସୀ ଉପକୃତ ହେବେ ବୋଲି କହିଛନ୍ତି । ଡିଣ୍ଡିରା ଗାଁ ପ୍ରତ୍ୟେକ ଘରେ ଘରେ ସୋଲାର ଲାଇଟ୍ ଦିଆଯାଇଥିଲା । ବ୍ଲକ ତରଫରୁ କିନ୍ତୁ ୫ବର୍ଷ ଧରି ସୋଲାର ଲାଇଟ୍ ଦିଆଯାଇଥିଲା। ପ୍ରତ୍ୟେକ ଘରେ ଗୋଟିଏ ବର୍ଷ ଠିକ୍ ଠାକ୍ ଚାଲିଲା ଆଉ ଚାରି ବର୍ଷ ଅନ୍ଧାରରେ ରହିଛନ୍ତି । ସେ ଗାଁକୁ ରାସ୍ତା ବି ଠିକ୍ ଭାବେ ନାହିଁ । କିଛି ବାଟ ଭଲ ଅଛି ଆଉ କିଛି ବାଟ ଭଲ ନାହିଁ ।

ପାଦ ଚଲା ରାସ୍ତା ଅଛି ଗାଁଠାରୁ । ପଞ୍ଚାୟତ ୧୦କିଲୋମିଟର ଓ ବ୍ଲକକୁ ଯିବାକୁ ହେଲେ ୧୪କିଲୋମିଟର ଯିବାକୁ ପଡୁଛି । ଗାଁ ଲୋକେ ଲେଖିକି ଦେଇଛନ୍ତି ସରପଞ୍ଚକୁ । ଫିରିଙ୍ଗିଆ ବିଡିଓକୁ ଜିଲ୍ଲାପାଳକୁ ଓ ମୁଖ୍ୟମନ୍ତ୍ରୀକୁ ଲିଖିତ ଭାବେ ଅଭିଯୋଗ ଦେଇଛନ୍ତି । ପଞ୍ଚାୟତର ନାଏବ ସରପଞ୍ଚ ରାମଚନ୍ଦ୍ର ମଲିକ, ବାବୁଲା ମଲିକ, କାମେଶ୍ୱର୍ ମଲିକ, ପିତାମ୍ବର ମଲିକ, ଟୁନା ମଲିକ, ଶିବା ମଲିକ, ଦଣ୍ଡପାଣି ମଲିକ କହିଛନ୍ତି ତୁରନ୍ତ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଘାଟଣାକୁ ନେଇ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗୀୟ ଅଧିକାରୀ ଏସଡିଓ ଜୟଦେବ ସାହୁଙ୍କୁ ପଚାରିବାରୁ ଗାଁରେ ବିଦ୍ୟୁତ ନ ଥିବା ସ୍ୱୀକାର କରିବା ସହ ଯଥାଶୀଘ୍ର ଟେଣ୍ଡର ପରେ ଗୁଡ୍ରିଖୋଲ ଓ ସିମିଝିରୀ ଗାଁରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି l