ସୁନ୍ଦରଗଡ଼,୦୮/୧୨: ସବୁ ବାପାମା ଚାହିଁଥାନ୍ତି, ପୁଅଟିଏ ଥିଲେ ବାର୍ଦ୍ଧକ୍ୟ ସମୟରେ ସହାୟ ହେବ । ସେବା, ଶୁଶ୍ରୂଷା କରିବା ସହ ଅନ୍ତକାଳେ କାନ୍ଧ ଦେଇ ମୁଖାଗ୍ନି ଦେବ । କିନ୍ତୁ ସେବା କରିବାର ତ ଦୂରର କଥା, ବାପାଙ୍କ ପରଲୋକ ପରେ ଦେଖିବାକୁ ଆସିଲାନି ପୁଅ । ଏପରିକି ଦୁଇଦିନ ଯାଏଁ ସ୍ୱର୍ଗଦ୍ୱାରରେ ଅପେକ୍ଷା କରି ନୟାନ୍ତ ହେଲେ ମାଆ ଓ ଦୁଇଝିଅ । ଶେଷରେ ଟିମ୍ ଶ୍ମଶାନବନ୍ଧୁ ସାହା ହୋଇ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ।
ପଶ୍ଚିମବଙ୍ଗ ଆସାନସୋଲର ଗୋରଖନାଥ ସରକାର ସୁନ୍ଦରଗଡ଼ରେ କାର୍ଯ୍ୟ କରୁଥିବାରୁ ୧୯୯୦ ମସିହାରେ ଦୁଇଝିଅ ସହିତ ପତ୍ନୀ ଶିଖାରାଣୀଙ୍କୁ ନେଇ ସୁନ୍ଦରଗଡ଼ ଆସିଯାଇଥିଲେ । ଗୋରଖନାଥ ଏଲଏଣ୍ଡଟି କମ୍ପାନୀର ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ସୁପରଭାଇଜର ଭାବେ ନିୟୋଜିତ ଥିଲେ । ଏଠାରେ ତାଙ୍କର ଏକ ପୁଅ(ସୁନ୍ଦର) ହୋଇଥିଲା । ପରେ ରାସ୍ତା କାର୍ଯ୍ୟ ସରିଯିବାରୁ ଅନ୍ୟ କର୍ମଚାରୀ ଅନ୍ୟତ୍ର ଚାଲିଯିବାବେଳେ ଗୋରଖନାଥ ସୁନ୍ଦରଗଡ଼ର ଲୁହୁରାଢିପାରେ ଘର କରି ରହିଯାଇଥିଲେ । ପରେ ଅନ୍ୟ ଏକ କନଷ୍ଟ୍ରକସନ କମ୍ପାନୀରେ ଦୀର୍ଘଦିନ ସେ କାମ କରିଥିଲେ । ହେଲେ ଗମ୍ଭୀର ଅସୁସ୍ଥତା କାରଣରୁ ୭/୮ ବର୍ଷ ହେଲା ସେ ଘରେ ରହି ଆସୁଥିଲେ । ଏପଟେ ଗୋରଖନାଥଙ୍କ ବଡ଼ ଝିଅ ଝାରସୁଗୁଡ଼ାରେ ବାହା ହୋଇଥିଲେ ହେଁ ପରେ ଛାଡପତ୍ର ହୋଇଯିବାରୁ ସେ ଆସି ବାପଘରେ ରହୁଛନ୍ତି । ସେହିପରି ସାନ ଝିଅ ରାଜଗାଙ୍ଗପୁରରେ ବିବାହ କରିଥିଲେ, କିନ୍ତୁ ତାଙ୍କ ସ୍ୱାମୀ ପ୍ଲାଣ୍ଟ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିବାର ସେ ମଧ୍ୟ ବାପଘରେ ଆସି ରହୁଛନ୍ତି । ବଡ଼ଝିଅ ସୁନ୍ଦରଗଡ଼ର ଏକ ସୁନା ଦୋକାନରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ଓ ସାନଝିଅ ବାପାମାଆଙ୍କ ଦେଖାଶୁଣା କରୁଥିଲେ । ପୁଅ ସୁନ୍ଦର ପାଠପଢ଼ା ପରେ ଡେରାଡୁନର ଆଇଟି କମ୍ପାନିରେ ଚାକିରି କରିବା ସହ ପରେ ସେଠାକାର ସହକର୍ମୀଙ୍କୁ ବିବାହ କରିଥିଲେ । ଏହା ଜାଣିବା ପରେ ସୁନ୍ଦରଙ୍କ ପରିବାର ଲୋକ କଥା ହେଉ ନ ଥିଲେ । ଏପଟେ ଗୋରଖନାଥଙ୍କ ଯକୃତ ଖରାପ ହେବାରୁ ଚିକିତ୍ସାରେ ଅନେକ ଖର୍ଚ୍ଚ ହେବାରୁ ଶେଷରେ ଘରକୁ ବିକ୍ରି କରିଦେଇଥିଲେ ।
ଗତ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାସ୍ଥିତ ମେଡିକାଲରେ ଗୋରଖନାଥଙ୍କ ପରଲୋକ ଘଟିଥିଲା । ଏ କଥା ପୁଅ ସୁନ୍ଦରକୁ ଜଣାଇବା ସହ ସୁନ୍ଦରଗଡ଼ ସ୍ୱର୍ଗଦ୍ୱାରକୁ ଶବ ଆଣିଥିଲେ । ସୁନ୍ଦରଗଡ଼ରେ କେହି ସମ୍ପର୍କୀୟ ନ ଥିବାରୁ ଟିମ୍ ଶ୍ମଶାନବନ୍ଧୁ ସଦସ୍ୟଙ୍କୁ ସହଯୋଗ ଲୋଡ଼ିବା ସହିତ ସ୍ୱର୍ଗଦ୍ୱାର ପରିସର ଫ୍ରିଜରରେ ଗୋରଖନାଥଙ୍କ ଶବକୁ ରଖି ପୁଅର ଆସିବା ବାଟକୁ ଚାହିଁ ରହିଥିଲେ । କିନ୍ତୁ ଦୁଇଦିନ ପରେ ପୁଅ ନ ଆସି ଭିଡିଓ କଲରେ ବାପାଙ୍କ ମରଶରୀର ଦେଖାଇ ଦିଅ ଓ ଅନ୍ୟ ଧର୍ମ ଗ୍ରହଣ କରି ନେଇଥିବାରୁ ମୁଖାଗ୍ନି ଦେଇପାରିବି ନାହିଁ କହି ମନା କରି ଦେଇଥିଲା । ପୁଅର ଏକଥା ଶୁଣି ମାଆ ଭାଙ୍ଗିପଡ଼ିଥିଲେ । ଟିମ୍ ଶ୍ମଶାନ ବନ୍ଧୁ ସଦସ୍ୟମାନେ ଉକ୍ତ ପରିବାରକୁ ସ୍ୱାନ୍ତନା ଦେବା ସହିତ ଶୁକ୍ରବାର ରାତିରେ ଗୋରଖନାଥଙ୍କ ମୁଖାଗ୍ନି ଦେବା ସହିତ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସୁନ୍ଦରଗଡ଼ରେ ଆଉ କେହି ସାହା ଭରସା ନଥିବାରୁ ଗୋରଖନାଥଙ୍କ ଅସ୍ଥିକଳସ ଧରି ଦୁଇଝିଅ ସହିତ ମାଆ ଶିଖାରାଣୀ ସୁଦୂର ଆସାନସୋଲକୁ ଚାଲିଯାଇଛନ୍ତି ।