ପୁରୀ ୦୨/୦୮: ସମୁଦ୍ରରୁ ଉଦ୍ଧାର ହୋଇଥିବା ମୃତ ଯୁବକଙ୍କ ପରିଚୟ ମିଳିଛି । ଯୁବକ ହେଲେ କୁମ୍ଭାରପଡ଼ା ଥାନା ଅଧୀନ ବାଲିଉପର ବସ୍ତିର ଲୋକନାଥ ମୁଦୁଲି(୨୮) । ବଳିଆପଣ୍ଡା ଥାନା ପୁଲିସ ଶବକୁ ଜବତ କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ବ୍ୟବଚ୍ଛେଦ ଗୃହରେ ରଖିଛି ।
ସୂଚନାଯୋଗ୍ୟ,ଗୁରୁବାର ମଧ୍ୟାହ୍ନରେ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲ ସମ୍ମୁଖ ସମୁଦ୍ରରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିଲା । ଏହାଦେଖି ଲାଇଫ୍ଗାର୍ଡମାନେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ମୃତ ଯୁବକଙ୍କୁ ସମୁଦ୍ରରୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଥିଲେ।
ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ । ଲୋକନାଥଙ୍କ ମା’ ବିନୋଦିନୀ ମୁଦୁଲି ଅଭିଯୋଗ କରିଛନ୍ତି, ମୋ’ ପୁଅକୁ ମାରି ସମୁଦ୍ରକୁ ଫିଙ୍ଗି ଦିଆଯାଇଛି । ଶ୍ୱଶୁରଘର ଲୋକେ ତାକୁ ମାରି ଦେଇଛନ୍ତି । ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ତାଙ୍କ କହିବାନୁଯାୟୀ, ଗତ ୩୦ ତାରିଖ ସକାଳ ୯ଟାରେ ଲୋକନାଥ ଘରୁ ବାହାରିକି କାମ କରିବାକୁ ଆସିଥିଲା । ମାତ୍ର ସେ ଆଉ ଘରକୁ ଫେରିନଥିଲା । ବୋହୂ ୪ ମାସ ତଳେ ଅନ୍ୟ ଏକ ଯୁବକ ସହ ଫେରାର ହୋଇଯାଇଛି । ମୋର ଏକ ନାତୁଣୀ ରହିଛି । ପୂର୍ବରୁ ଥରେ ମୋ ପୁଅକୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ । ସେମାନେ ତାକୁ ମାରି ଦେଇଛନ୍ତି । ପ୍ରମାଣ ନଷ୍ଟ କରିବାକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ବୋଲି ବିନୋଦିନି କହିଛନ୍ତି ।