ନୂଆଦିଲ୍ଲୀ,୧୫/୦୨; ଗ୍ରୁପ୍ ଡି’ରେ ଦକ୍ଷିଣ ଆଫ୍ରିକାର ଆଧିପତ୍ୟ ଜାରି ରହିଛି । ପୂର୍ବରୁ କାନାଡ଼ା ଓ ଆଫଗାନିସ୍ତାନକୁ ହରାଇ ସାରିଥିବା ଦକ୍ଷିଣ ଆଫ୍ରିକା ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ୍ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ମାର୍କୋ ଜାନସେନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଫିନ ଆଲେନ ଓ ଟିମ ସାଇଫର୍ଟ ୩୩ ରନ ସଂଗ୍ରହ କରିଥିଲେ । ସାଇଫର୍ଟ ୧୩ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ନ୍ୟୁଜିଲାଣ୍ଡ ଲୟ ହରାଇ ବସିଥିଲା । ରଚିନ ରବିନ୍ଦ୍ର ୧୩, ଗ୍ଲେନ ଫିଲିପ୍ସ ୧ ଓ ଆଲେନ ୩୧ (୪ଚୌକା, ୨ଛକା) ରନ କରି ପାଭିଲିୟନ ଫେରିଥିଲେ । ୬୪ରନ୍‌ରେ ୪ଟି ୱିକେଟ୍‌ରେ ପତନ ପରେ ମାର୍କ ଚାପମାନ ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ କରି ୭୪ ରନର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୩୮ ବେଳେ ଚାପମାନ ୪୮ (୬ଚୌକା, ୨ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ମିଚେଲ ୩୨ ରନ କରି ପାଭିଲିୟନ ଫେରିଥିଲେ ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପରେ ବିଜୟ ସ୍ୱାଦ ଚାଖିଲା ଆୟର୍ଲାଣ୍ଡ, ଏତିକି ରନ୍ରେ ଓମାନ୍କୁ ଦେଲା ମାତ୍

ଅନ୍ତିମ ଭାଗରେ ଜେମ୍ସ ନୀଶମ ଦ୍ରୁତ ୨୩ ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୭୫ରେ ପହଞ୍ଚିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଆଡେନ ମାରକ୍ରମ ଓ କ୍ୱିଣ୍ଟନ ଡି କକ୍ ୬୨ ରନ ସଂଗ୍ରହ କରିଥିଲେ । ଡି କକ୍ ୨୦ ରନ କରି ଆଉଟ୍ ହେବା ପରେ ଦଳ ଆଉ ୨ଟି ୱିକେଟ ହରାଇଥିଲା । ମାତ୍ର ମାରକ୍ରମ ୪୪ଟି ବଲ୍‌ରେ ୮ ଚୌକା ଓ ୪ ଛକା ବଳରେ ୮୬ ରନ କରି ଦଳକୁ ବିଜୟୀ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ର୍ୟାନ ରିକେଲଟନ ୨୧, ଡିୱାଲ୍ଡ ବ୍ରେଭିସ୍ ୨୧ ଓ ଡେଭିଡ୍ ମିଲର ଅପରାଜିତ ୨୪ ରନ କରିଥିଲେ ।