ନୂଆଦିଲ୍ଲୀ,୧୫/୦୨; ଟି-ଟ୍ୱେଣ୍ଟିରେ ବିଶ୍ୱକପ୍ କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଆୟର୍ଲାଣ୍ଡ ବିଜୟ ଖାତା ଖୋଲିଛି । ଶନିବାର ଅନୁଷ୍ଠିତ ଗ୍ରୁପ୍ ବି’ର ଏକ ମ୍ୟାଚରେ ଦଳ ୯୬ ରନ୍‌ରେ ଓମାନକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୫/୨୩୫ ରନ ସଂଗ୍ରହ କରିଥିଲା । ଜବାବରେ ଓମାନ ୧୮ ଓଭରରେ ୧୩୯ ରନ କରି ଅଲ ଆଉଟ୍ ହୋଇ ଯାଇଥିଲା । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲୋର୍କାନ ଟକର ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଓମାନ ପ୍ରଥମ ଦଳ ଭାବେ ପରବର୍ତ୍ତୀ ରାଉଣ୍ଡରୁ ବାଦ ପଡ଼ିଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆୟର୍ଲାଣ୍ଡ ୬୪ ରନ୍ରେ ୪ଟି ୱିକେଟ୍ ହରାଇଥିଲା । ମାତ୍ର ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟକର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ୨୩୫ରେ ପହଞ୍ଚାଇଥିଲେ । ସେ ୫୧ଟି ବଲ୍‌ରେ ୧୦ ଚୌକା ଓ ୪ ଛକା ବଳରେ ଅପରାଜିତ ୯୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ୟାରେଥ ଡେଲାନି ୫୬ (୩ଚୌକା, ୪ଛକା) ଓ ଜର୍ଜ ଡକରେଲ ୯ଟି ବଲ୍‌ରେ ଅପରାଜିତ ୩୫ (୫ଛକା) ରନ ସଂଗ୍ରହ କରିଥିଲେ । ଜବାବରେ ଓମାନ ଓପନର ଅମୀର କଲିମ ଲଢୁଆ ଅର୍ଦ୍ଧଶତକ ଓ ହମାଦ ମିର୍ଜା ୪୬ (୬ଚୌକା, ୧ଛକା) ରନ ସଂଗ୍ରହ କରିଥିଲେ । ହେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଶେଷରେ ୨ ଓଭର ବାକି ଥାଇ ଓମାନ ୧୩୯ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବୟୋଜ୍ୟେଷ୍ଠ ବ୍ୟାଟର ଭାବେ କଲିମ ଅର୍ଦ୍ଧଶତକ ଅର୍ଜନ କରିବାରେ ରେକର୍ଡ କରିଥିଲେ । ସେ ୨୯ଟି ବଲ୍‌ରେ ୫ ଚୌକା ଓ ୨ଛକା ବଳରେ ୫୦ ରନ କରିଥିଲେ । ଆୟର୍ଲାଣ୍ଡ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳି ଜୋଶୁଆ ଲିଟିଲ ୩ଟି ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପରେ ବଞ୍ଚିଗଲା ଇଂଲଣ୍ଡ... 'କର ବା ମର' ମ୍ୟାଚରେ ସ୍କଟଲାଣ୍ଡକୁ ହରାଇଲା