ଶରୀର ସାମାନ୍ୟ ଅସୁସ୍ଥ ହେଲା, ଆମେ ଯାଇ ଗୋଟିଏ ଆଣ୍ଟିବାୟୋଟିକ୍ ବଟିକା ଖାଇବା ଆରମ୍ଭ କରିଦେଲେ । ଦିନେ ଦୁଇଦିନ ପରେ ଦେହ ସୁସ୍ଥ ହେଇଗଲା । ତା’ପରେ ଆମେ ନିଜ କାମରେ ନିଜକୁ ନିୟୋଜିତ କରିଦେଲେ । କିଛିଦିନ ପରେ ପୁଣି ସେଇ ରକମର ଅସୁସ୍ଥତା ଆସି ଯେବେ ସିରିୟସ୍ ହେଇଗଲା, ଡାକ୍ତର ଠିକ୍ ସେଇ ଆଣ୍ଟିବାୟୋଟିକ ବଟିକା ପ୍ରେସକ୍ରାଇବ୍ କରିଦେଲେ । ଆଉ ସେଥିରେ ଶରୀର ସୁସ୍ଥ ହେଲାନାହିଁ । ଭାବିଲେ, କାରଣ କ’ଣ ହେଇପାରେ! ସେଇ ଅସୁସ୍ଥତା, ସେଇ ଔଷଧ । ତାହାର ମାନେ ନୁହେଁ ରୋଗଟା ଖୁବ୍ ଶକ୍ତିଶାଳୀ, କିନ୍ତୁ କାରଣଟି ହେଲା ଔଷଧଟି ହେଇଗଲା ଦୁର୍ବଳ ସେଇ ଅସୁସ୍ଥତା ତୁଳନାରେ । ଛୋଟ ଛୋଟ ସଂକ୍ରମଣରୁ ରକ୍ଷାପାଇବା ପାଇଁ ଯଦି ବାରମ୍ବାର ସେଇ ବଟିକାକୁ ଖାଇଲେ, ଧୀରେ ଧୀରେ ସେହି ସଂକ୍ରମଣକୁ ସୁସ୍ଥ କରିବା ପାଇଁ ଶରୀର ଭିତରେ ଏକରକମର ପ୍ରତିରୋଧ ସୃଷ୍ଟି ହେଇଗଲା । ଏହାକୁ କୁହାଯାଏ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ।

ଆମ ଦେଶରେ ଏହା ହେଇଯାଇଛି ମହାମାରୀ ସଦୃଶ । ଏହା ଏଭଳି ଗମ୍ଭୀର ଅବସ୍ଥାକୁ ଚାଲିଯାଇଛି ଯେ, ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦି ଏଇ ଗତ ରବିବାରର ତାଙ୍କର ଲୋକପ୍ରିୟ ରେଡିଓ ବାର୍ତ୍ତା ‘ମନ୍ କୀ ବାତ୍’ରେ ଏ କଥା କହିଛନ୍ତି ଓ ସତର୍କ କରିଦେଇଛନ୍ତି । ସେ କହିଛନ୍ତି ଆମେ ଭାରତୀୟମାନେ ଗୋଟିଏ ମିଥ୍ ବା ରୂପକଥାରେ ବିଶ୍ୱାସ ରଖୁ ଯେ, ଗୋଟିଏ ପିଲ୍ ଆମର ସବୁ ରକମର ସଂକ୍ରମଣରୁ ଶରୀରକୁ ରକ୍ଷା କରିଦେଇପାରିବ । ଥଣ୍ଡା ହେଲା ଗୋଟିଏ ଆଣ୍ଟିବାୟୋଟିକ ବଟିକା ଗିଳିଦିଅ, ଜ୍ୱର ହେଲା ଆଣ୍ଟିବାୟୋଟିକ ଗିଳିଦିଅ, ପେଟରେ ସଂକ୍ରମଣ, ସାମାନ୍ୟ କାଶ ହେଲା ବା ଗଳାରେ ଖସ୍ଖସ୍ ହେଲା ଆଣ୍ଟିବାୟୋଟିକ ଖାଇ ପକାଅ । କିନ୍ତୁ ସତ୍ୟଟି ହେଲା, ଏଭଳି ଅନେକ ସଂକ୍ରମଣ ହେଲା ଭାଇରସ୍ଜନିତ ବା ଭୂତାଣୁଜନିତ ସଂକ୍ରମଣ ଓ ଏଇ ଆଣ୍ଟିବାୟୋଟିକ ଭୂତାଣୁ ଉପରେ କାମ ଦିଏନି । ଅର୍ଥାତ୍, ଆବଶ୍ୟକ ନଥିବାସ୍ଥଳେ ଏହି ଔଷଧକୁ ବ୍ୟବହାର କଲେ ଏହା ଆମକୁ ସୁସ୍ଥ କରିବା ବଦଳରେ ଆମ ଦେହରେ ଥିବା ସେଇ ମାଇକ୍ରୋବ ବା ଅଣୁଜୀବ ବା ଜୀବାଣୁକୁ ସେ ଟ୍ରେନିଂ ଦିଏ କିପରି ଏଇ ଔଷଧକୁ ପରାସ୍ତ କରାଯାଇପାରିବ । ଏହି ଟ୍ରେନିଂ ଏଭଳି ଭାବରେ ପ୍ରଭାବୀ ହୋଇ କାମ କରୁଛି ଯେ, ଜୀବାଣୁ ଆଉ ଏହି ଔଷଧକୁ ଖାତିର କରୁନାହିଁ ।

ଏବେ ଆମ ଦେହର ଏକ ସର୍ବୋଚ୍ଚ ପ୍ରତିଷ୍ଠାନ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ତାର ନୂତନ ରିପୋର୍ଟରେ ଉଲ୍ଳେଖ କରିଛି, ନିମୋନିଆ ଓ ଆହୁରି କେତେକ ରୋଗ ବିରୁଦ୍ଧରେ ଆଣ୍ଟିବାୟୋଟିକ ଅତି ଦୁର୍ବଳ ସାବ୍ୟସ୍ତ ହେଇଯାଇଚି । ଏହା ଆମ ସମସ୍ତଙ୍କ ପାଇଁ ଖୁବ୍ ଚିନ୍ତାଜନକ । ଏହାର ମୂଳ କାରଣ ହେଲା, ଆମ ଦେଶର ଲୋକମାନେ କିଛି ବିଚାର ନକରି ଆଣ୍ଟିବାୟୋଟିକ ସେବନ କରିପକାଉଛନ୍ତି । ଆଣ୍ଟିବାୟୋଟିକ ଏପରି ଔଷଧ ନୁହେଁ ଯାହାକୁ ଆମେ ଏମିତି ସେବନ କରିପାରିବା ଡାକ୍ତରଙ୍କ ପରାମର୍ଶ ବିନା । ଏହା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମଗ୍ର ବିଶ୍ୱରେ ପ୍ରତିବର୍ଷ ୧.୨ ନିୟୁତ ବା ୧୭ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ଏଇ କାରଣରୁ ବା ପ୍ରତିଦିନ ୩୧୬୫ ଜଣଙ୍କର ମୃତ୍ୟୁ ଏଇ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ଯୋଗୁଁ । ଆମ ଦେଶରେ ୩୫୦୦ ଜଣଙ୍କ ମୃତ୍ୟୁ ପ୍ରତିଦିନରେ । ୨୦୧୯ ମସିହାରେ ମୃତ୍ୟୁବରଣ କରିଛନ୍ତି ୩ଲକ୍ଷ ଲୋକ ଆମ ଦେଶରେ । ସମଗ୍ର ବିଶ୍ୱରେ ଆମ ଦେଶରେ ହେଉଛି ସବୁଠାରୁ ଅଧିକ ଆଣ୍ଟିବାୟୋଟିକ ବ୍ୟବହାର ।

ଏକ ରିପୋର୍ଟରେ ପ୍ରକାଶ ପାଇଛି, ଆମ ଦେଶରେ ୮୩% ଲୋକଙ୍କ ଶରୀରରେ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ରହିଛନ୍ତି । ଏନସିଡିସି’ର ଏକ ସର୍ବେକ୍ଷଣ ଅନୁସାରେ, ପ୍ରକୃତ ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକର ବ୍ୟବହାର ମାତ୍ର ୪୫% ହସପିଟାଲମାନଙ୍କରେ । କିନ୍ତୁ ଆଉ ୫୫% ଲୋକଙ୍କୁ ଆଣ୍ଟିବାୟୋଟିକ ଖାଇବା ପାଇଁ ହସପିଟାଲମାନେ ପରାମର୍ଶ ଦେଇଥାନ୍ତି କେବଳ ପ୍ରିଭେଣ୍ଟିଭ ଇଣ୍ଡିକେସନରେ, ଅର୍ଥାତ୍ ସଂକ୍ରମଣ ହେବାର ସମ୍ଭାବନା ଥିବା ଯୋଗୁଁ । ଏନସିଡିସି ହେଲା- ନାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ । ଏହାର ଅର୍ଥ ହେଲା ଯେ, ଘର ଭିତରେ ସୋଫାରେ ହେଲମେଟ ପିନ୍ଧି ବସିବା । ଏହା ନିଶ୍ଚିତ ନିରାପଦ । ହୁଏତ ଫ୍ୟାନ ଘୂରୁଘୂରୁ କାଳେ ଖସିପଡ଼ିବ ବା ଛାତ ଅକସ୍ମାତ୍ ଭାଙ୍ଗି ପଡ଼ିବ । କିନ୍ତୁ ଏହା କ’ଣ ଆବଶ୍ୟକ! ଆଦୌ ନୁହେଁ । ନିଜକୁ ଗୋଟିଏ ରୋଗ ହେବାର ସମ୍ଭାବନା ଅଛି ବୋଲି ଭାବି ଆଣ୍ଟିବାୟୋଟିକ ଖାଇନେବା କ’ଣ ଠିକ୍? କିନ୍ତୁ ଏଇ ୫୫% ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ ଡାକ୍ତରମାନେ ପରାମର୍ଶ ଦେଇନଥାନ୍ତି । କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ ଏକ ପରୀକ୍ଷାମୂଳକ ସର୍ବେକ୍ଷଣ ଜରିଆରେ ପ୍ରକାଶ କରିଛନ୍ତି ଯେ, ସର୍ଭେ ହୋଇଥିବା ମେଡିସିନ ଷ୍ଟୋରଗୁଡ଼ିକରୁ ୮୦%ରୁ ଊଦ୍ଧ୍ୱର୍ କ୍ଷେତ୍ରରେ ଦେଖାଯାଇଛି ଡାକ୍ତର ବିନା ପ୍ରେସକ୍ରିପ୍ସନରେ କାଉଣ୍ଟରଗୁଡ଼ିକରେ ଆଣ୍ଟିବାୟୋଟିକ ଔଷଧ ବିକ୍ରି ଚାଲିଛି । ଏହା ବିପଜ୍ଜନକ ତଥ୍ୟ । ଅର୍ଥାତ୍ ଯେପରି ପରାସିଟାମଲ ଭାବେ ସେମାନେ ବିକ୍ରି କରୁଛନ୍ତି ଆଣ୍ଟିବାୟୋଟିକ ଡ୍ରଗ୍ସଗୁଡ଼ିକୁ ।

ଏକ ସାକ୍ଷାତକାରରେ ଆମ ଦେଶର ଜଣେ ପ୍ରସିଦ୍ଧ ହାର୍ଟ ସର୍ଜନ ପ୍ରକାଶ କରିଛନ୍ତି ଯେ, ସେ ଭାରତରେ ହାର୍ଟ ସର୍ଜରୀ ୩୬ବର୍ଷ ଧରି କରିଆସୁଛନ୍ତି । ପ୍ରଥମ ୧୫ବର୍ଷ ଧରି ଥିଲା ତାଙ୍କର ବେଷ୍ଟ ପିରିୟଡ, କାରଣ ସେତେବେଳେ କୌଣସି ହାର୍ଟ ଅପରେସନ ପରେ ତାହା ଯେତେ ସିରିୟସ ହେଉନା କାହିଁକି, ମାତ୍ର ଦୁଇଦିନ ସେଇ ରୋଗୀକୁ ଆଣ୍ଟିବାୟୋଟିକ ଦିଆଯାଉଥିଲା, ତା’ପରେ ବନ୍ଦ କରିଦିଆଯାଉଥିଲା । ସେତିକି ଥିଲା ଯଥେଷ୍ଟ ତାକୁ ସୁସ୍ଥ କରିବା ପାଇଁ । ସେତେବେଳେ ପରେ ପରେ ଯେ ଗମ୍ଭୀର ସଂକ୍ରମଣ ହୋଇଯିବ ଏହା ମନରେ ନଥିଲା, କାରଣ କାହାକୁ ସେପରି ହେଉନଥିଲା । ମାତ୍ର ଗତ ୧୦ବର୍ଷ ଭିତରେ ସବୁ ବଦଳି ଯାଇଛି । ଗୋଟିଏ ହାର୍ଟ ଅପରେସନ ପରେ ସଂକ୍ରମଣ ପାଇଁ ଭୟ ରହୁଛି । ସଂକ୍ରମଣ ହେଲେ ତାର ଉପଚାର ଅଛି । କିନ୍ତୁ ଯେଉଁ ସଂକ୍ରମଣ ସାଧାରଣ ଆଣ୍ଟିବାୟୋଟିକ ସେବନରେ ଚାଲିଯାଉଥିଲା ତାହା ଏବେ ହେଉନାହିଁ । ତା’ଠାରୁ ଶକ୍ତିଶାଳୀ ଆଣ୍ଟିବାୟୋଟିକ ବ୍ୟବହାର କରିବାକୁ ପଡ଼ୁଛି । କାରଣ, କ’ଣ ହୋଇପାରେ? କେବଳ ଏଇ କ୍ଷେତ୍ରରେ ନୁହେଁ, ସବୁ ରକମର ସର୍ଜରୀରେ ଏହା ହିଁ ଘଟୁଛି । ଏକମାତ୍ର କାରଣ ଅନିୟନ୍ତ୍ରିତ ବ୍ୟବହାର ଏଇ ଆଣ୍ଟିବାୟୋଟିକ ଔଷଧର । ହୁଏତ ପ୍ରଶ୍ନ ଉଠିପାରେ । ଅସୁବିଧା କ’ଣ? ନୂତନ ଆଣ୍ଟିବାୟୋଟିକ ତିଆରି ହେବ ରୋଗର ଚିକିତ୍ସା ପାଇଁ ।

ଏଠାରେ ଉଲ୍ଲେଖନୀୟ, ବିଗତ ଅନେକ ବର୍ଷ ମଧ୍ୟରେ କୌଣସି ଗୋଟିଏ ହେଲେ ନୂଆ ଆଣ୍ଟିବାୟୋଟିକ ତିଆରି କରାଯାଇପାରିନାହିଁ । କାରଣ କୌଣସି ଗୋଟିଏ ଆଣ୍ଟିବାୟୋଟିକ ତିଆରି ପାଇଁ ଲାଗିଯାଏ ଅନେକ ବର୍ଷ ପ୍ରସ୍ତୁତିରୁ ଆରମ୍ଭ କରି ମଣିଷ ପାଇଁ ବ୍ୟବହାର ଉପଯୋଗୀ କରିବା ପର୍ଯ୍ୟନ୍ତ । ଅନେକ ପରୀକ୍ଷା କରାଇବାକୁ ପଡ଼େ ଅତି କ୍ଷୁଦ୍ର ଜୀବଠାରେ, ପରୀକ୍ଷଣରୁ ଆରମ୍ଭ କରି ମଣିଷ ଶରୀର ପର୍ଯ୍ୟନ୍ତ । ଏଥିପାଇଁ ଖର୍ଚ୍ଚହୁଏ କୋଟି କୋଟି ଡଲାରର ଅର୍ଥରାଶି । ଯଦିବି ବିଜ୍ଞାନ ଗବେଷଣାରୁ ପ୍ରସ୍ତୁତି ହୋଇଯାଏ, ତଥାପି ଯେଉଁପରି ଭାବରେ ଆମେ ଆଣ୍ଟିବାୟୋଟିକ ବ୍ୟବହାର କରୁଛନ୍ତି ଖୁବ୍ଶୀଘ୍ର ସେହି ଔଷଧ ତା’ର ସାମର୍ଥ୍ୟ ହରାଇବ ଓ ଜୀବାଣୁ ଅଧିକ ଶକ୍ତିଶାଳୀ ହୋଇଉଠିବେ ଏହାର ପ୍ରଭାବକୁ ପ୍ରତିହତ କରିବା ପାଇଁ । ଏପରି ଅନେକ ସୁପର ବଗ୍ ଠାବ କରାଗଲାଣି ।

ବ୍ୟାକ୍ଟେରିଆଗୁଡ଼ିକ ଅତ୍ୟନ୍ତ କ୍ଷୁଦ୍ର । କିନ୍ତୁ ଅବାଧ୍ୟ, ଜିଦ୍ଖୋର, ଅନମନୀୟ । ତାଙ୍କ ଉପରେ ଯଦି ଆଣ୍ଟିବାୟୋଟିକର ପ୍ରହାର ବାରମ୍ବାର ହୁଏ, ସେଥିରୁ କିଛି ମରିଯାନ୍ତି । କିଛି ବି ବଞ୍ଚନ୍ତି । ଯେଉଁମାନେ ବଞ୍ଚନ୍ତି ସେମାନେ ଅନ୍ୟମାନଙ୍କୁ ଶିଖାନ୍ତି କିପରି ବଞ୍ଚିବାକୁ ହୁଏ । ଆଉ ଏଇ ବ୍ୟାକ୍ଟେରିଆ ସେବେ ନିଜର ସଂଖ୍ୟା ବୃଦ୍ଧି କରିଚାଲନ୍ତି । ତେଣୁ ଯେତେବେଳେ ଶରୀର ସତକୁ ସତ ଆଣ୍ଟିବାୟୋଟିକ ଆବଶ୍ୟକ କରେ, ଏମାନେ ତା’ର ପ୍ରତିରୋଧ କରନ୍ତି ଓ ଔଷଧକୁ ଜୟ କରିନିଅନ୍ତି, ଅର୍ଥାତ୍ ଔଷଧ ଫେଲ୍ ମାରେ । ଏ ତ ଗୋଟେ କଥା । ଆମ ଦେଶରେ ପଶୁମାନଙ୍କୁ ବିଶେଷ ଭାବରେ କୃଷିକର୍ମରେ ନିୟୋଜିତ ପଶୁମାନଙ୍କୁ ମଧ୍ୟ ଆଣ୍ଟିବାୟୋଟିକ ଦିଆଯାଏ । ଫଳରେ ଏହି ଔଷଧଗୁଡ଼ିକ ମାଟିରେ ମିଶେ, ଜଳରେ ମିଶେ । ଶେଷରେ ଆସିଯାଏ ଆମରି ଖାଦ୍ୟଶୃଙ୍ଖଳକୁ । ଆମ ଦେଶରେ ଅଧିକାଂଶ ସ୍ଥାନରେ ଅତ୍ୟନ୍ତ ଦୁର୍ବଳ ସାନିଟେସନ ବା ପରିଚ୍ଛନ୍ନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା ରହିଛି । ପରିଷ୍କାର ପାନୀୟଜଳକୁ ସୀମିତ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି, ସମସ୍ତେ ତାହା ପାଉନାହାଁନ୍ତି, ହସପିଟାଲଗୁଡ଼ିକରେ ଡାକ୍ତରଙ୍କ ତୁଳନାରେ ବହୁସଂଖ୍ୟକ ରୋଗୀଙ୍କର ଭିଡ଼ ଦୃଶ୍ୟମାନ ହେଉଛି । ଏହାରି ଯୋଗୁଁ ପ୍ରଦୂଷିତ ଜଳ, ପ୍ରଦୂଷିତ ମୃତ୍ତିକା ବାୟୁ ପ୍ରଦୂଷଣକୁ ବୃଦ୍ଧି କରିଚାଲିଛି । ଏସବୁଗୁଡ଼ିକ ମିଶିଯିବା ଫଳରେ ଏକ ନିଖୁଣ ପ୍ରଶିକ୍ଷଣ ସ୍ଥଳ ସୃଷ୍ଟି ହୋଇଯାଉଛି ବ୍ୟାକ୍ଟେରିଆ ବୃଦ୍ଧି ଘଟିବାର ଓ ଆଣ୍ଟିବାୟୋଟିକ୍ସ ପ୍ରତି ରେଜିଷ୍ଟାନ୍ସ ସୃଷ୍ଟି କରିବାର ।

ତେବେ ଏହାର ସମାଧାନ କ’ଣ ହୋଇପାରେ । ଏଇ ସଙ୍କଟ ସୃଷ୍ଟି କରିଚାଲିଛି ମଣିଷ । ସେଇ ମଣିଷ ଇଚ୍ଛା କଲେ ଏହି ସଙ୍କଟର ସମାଧାନ କରିପାରିବ । ଏହି ସମାଧାନର ପଥ ଅତ୍ୟନ୍ତ ସହଜ, ସରଳ । ପ୍ରଥମତଃ ଆଣ୍ଟିବାୟୋଟିକ ଔଷଧଗୁଡ଼ିକୁ ମୁଢ଼ି, ଚୁଡ଼ା ଭାବି ଖାଇବା ବନ୍ଦ କରିବା ଉଚିତ । ସାଧାରଣ ପାରାସିଟାମଲ ବା ଆଣ୍ଟାସିଡ ଭଳି ଖାଇନେଲେ ହେବନାହିଁ । ଦ୍ୱିତୀୟତଃ, ଯଦି କୌଣସି ଗୁରୁତର ସଂକ୍ରମଣ ପାଇଁ ଡାକ୍ତର ଆଣ୍ଟିବାୟୋଟିକ ଦେଇଛନ୍ତି ତା’ର ସଂପୂର୍ଣ୍ଣ କୋର୍ସ ଖାଇ ଶେଷ କରିବା ଆବଶ୍ୟକ । ମଝିରୁ ବନ୍ଦ କରିଦେଲେ ଏହା ଆଉ ଏକ ସୁପର ବଗ୍ ସୃଷ୍ଟି କରିଦବ, ଯାହାପାଇଁ ଆହୁରି ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ସ ଦରକାର ପଡ଼ିବ । ତୃତୀୟତଃ, ମେଡିସିନ କମ୍ପାନୀଗୁଡ଼ିକ ଏହି ଆଣ୍ଟିବାୟୋଟିକ୍ସ ବିକ୍ରି ଉପରେ କଟକଣା ଲଗାଇବା ଆବଶ୍ୟକ । ଡାକ୍ତରଙ୍କ ପ୍ରେସକ୍ରିପ୍ସନ ବିନା ଏହା କାହାକୁ ବିକ୍ରି କରାଯାଇ ପାରିବନାହିଁ । ଏଥିପାଇଁ ସରକାରଙ୍କ ଦୃଷ୍ଟିଭଙ୍ଗୀ କଠୋର ହେବା ଆବଶ୍ୟକ । ମେଡିସିନ ଷ୍ଟୋରଗୁଡ଼ିକୁ ବାରମ୍ବାର ଚେକ୍ କରାଯାଇ ଆଇନ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ବିଶେଷ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ଆବଶ୍ୟକତା ରହିଛି । ସର୍ବୋପରି ଜନସାଧାରଣଙ୍କ ମଧ୍ୟରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ବାବଦରେ ସଚେତନତା ସୃଷ୍ଟି କରାଯିବା ନିହାତି ଜରୁରି । ସାଧାରଣ ଲୋକେ ଏହାର କୁପରିଣାମ ଜାଣିଲେ ସହଜରେ ସତର୍କ ହୋଇପାରିବେ ।