ଫୁଲବାଣୀ,୦୩/୦୩: ପେସାରେ ଶିକ୍ଷୟିତ୍ରୀ, ନିଶା ପରିବେଶ ସୁରକ୍ଷା । ଦିନକୁ ଅତି କମ୍ରେ ଗୋଟେ ଗଛ ଲଗାନ୍ତି ସେ । ସ୍କୁଲ ବାହାରେ ଟିକେ ସମୟ ମିଳିଲେ ପରିବେଶ ସୁରକ୍ଷା ସଚେତନତା ନେଇ କାମ କରନ୍ତି । ସେ ହେଲେ ଟିକାବାଲି ବ୍ଲକ୍ ସରକାରୀ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ତନୁରେଖା ନାୟକ । ହେଲେ ତାଙ୍କୁ ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଡାକନ୍ତି ଫୁଲ ଦିଦି । ପରିବେଶ ବଞ୍ଚାଇ ରଖିବା ପାଇଁ ତାଙ୍କର ଆଗ୍ରହ ଓ ପ୍ରୟାସ କାରଣରୁ ତାଙ୍କୁ ଏହି ଶ୍ରଦ୍ଧାଭରା ନାମ ମିଳିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହାକୁ ବଜାୟ ରଖିବା ପାଇଁ ଅଣ୍ଟା ଭିଡ଼ି ଆଗକୁ ଆସିଛନ୍ତି ତନୁରେଖାଙ୍କୁ ଜଣେ ପ୍ରକୃତିପ୍ରେମୀ ମହିଳା ଭାବେ ଅଞ୍ଚଳବାସୀ ଚିହ୍ନନ୍ତି ।
ସ୍କୁଲ କାର୍ଯ୍ୟ ସହିତ ପ୍ରତିଦିନ ଅନ୍ତତଃ ଗୋଟିଏ ଗଛ ଲଗାଇବା, ପରିବେଶକୁ ସବୁଜ ସୁନ୍ଦର କରି ରଖିବା ନେଇ ଜନସଚେତନତା ସୃଷ୍ଟି କରିବା ତାଙ୍କର ମୁଖ୍ୟ ନିଶା । ନିଜେ ଚାରାରୋପଣ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଅଞ୍ଚଳରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଲୋକଙ୍କୁ ମାଗଣାରେ ଚାରା ବାଣ୍ଟିଥାନ୍ତି । ଗତ ୧୦ ବର୍ଷ ହେଲା ସେ ଚାରାରୋପଣ କରିବା ସହ ଲୋକଙ୍କୁ ସଚେତନ କରି ଆସୁଛନ୍ତି । ବର୍ଷକୁ ପ୍ରାୟ ୫୦୦ ଚାରାରୋପଣ କରୁଥିବା କହିଛନ୍ତି ତନୁରେଖା । ନିଜ ପାଖରୁ ପ୍ରଥମେ ଏହି ପ୍ରୟାସ ଆରମ୍ଭ କରିଥିଲେ ସେ । ସ୍କୁଲ ପରିବେଶକୁ ସବୁଜିମାମୟ କରିବା ସହ ସମଗ୍ର ଟିକାବାଲି ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ।
ଆହୁରି ପଢନ୍ତୁ- ହୋଲି ସେଲିବ୍ରେସନ ପୂର୍ବରୁ ସତର୍କ କଲା ପୁଲିସ, ଆଇନକୁ ହାତକୁ ନେଲେ ଉଠାଇନେବେ...
ଝିଅ ବାହାଘର ବେଳେ କନ୍ୟା ଦାନ ସହ ଚାରାଟିଏ ପ୍ରଦାନ କରିବା, ଯାନିଯାତ୍ରା ବା ଗୀତା ଯଜ୍ଞରେ ସମସ୍ତଙ୍କୁ ଚାରା ପ୍ରଦାନ, ମାତୃ ଭାଷା ଦିବସ ହେଉ କି ବନ ମହୋତ୍ସବ ଲୋକଙ୍କୁ ସେ ଚାରା ବାଣ୍ଟି ନିଜ ଘର, କାର୍ଯ୍ୟସ୍ଥଳକୁ ସବୁଜ କରିବାକୁ ପ୍ରେରଣା ଦେଇ ଆସୁଛନ୍ତି ତନୁରେଖା । ସେଥିପାଇଁ ନିଜ ସ୍କୁଟିରେ ବି ସେ ଲେଖିଛନ୍ତି- ବୃକ୍ଷ ହିଁ ଜୀବନ, ମାଗଣା ଚାରା ବଣ୍ଟନ । ଚାରାରୋପଣ ଓ ବଣ୍ଟନ ବ୍ୟତୀତ ପ୍ରକୃତି ଅନୁକୂଳ ପରିବେଶ ସୃଷ୍ଟି ସକାଶେ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି ଶିକ୍ଷୟିତ୍ରୀ ତନୁରେଖା । ଚାହା ଦୋକାନୀମାନଙ୍କୁ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ବ୍ୟବହାର ନକରିବାକୁ ଓ କନା ବ୍ୟାଗ୍ ବ୍ୟବହାର କରିବାକୁ ଅନୁରୋଧ ତଥା ସଚେତନ କରିବା ତାଙ୍କର ନିତିଦିନିଆ କାମ । ହାଟ, ପୋଖରୀ କୂଳ ସଫାସୁତରା ରଖୁବା, ପଶୁପକ୍ଷୀମାନଙ୍କ ସେବା ଆଦି ସମାଜ କଲ୍ୟାଣ କାର୍ଯ୍ୟ ଦିଗରେ ମଧ୍ୟ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଛୁଟି ଦିନ ମାନଙ୍କରେ ଗ୍ରାମର ଲୋକମାନଙ୍କୁ ଏକତ୍ରିତ କରି ପାହାଡ଼ରେ ଗଛ ଲଗାଇବାକୁ ସେ ଏକ ଅଭିଯାନ ଭଳି ଗ୍ରହଣ କରି ଆସିଛନ୍ତି । ପରିବେଶ ଓ ଜଙ୍ଗଲ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରି ଆସୁଥିବା ଶିକ୍ଷୟିତ୍ରୀ ତନୁରେଖା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ପାଲଟି ଯାଇଛନ୍ତି ।