ଭୁବନେଶ୍ଵର, ୦୧/୦୪ : ହାକିମ ହେଉକି ପିଅନ। ସମସ୍ତଙ୍କର ସମ୍ମାନ ଅଛି। କୌଣସି କାମ ଛୋଟ କିମ୍ଵା ବଡ଼ ନୁହେଁ। ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିଲେ ବି ସେ ସମ୍ମାନର ହକଦାର। ରାଜ୍ୟ ପରିବହନ ‎ପ୍ରାଧିକରଣରେ କାର୍ଯ୍ୟରତ ପିଅନ ମାତାଲ୍ ସୋରେନ୍ ଦୀର୍ଘ ୩୮ ବର୍ଷ ଧରି ସେବା ଯୋଗାଇବା ପରେ ଅବସର ନେଇଛନ୍ତି। ଆଉ ତାଙ୍କ ଅବସର ଦିନରେ ପରିବହନ କମିସନର ଅମିତାଭ ଠାକୁର ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ମାତାଲ୍ ସୋରେନ୍ ଙ୍କୁ ପାଖରେ ପସାଇ ମଧ୍ୟାହ୍ନ ଭୋଜନ କରିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।  

​​​​​​​

୧୯୮୭ ମସିହାରେ ଏସଟିଏରେ ମାତାଲ୍ ସୋରେନ୍ ପିଅନ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କର ଚାକିରି ଜୀବନ ଏସଟିଏରୁ ଆରମ୍ଭ ହୋଇଥିଲା ଏବଂ ଏଇଠୁ ହିଁ ସେ ବିଦାୟ ନେଇଛନ୍ତି। ଅଫିସ ପ୍ରତି ତାଙ୍କ ଜୀବନର ଏତେ ବର୍ଷ ସେବା ସମର୍ପଣ ଭାବ ପାଇଁ ପରିବହନ ‎କମିସନର ବିଦାୟ ସମ୍ବର୍ଦ୍ଧନା ପାଇଁ ନିଷ୍ପତ୍ତି ନେଇଥିଲେ। ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଚୌକି ପାଖରେ ମାତାଲଙ୍କ ଚୌକି ପକାଇବାକୁ କହିଥିଲେ । ‎ଏହା ଶୁଣି ମାତାଲ୍ ପଛେଇ ପଛେଇ ରହିଥିଲେ । ହେଲେ ଅମିତାଭ ତାଙ୍କୁ ପାଖକୁ ଡାକି ବସାଇଥିଲେ । ମାତାଲଙ୍କ ‎ନିଷ୍ଠାପର ସେବାକୁ ବି ମନେ ପକାଇଥିଲେ। ଏସବୁ ଦେଖି ବେଶ୍ ଭାବବିହ୍ୱଳ ହୋଇଯାଇଥିଲେ ମାତାଲ୍ । ଏପିରିକି ତାଙ୍କୁ ‎ମଧ୍ୟ ନିଜ କଥା ରଖିବାକୁ ପରିବହନ କମିସନର କହିଥିଲେ । ତାଙ୍କୁ ମିଳିଥିବା ସମ୍ମାନ କଥା ସେ କେବେ ବି ସ୍ୱପ୍ନରେ ବି ଭାବି ‎ନ ଥିଲେ। ଏଥିପାଇଁ ସେ ପରିବହନ କମିସନରଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ‎ଏସଟିଏର ଅଧିକାରୀମାନେ ମାତାଲଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ଉପହାର ପ୍ରଦାନ କରିଥିଲେ। ଚାକିରି ଜୀବନର ଶେଷ ଦିନରେ ମାତାଲଙ୍କ ସମ୍ମାନରେ ତାଙ୍କୁ ପାଖରେ ବସାଇ କମିସନରଙ୍କ ସମେତ ସମସ୍ତ ‎ଅଧିକାରୀ ସାଥୀରେ ମଧ୍ୟାହ୍ନ ଭୋଜନ କରିଥିଲେ। ମାତାଲଙ୍କ ଆଖିରେ ଖୁସିର ଲୁହ ଥିଲା । ଯାହାକି ସେଠାରେ ଉପସ୍ଥିତ ସମସ୍ତଙ୍କୁ ‎ଭାବବିହ୍ୱଳ କରିଥିଲା।  ‎

ଏହି ଖବରଟିକୁ ପଢନ୍ତୁ- ରାତି ଅଧରେ ବିଧାନସଭା ମୁଲତବୀ ଘୋଷଣା: ଆକସ୍ମିକ ବନ୍ଦକୁ ନେଇ ବର୍ଷିଲା ବିଜେଡି