ଭୁବନେଶ୍ୱର,୦୭/୦୧: ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ରାଜ୍ୟ  ସଂଗ୍ରହାଳୟ ସବୁ ଦିଗରୁ ପ୍ରସ୍ତୁତ । ସଂଗ୍ରହାଳୟ ବଗିଚା ଠାରୁ ଆରମ୍ଭ କରି କୋଠା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଳେବର ରଙ୍ଗିନ  ହୋଇଯାଇଛି । ଦର୍ଶକ ଓ ପ୍ରବାସୀ ଭାରତୀୟ  ଅତିଥିଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଧିକ ଆକର୍ଷଣୀୟ କରିବା ଲାଗି ନୂଆ ସାଂସ୍କୃତିକ ଓ  ଐତିହାସିକ ଦ୍ରବ୍ୟର ପ୍ରଦର୍ଶନ କରାଯାଇଛି ।  

ସଂଗ୍ରହାଳୟର ମୁଖ୍ୟ ପ୍ରବେଶ ଦ୍ୱାରକୁ ଅତିକ୍ରମ କରିବା ମାତ୍ରେ ଏକ ଅଲଗା  ଅନୁଭୂତି ପାଇବେ । ପ୍ରବେଶ କକ୍ଷକୁ  ଶୀତତାପ ନିୟନ୍ତ୍ରିତ କରାଯାଇ କାନ୍ଥଗୁଡିକୁ  ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜେସନ କରାଯାଇଛି ।  ସେହିଠାରେ ଠିଆ ହୋଇ ଓଡ଼ିଶାର  ସାଂସ୍କୃତିକ, ଐତିହାସିକ, ଐତିହ୍ୟସ୍ଥଳୀ  ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀର  ଚିତ୍ର ଦେଖିବାକୁ ମିଳିବ । ତାହା ସହିତ  ସଂଗ୍ରହାଳୟର ପ୍ରତି ଗ୍ୟାଲେରୀରେ  ଥିବା ପ୍ରାଚୀନ ଉପକରଣଗୁଡିକ ମଧ୍ୟ ଦେଖିପାରିବେ । ଓଡ଼ିଶୀ ସଙ୍ଗୀତ,  ପାରମ୍ପରିକ, ଦେଶୀୟ ନୃତ୍ୟ ମଧ୍ୟ ଏହି  ଡିଜିଟାଲ ସ୍କ୍ରିନ୍‌ରେ ପରିବେଷଣ କରାଯିବ। ଦର୍ଶକଙ୍କ ପାଇଁ ଐତିହାସିକ ଓ  ସାଂସ୍କୃତିକ ପ୍ରାଚୀନ ଜିନିଷର ପ୍ରଦର୍ଶନ  କରାଯାଇଛି । ତାହା ମଧ୍ୟରେ ରହିଛି  ବିକ୍ରମ-ବେତାଳର ସ୍ୱୟଂଚାଳିତ ମୂର୍ତ୍ତି ।  

ଦର୍ଶକ ଏହି ଠାରେ ରାଜ୍ୟ ସଂଗ୍ରହାଳୟ  ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ବେତାଳକୁ  ପଚାରିଲେ, ବିକ୍ରମ ତାହାର ଉତ୍ତର  ଦେଉଛନ୍ତି । ବେତାଳ ଉତ୍ତର ଶୁଣି ସାରିଲା  ପରେ ବିକ୍ରମାଦିତ୍ୟଙ୍କ କାନ୍ଧରୁ ଓହ୍ଲାଇ  ଗଛ ଉପରକୁ ଚଢ଼ିଯାଉଛି । ଏହି ଦୃଶ୍ୟ  ବିଶେଷ କରି ପିଲାମାନଙ୍କୁ ଆକର୍ଷିତ  କରିବ। ରାଜ୍ୟ ସଂଗ୍ରହାଳୟକୁ ଆକର୍ଷଣୀୟ  କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ  ସବୁ ପ୍ରକାର ଉଦ୍ୟମ ଜାରି ରହିଛି । 

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରାଚୀନ  କାଳରେ ବ୍ୟବହୃତ ଦେଶୀୟ ଓ ପାରମ୍ପରିକ  ବାଦ୍ୟଯନ୍ତ୍ର, ବେଶଭୂଷା, ଅଳଙ୍କାର,  ଅସ୍ତ୍ରଶସ୍ତ୍ର ଆଦି ପ୍ରଦର୍ଶିତ କରାଯାଇଛି।  ଏସବୁ ଜିନିଷ ଭୂତଳ କକ୍ଷରେ ରଖାଯାଇଛି ।  ତାହା ଉପରେ କାଚ ଖଞ୍ଜା ଯାଇଛି । ଉକ୍ତ  କାଚ ଉପରେ ଦର୍ଶକମାନେ ଚାଲିବୁଲି ଏହି  ପ୍ରାଚୀନ ଜିନିଷଗୁଡିକ ଦେଖିପାରିବେ ।  

ଏହିପରି ୯ଟି ନୂତନ ଗ୍ୟାଲେରୀ  ତିଆରି ସରିଛି । ଏହି ଗ୍ୟାଲେରୀଗୁଡ଼ିକ  ମଙ୍ଗଳବାର ସକାଳ ସାଢ଼େ ୧୧ଟା ସମୟରେ  ଉଦ୍‌ଘାଟିତ ହେବ । ଆସନ୍ତା ୮ ଜାନୁଆରୀରୁ  ସଂଗ୍ରହାଳୟ ପରିସର ବଗିଚାରେ ଦିନ  ୧୧ରୁ ୪ଟା ପର୍ଯ୍ୟନ୍ତ ଲୋକକଳା ଉତ୍ସବ  ଅନୁଷ୍ଠିତ ହେବ । ରାଜ୍ୟର ପ୍ରସିଦ୍ଧ  କଳାକୁ ପ୍ରତିଷ୍ଠିତ କଳାକାରମାନେ  ପରିବେଷଣ କରିବେ । ଯେଉଁଥିରେ  ସମ୍ବଲପୁରୀ ନୃତ୍ୟଠୁ ନେଇ ଚଇତି  ଘୋଡ଼ା, ବାଦ୍ୟ ସଙ୍ଗୀତ, ଦାସକାଠିଆ,  ଗୋଟିପୁଅ, ଛଉ, ରଣପା, ସଖୀ ନାଚ,  ତେଲିଙ୍ଗି ବାଜା ପରିବେଷିତ ହେବ।