ନୂଆଦିଲ୍ଲୀ,୧୯।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ କାରଣରୁ ସେୟାର ବଜାରରେ ପ୍ରବଳ କ୍ଷତି ଦେଖିବାକୁ ମିଳିଛି। ସପ୍ତାହର ଚତୁର୍ଥ କାରବାର ଦିନ ବିଏସ୍ଇ ସେନସେକ୍ସ ପ୍ରାୟ ୨୫୦୦ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଛି। ସେଭଳି ଏନ୍ଏସ୍ଇର ନିଫ୍ଟି ୫୦ ପଏଣ୍ଟ ହ୍ରାସ ପାଇ ୨୩,୧୦୦ ପଏଣ୍ଟ ତଳକୁ ଖସି ଆସିଛି। ଏହି ହ୍ରାସ ଭିତରେ ଏଚ୍ଡିଏଫ୍ସି ବ୍ୟାଙ୍କର ସେୟାରରେ ପ୍ରାୟ ୫% ହ୍ରାସ ଦେଖିବାକୁ ମିଳିଛି।
ସେୟାର ବଜାରରେ ଏହି ହ୍ରାସ ଏଭଳି ସମୟରେ ଦେଖିବାକୁ ମିଳିଛି ଯେତେବେଳେ ଇରାନ ଉପରେ ତାଜା ଆକ୍ରମଣ ହୋଇଥିଲା। ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଇବା କାରଣରୁ ସେନସେକ୍ସ ଓ ନିଫ୍ଟି ଉଭୟ ୩% ରୁ ଅଧିକ ହ୍ରାସ ପାଇଛି। ବିଏସ୍ଇର ସେନସେକ୍ସ ୨,୪୯୬.୮୯ ପଏଣ୍ଟ ହ୍ରାସ ପାଇ ୭୪,୨୦୭.୨୪ ରେ ବନ୍ଦ ହୋଇଛି। ସେଭଳି ନିଫ୍ଟି ୫୦ ବି ୭୭୫ ପଏଣ୍ଟ ହ୍ରାସ ପାଇ ୨୩,୦୦୨.୧୫ ସ୍ତରରେ ଆସି ଯାଇଥିଲା। ଏହା ସହ ଦିନକରେ ନିବେଶକ ହରାଇଛନ୍ତି ୧୧.୫ ଲକ୍ଷ କୋଟି ଟଙ୍କା।
ବଜାର ବନ୍ଦ ହେଉ ହେଉ ସେନସେକ୍ସର ସବୁ ସେୟାର ଲାଲ ଚିହ୍ନକୁ ଚାଲିଆସିଥିଲା। ସବୁଠାରୁ ଅଧିକ ହ୍ରାସ ଏଟରନାଲ ସେୟାରରେ ଦେଖାଯାଇଥିଲା। ଯାହାକି ୫.୬୫ % ହ୍ରାସ ଘଟିଛି। ଏହାପରେ ବଜାବ ଫିନସର୍ଭ ୫.୪୨% ପର୍ଯ୍ୟନ୍ତ ହ୍ରାସ ପାଇଛି। ସେଭଳି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ୫.୨୫ % ଏଚଡିଏଫ୍ସି ବ୍ୟାଙ୍କରେ ୫.୧୩% ଓ ଲାର୍ସନ ଆଣ୍ଡ ଟୁବ୍ରୋର ସେୟାରରେ ୪.୭୨% ହ୍ରାସ ରେକର୍ଡ କରାଯାଇଛି। ଦିନକ ପୂର୍ବରୁ ଅର୍ଥାତ ବୁଧବାର ଘରୋଇ ସେୟାର ବଜାରରେ ଦ୍ରୁତ ଗତି ଦେଖିବାକୁ ମିଳିଥିଲା। ବିଏସ୍ଇ ସେନସେକ୍ସ ୬୩୩.୨୯ ପଏଣ୍ଟ ଅର୍ଥାତ ୦.୮୩ % ବଢିକି ୭୬,୭୦୪.୧୩ ପଏଣ୍ଟରେ ବନ୍ଦ ହୋଇଯାଇଥିଲା। ସେଭଳି ଏନ୍ଏସ୍ଇ ନିଫ୍ଟି ୧୯୬.୬୫ ପଏଣ୍ଟ ଅର୍ଥାତ ୦.୮୩% ବଢି ୨୩,୭୭୭.୮୦ସ୍ତରରେ ପହଁଞ୍ଚି ଯାଇଛି।
ଅଶୋଧିତ ତୈଳ ମୂଲ୍ୟରେ ସାମାନ୍ୟ ହ୍ରାସ ଏବଂ ବିଶ୍ୱ ବଜାରରେ ଏକ ଦୃଢ଼ ଧାରା ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରିଥିଲା, ଯାହା ଫଳରେ ବଜାରରେ କ୍ରୟ ବୃଦ୍ଧି ପାଇଥିଲା। ସେନସେକ୍ସ ଷ୍ଟକ୍ ମଧ୍ୟରେ, ଇଟର୍ନାଲ୍, ଟେକ୍ ମହିନ୍ଦ୍ରା, ଇନଫୋସିସ୍, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚସିଏଲ୍ ଟେକ୍, ଆଦାନୀ ପୋର୍ଟସ୍, ଟାଟା କନସଲଟାନ୍ସି ସର୍ଭିସେସ୍ ଏବଂ ଆକ୍ସିସ୍ ବ୍ୟାଙ୍କ ପ୍ରମୁଖ ଲାଭବାନ ହୋଇଥିଲେ। ଅନ୍ୟପକ୍ଷେ ଏଟିପିସି, ହିନ୍ଦୁସ୍ତାନ ୟୁନିଲିଭର, ସନ୍ ଫାର୍ମା ଏବଂ ଏଚଡିଏଫସି ବ୍ୟାଙ୍କ ସେୟାର କ୍ଷତି ସହିତ ବନ୍ଦ ହୋଇଥିଲା।