ବୁର୍ଲା,୨୬/୦୭: ବୁର୍ଲା ସହର ଗାନ୍ଧୀପଡ଼ା ଛକ ନିକଟରେ ଚଳନ୍ତା ଆମ ବସ୍‌ ଉପରକୁ ଦୁର୍ବୃତ୍ତମାନେ ପଥର ମାଡ଼ କରିଛନ୍ତି । ବସ୍‌ର ଝରକା କାଚ ଭାଙ୍ଗିଯିବା  ସହ ଜଣେ ମହିଳା ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ପରେ ବୁର୍ଲା ପୁଲିସ୍‌ ତଦନ୍ତ ଆରମ୍ଭ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ।

ସୂଚନାନୁଯାୟୀ,  ସମ୍ୱଲପୁରରୁ ବୁର୍ଲା ଦେଇ ଅଟଳ ଛକ ଅଭିମୁଖେ  ଯାଉଥିବା ଆମ ବସ୍‌ ପ୍ଲାନେଟୋରିୟମ୍‌ ଛକରୁ  ଜ୍ୟୋତିବିହାର ଛକକୁ ସଂଯୋଗ କରୁଥିବା ଭିଆଇପି  ରାସ୍ତାର ଗାନ୍ଧୀପଡ଼ା ଛକ ନିକଟରେ ପହଞ୍ଚିଥିବାବେଳେ  କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିଲେ । ପଥର ଯାତ୍ରୀ  ଚଢ଼ିବା ଦ୍ୱାର ନିକଟରେ ଥିବା ଝରକା କାଚରେ  ବାଜିଥିଲା । ଫଳରେ କାଚ ଭାଙ୍ଗିଯିବା ସହ ସେହି ସିଟ୍‌ରେ ବସିଥିବା ଜଣେ ମହିଳାଙ୍କ ମୁଣ୍ଡରେ ପଥର ବାଜିଥିଲା ।  ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ଆହତ ମହିଳା ଯାତ୍ରୀ  ହେଲେ ବୁର୍ଲା ବସନ୍ତ ବିହାର ଅଞ୍ଚଳର ମୀନାକ୍ଷୀ ବାରିକ  (୩୬) । ଘଟଣା ପରେ ବସ୍‌ଟି ଜ୍ୟୋତିବିହାର  ଛକରେ ଅଟକିଥିଲା । ଖବର ପାଇ ବୁର୍ଲା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ଉଦ୍ଧାର କରି  ଚିକିତ୍ସା ପାଇଁ ଭିମ୍‌ସାର୍‌ ପଠାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା  ସ୍ଥିର ରହିଛି ।

​​​​​​​ଅଧିକ ପଢ଼ନ୍ତୁ :-  ମାଲେମାଲ ହେବା ଆଶାରେ ଚୋରା ରାଶି ଲଡୁ କିଣିଥିଲେ ଦୋକାନୀ, ଚଢ଼ାଉ କରି ମାଡ଼ି ବସିଲା ପୁଲିସ, ୫ ଲକ୍ଷ ଟଙ୍କାର ଲଡ଼ୁ ଜବତ​​​​​​​

ଅନ୍ୟପକ୍ଷରେ ଘଟଣାସ୍ଥଳ ଅନ୍ଧାରରେ  ବୁଡ଼ି ରହୁଥିବାରୁ ଏପରି ଅପରାଧ ଘଟିଥିବା ସ୍ଥାନୀୟ  ଲୋକେ ଅଭିଯୋଗ କରିଛନ୍ତି । ବଲେରପଡ଼ା ଛକରୁ  ଗାନ୍ଧୀପଡ଼ା ଛକ ଦେଇ କୁଷ୍ଠରୋଗୀ କଲୋନି ପର୍ଯ୍ୟନ୍ତ  ଭିଆଇପି ରାସ୍ତାରେ ଗୋଟିଏ ବି ଷ୍ଟ୍ରିଟ୍‌ ଲାଇଟ୍‌ ନ  ଥିବାରୁ ସନ୍ଧ୍ୟା ପରେ ସମ୍ପୂର୍ଣ୍ଣ ଅନ୍ଧାର ରହୁଛି । ଏହାର ସୁଯୋଗ ନେଇ ଅସାମାଜିକ ଯୁବକମାନେ  ଏଠାରେ ଆଡ୍ଡା ଜମାଉଥିବା ଅଭିଯୋଗ ହେଉଛି ।  ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏହି ରାସ୍ତାରେ  ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ବାରମ୍ୱାର ସମ୍ୱଲପୁର  ମହାନଗର ନିଗମ ନିକଟରେ ଅଭିଯୋଗ  କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ  ନିଆଯାଇନାହିଁ । ଫଳରେ ସାଧାରଣ ଲୋକ ଓ  ଯାତ୍ରୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି ।