ଘଟଗାଁ,୨୬/୦୭: ଘଟଗାଁ ମା ତାରିଣୀ ମନ୍ଦିରର ୩ ନମ୍ବର ଗେଟ୍ ସମ୍ମୁଖରେ ଉଠା ଭୋଗ ଦୋକାନ କରିଥିବା ମାନସ ପ୍ରଧାନ ମାଲେମାଲ ହେବା ଆଶାରେ ଚୋରା ରାଶି ଲଡୁ କିଣି ଗିରଫ ହୋଇଛନ୍ତି । ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ରାଶି ଲଡୁ ଜବତ କରିଛି ପୁଲିସ ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଜଣେ ରାଶି ଲଡୁ ବେପାରୀ ଏକ ଭଡା ଗାଡି କରି ବାଲେଶ୍ୱର ଜିଲ୍ଲାକୁ ପ୍ରାୟ ୫ ଲକ୍ଷ ଟଙ୍କା ରାଶି ଲଡୁ ପଠାଇଥିଲେ । କିନ୍ତୁ ଗାଡିର ଡ୍ରାଇଭର ଚଞ୍ଚକତା କରି ବାଲେଶ୍ୱର ନଯାଇ ଘଟଗାଁ ଆସିଥିଲେ । ଘଟଗାଁରେ ଭୋଗ ଦୋକାନ କରିଥିବା ମାନସ ପ୍ରଧାନଙ୍କୁ ୫ ଲକ୍ଷ ଟଙ୍କାର ରାଶି ଲଡୁକୁ ୨ ଲକ୍ଷ ଟଙ୍କାରେ ବିକ୍ରି କରି ଫେରାର ହୋଇଯାଇଥିଲେ । ବ୍ରହ୍ମପୁର ଉକ୍ତ ବେପାରୀ ରାଶି ଲଡୁ ବାଲେଶ୍ୱର ପହଞ୍ଚି ନଥିବା ଜାଣିବା ପରେ ଏନେଇ ବ୍ରହ୍ମପୁର ଥାନାରେ ଅଭିଯୋଗ କରିଥିଲେ ।
ଅଧିକ ପଢ଼ନ୍ତୁ :- Bhubaneswar Hit and Run Case: ଦୁଇ ଭାଇଙ୍କୁ ଧକ୍କା ଦେଇ ତମାଣ୍ଡୋରୁ ବରମୁଣ୍ଡା ଘୋଷାଡି ଆଣିଲା ଅଜଣା ଗାଡ଼ି, ମିଳିଲା ମୁଣ୍ଡ ବିହୀନ ମୃତଦେହ
ପୁଲିସ ଅଭିଯୋଗ ଆଧାରରେ ଉକ୍ତ ଗାଡି ଡ୍ରାଇଭରର ମୋବାଇଲ ନମ୍ବର ଟ୍ରାକ କରି ତାକୁ ଧରିବାରେ ସକ୍ଷମ ହୋଇଥିଲା । ଗିରଫ ଡ୍ରାଇଭରକୁ ପଚରାଉଚୁରା କରିବା ପରେ ସେ ୫ ଲକ୍ଷ ଟଙ୍କାର ଲଡୁ ୨ ଲକ୍ଷ ଟଙ୍କାରେ ଘଟଗାଁର ଭୋଗ ଦୋକାନୀ ମାନସ ପ୍ରଧାନଙ୍କୁ ବିକ୍ରି କରିଥିବା ପୁଲିସକୁ ଜଣାଇଥିଲା । ବ୍ରହ୍ମପୁର ପୁଲିସ ଗିରଫ ଡ୍ରାଇଭରକୁ ଧରି ଘଟଗାଁ ଥାନାରେ ପହଞ୍ଚିଥିଲେ । ଘଟଗାଁ ଥାନା ସହାୟତାରେ ଭୋଗ ଦୋକାନୀ ମାନସ ପ୍ରଧାନକୁ ଦୋକାନରୁ ଗିରଫ କରିଛନ୍ତି । ତାଙ୍କୁ ଜେରା କରିବା ପରେ ଚୋରା ଲଡୁ କିଣିଥିବା ନେଇ ମାନସ ପ୍ରଧାନ ମାନିଥିଲେ । ଏହା ପରେ ତାଙ୍କ ଘରେ ଚଢଉ କରି ଲକ୍ଷ ଲକ୍ଷ ଟଙ୍କାର ରାଶି ଲଡୁ ଜବତ କରାଯାଇଛି । ଉକ୍ତ ଗାଡି ଡ୍ରାଇଭର ଏବଂ ଭୋଗ ଦୋକାନୀ ଘଟଗାଁ ଥାନାରେ ଅଟକ ଥିବା ଜଣାପଡିଛି ।