ଧର୍ମଶାଳା, ୨୧/୦୪: ଧର୍ମଶାଳା  ବ୍ଲକ ଥାନୁଆଳ ପଞ୍ଚାୟତର  ସନ୍ତୋଷ ଓଝା(୪୩) ବିରଳ କୀର୍ତ୍ତି  ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ସମାଜସେବାରେ ନିଜକୁ ନିୟୋଜିତ  କରୁଥିବା ସନ୍ତୋଷ ପାଣି ଭିତରେ ବିଭିନ୍ନ ଷ୍ଟଣ୍ଟ୍‌ ପ୍ରଦର୍ଶନ କରନ୍ତି ।  

ସକାଳ ହେଲେ କାନ୍ଧରେ ଏକ ବ୍ୟାଗ ପକାଇ ଘରୁ ବାହାରି ପଡ଼ନ୍ତି  ସନ୍ତୋଷ । କେତେବେଳେ ଜାରକା  ଛକରେ ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ଥା’ନ୍ତି  ଆଉ କେତେବେଳେ ଚଣ୍ଡିଖୋଲ  ଛକରେ ଟ୍ରାଫିକ ନିୟନ୍ତ୍ରଣ କାମରେ  ଲାଗିପଡ଼ନ୍ତି । ପ୍ରତ୍ୟେକ ସାଂସ୍କୃତିକ  କାର୍ଯ୍ୟକ୍ରମରେ ସନ୍ତୋଷଙ୍କୁ ଦେଖିବାକୁ ମିଳେ । ସନ୍ତୋଷଙ୍କୁ ସମସ୍ତେ ଜଣେ ସାମାଜିକ କର୍ମୀ ଭାବରେ ଜାଣନ୍ତି । କିନ୍ତୁ  ଜଣେ ଷ୍ଟଣ୍ଟ୍‌ମ୍ୟାନ ଭାବେ ବହୁ କମ୍‌ ଲୋକ ଜାଣନ୍ତି । 

ପୋଖରୀ  ପାଣିରେ ସିଧାସଳଖ ଶୋଇ କେତେବେଳେ ଖବରକାଗଜ ପଢ଼ନ୍ତି ତ କେତେବେଳେ ଫୋନରେ କଥା ହେଉଥା’ନ୍ତି ।  ଆଉ କେତେବେଳେ ସେଠି ଦୁଇ ହାତରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳେ । ପାଣିରେ ଏମିତି ଅନେକ ଦୁଃସାହସିକ  କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ । ଗାଁ ପୋଖରୀରେ ବହୁ ବର୍ଷ ତଳେ ଏମିତି ଅଭ୍ୟାସ କରୁକରୁ ସେ ଜଣେ ସଫଳ  ଷ୍ଟଣ୍ଟ ମ୍ୟାନ ପାଲଟିଗଲେ । ନିକଟରେ ସିଂହାପୁର ଯାତ୍ରା  ସମୟରେ ପୋଖରୀରେ ଶୋଇ ଖବରକାଗଜ ପଢ଼ିବା ଦୃଶ୍ୟ  ସମସ୍ତଙ୍କୁ ଚକିତ କରିଥିଲା । ଏହି ନିଆରା ଅଭ୍ୟାସକୁ ନେଇ ସମସ୍ତଙ୍କ ଠାରୁ ପ୍ରଶଂସା ମିଳୁଛି ବୋଲି କହନ୍ତି ସନ୍ତୋଷ ।