ବ୍ରହ୍ମପୁର,୨୫/୦୪: ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାରେ ଆହୁରି ତଦନ୍ତ ସରୁନି । ଏତେ ବଡ଼ ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଏବେ ବି ସଫଳ ହୋଇନି । ପୁଲିସ ତଦନ୍ତ ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ମୃତ ସୁଧୀରଙ୍କ ବାପା ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁଅ ହତ୍ୟା ଷଡ଼ଯନ୍ତ୍ରରେ ନାତୁଣୀ - ନାତୀ ସାମିଲ। ନାତୁଣୀ ନିବେଦିତା- ନାତୀ ତୁଷାର ସୁପାରୀ ଦେଇ ଦାଦାର ହତ୍ୟା କରିଛନ୍ତି। ଝିଆରୀ ଜଣେ ଯୁବ ବ୍ୟବସାୟୀଙ୍କୁ ବିବାହ ହେବାକୁ ଚାହୁଁଥିବା ବେଳେ ଦାଦା ଏହାକୁ କରୁଥିଲା ବାରଣ । ଅନ୍ୟ ଜାଗାରେ ଭଲ ପ୍ରସ୍ତାବ ଦେଖି ବିବାହ କରିବାକୁ ଚାହୁଁଥିଲେ । ଯାହାକୁ ନେଇ ବିବାଦ ହୋଇଛି । ସେ ଆହୁରି କହିଛନ୍ତି ସବୁ ସମ୍ପତ୍ତି ମୋ ନାଁରେ ଅଛି । ବଡ଼ପୁଅ ଓ ସାନପୁଅ ପାଖରେ ଟଙ୍କାର ଅଭାବ ନାହିଁ। ଦୁଇ ଭାଇଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ସୁଧୀରଙ୍କ କାହା ସହିତ ଶତ୍ରୁତା ନଥିଲା ।

ପୁଲିସ ଗୁରୁବାର ୯ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେମାନେ ଏବେ ବ୍ରହ୍ମପୁର ଜେଲ୍ ହାଜତରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ରିମାଣ୍ଡରେ ନେବାକୁ ପୁଲିସ ବ୍ରହ୍ମପୁର ଜେଏମ୍ଏଫ୍‌ସି  (ଗ୍ରାମାଞ୍ଚଳ) କୋର୍ଟରେ ଆବେଦନ କରିଥିଲା । କୋର୍ଟ ତାଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ପୁଣି କୋର୍ଟ ହାଜର କରିବ । ମୁଖ୍ୟ ଅଭିଯୁକ୍ତ ନାରାୟଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ, କାଳୁ ଚରଣ ପ୍ରଧାନ, ଜିତୁନ୍ ପଲେଇ, ଆଶିଷ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ମିଳିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଆଉ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।

ସେପଟେ ସୁଧୀର ପାତ୍ରଙ୍କୁ ଡିଫେନ୍ସ କଲୋନୀ ନିକଟରୁ ଯେଉଁ ଗାଡ଼ିରେ ଅପହରଣ କରାଯାଇଥିଲା। ସେହି ଗାଡିକୁ ଜବତ କରିଛି ଗୋପାଳପୁର ପୁଲିସ। ଏହି ଗାଡ଼ିରେ ଅପହରଣ କରିନେଉଥିବା ବେଳେ ପୁରୁଷୋତ୍ତମପୁର ନିକଟରେ ଗାଡି ଖରାପ ହେବାରୁ ଅନ୍ୟ ଏକ ଗାଡ଼ିରେ ସୋରଡ଼ା ଅଭିମୁଖେ ନେଇଥିଲେ। ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନ ମିଶି ଅପହରଣ ଓ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ।

ଅଧିକ ପଢ଼ନ୍ତୁ :- ପ୍ଲଟ୍ ବ୍ୟବସାୟୀ ସୁଧିର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ : ଝିଆରୀ ଓ ପୁତୁରା ସମେତ ୯ ଗିରଫ 

ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥିବା ସମୟରେ ଅପହୃତ ହୋଇଥିଲେ । ତାଙ୍କୁ ବୁଗୁଡ଼ା ନିଆଯାଇଥିଲା । ସେଠାରେ ହତ୍ୟା କରିବା ପରେ ରାଶିପଙ୍କାଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ହତ୍ୟାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ଝିଆରି ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କ ସମେତ ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମ୍ବୁ ଓରଫ୍ ସୂର୍ଯ୍ୟପ୍ରତାପ ସିଂହ(୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗାଁର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡ଼ା ଗାଁର ଶୁଭମ୍ ନାୟକ(୨୦) ଓ ପୁନରାଖଣ୍ଡି ଗାଁର ଗେଡ଼ୁ ଓରଫ୍ ଶୁଭମ ଗୌଡ଼(୨୦)ଙ୍କୁ ଗିରଫ କରାଯାଇଛି ।