ବ୍ରହ୍ମପୁର/ ଗୋପାଳପୁର/ ଭଞ୍ଜନଗର,୨୩/୦୪: ଅପହରଣ ପରେ ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର(୪୭) ହତ୍ୟା ଘଟଣା ବଡ଼ ଖୁଲାସା। ଦାଦାର ସୁପାରୀ ଦେଇଥିଲେ ପୁତୁରା ଓ ଝିଆରୀ ମାରିଥିବା ଅଭି। ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଅପହରଣ ପରେ ହତ୍ୟା ସନ୍ଦେହ। ପୁତୁରା ଓ ଝିଆରୀ ମିଶି ସହ ସୁପାରୀ କିଲରଙ୍କ ଜରିଆରେ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣା ଗୋପାଳପୁର ପୁଲିସ ପୁତୁରା ଓ ଝିଆରୀଙ୍କ ସମେତ ୮ ଅଭିଯୁକ୍ତ ଅଟକ ଜେରା କରୁଛି। ପ୍ରକୃତ ଘଟଣା ଉପରେ ପରଦା ହଟାଇବାକୁ ତଦନ୍ତ ଚଲାଇଛି ପୁଲିସ।

ଗୋପାଳପୁର ଥାନା ବଣଗାଁ ନିକଟରୁ ଗତ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ପାତ୍ରଙ୍କୁ ଅପହରଣ କରି ନେଇଥିଲେ ଅପରାଧୀ । ତାଙ୍କ ସ୍ତ୍ରୀ ରଶ୍ମିତା ପାତ୍ର ଏ ନେଇ ଗୋପାଳପୁର ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା । ବଣଗାଁ ରାସ୍ତାରୁ ସୁଧୀରଙ୍କ ବାଇକ୍ ଜବତ କରିଥିଲା ପୁଲିସ। ସୁଧୀରଙ୍କ ସ୍ତ୍ରୀଙ୍କୁ ଅପହରଣକାରୀ ହ୍ୱାଟସ୍ଆପ୍ରେ ଏକ ଭିଡିଓ ପଠାଇଥିଲେ । ସୁଧୀରଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ବ୍ଲାଙ୍କ୍ ଫାୟାରିଂ କରି ୨କୋଟି ଟଙ୍କା ମାଗିଥିଲେ । ରଶ୍ମିତା ଘରେ ଥିବା ଟଙ୍କା ଓ ସୁନା ନେଇ ଅପହରଣକାରୀଙ୍କୁ ଦେବାକୁ ଯିବା ସମୟରେ ତାଙ୍କ ପଛରେ ପୁଲିସ ମଧ୍ୟ ଯାଇଥିଲା । ଆସିକା ନିକଟରେ ରଶ୍ମିତାଙ୍କୁ ଭିଡିଓ କଲ୍ କରି ସେ ଧରିଥିବା ବ୍ୟାଗ୍ ଦେଖାଇବାକୁ କହିଥିଲେ ଅପରାଧୀ। କିଛି ସମୟ ପରେ ଫୋନ୍ କଲ୍ ଆସିଥିଲା ଯେ, ପୁଲିସ ତୁମ ସାଙ୍ଗରେ ଅଛନ୍ତି । ସୁଧୀରକୁ ଆଉ ଫେରି ପାଇବ ନାହିଁ । ସେବେଠାରୁ ଅପରାଧୀ ସୁଧୀରଙ୍କ ପରିବାରକୁ ଯୋଗାଯୋଗ କରିନଥିଲେ। ବୁଧବାର ସକାଳୁ ସୋରଡ଼ା ଥାନା ବାଲପଙ୍କା ଗାଁ ରାଶିପଙ୍କାଳ ବ୍ରିଜ୍ ନିକଟ ଜଙ୍ଗଲ ରାସ୍ତା ସୁଧୀରଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା।

ଅଧିକ ପଢ଼ନ୍ତୁ :-  ସୁଧୀର ପାତ୍ର ଅପହରଣ ଘଟଣା: ଟଙ୍କା ନେଲେନି, ପ୍ଲଟ୍ ବ୍ୟବସାୟୀ ପିଟିପିଟି ମାରିଦେଲେ ଦୁର୍ବୃତ୍ତ,ସପ୍ତାହେ ପରେ ମୃତଦେହ ଉଦ୍ଧାର

ସମ୍ପତ୍ତି ବିବାଦରୁ ଏହି ସୁଧୀରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଛି । ପୁଲିସ ତାଙ୍କର ଦୁଇଜଣ ରକ୍ତ ସଂପର୍କୀୟ ପୁତୁରା ଓ ଝିଆରୀଙ୍କଙ୍କୁ ଥାନାରେ ଅଟକ ରଖିଥିବାବେଳେ ସୁରଟ, ଦିଲ୍ଲୀ ଓ ମୁମ୍ବାଇରୁ କିଛି ଅପରାଧୀଙ୍କୁ ଉଠାଇ ଆଣିଥିବା ଜଣାପଡିଛି । ତଦନ୍ତ ପରେ ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର ହତ୍ୟା ଘଟଣା ଉପରୁ ପରଦା ହଟିବ।