ବ୍ରହ୍ମପୁର/ ଗୋପାଳପୁର/ ଭଞ୍ଜନଗର,୨୩/୦୪: ସପ୍ତାହେ ତଳେ ଅପହୃତ ହୋଇଥିଲେ ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର(୪୭) । ତାଙ୍କୁ ଖୋଜିପାରିଲାନି ପୁଲିସ । ବ୍ରହ୍ମପୁରରୁ ଶହେ କିଲୋମିଟର ଦୂର ସୋରଡ଼ା ଥାନା ବାଲପଙ୍କା ଗାଁ ରାଶିପଙ୍କାଳ ବ୍ରିଜ୍ ନିକଟ ଜଙ୍ଗଲ ରାସ୍ତାରେ ତାଙ୍କର ଗଳିତ ଶବ ମିଳିଛି । ପରିବାର ଲୋକ ସୁଧୀରଙ୍କ ପୋଷାକ ଓ ହାତରେ ଥିବା ବଳାକୁ ଦେଖି ତାଙ୍କୁ ଚିହ୍ନଟ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଟିମ୍ ଛାନ୍ଭିନ୍ କରିଛି । ସନ୍ଧ୍ୟାରେ ତାଙ୍କ ଶବ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଏହି ସମ୍ବେଦନଶୀଳ ଘଟଣାରେ ଅପରାଧୀ ଧରାପଡିଛନ୍ତି । ଖୁବ୍ଶୀଘ୍ର ଏ ସମ୍ପର୍କରେ ସୂଚନା ଦିଆଯିବ ।
ବୁଧବାର ସକାଳ ୮ଟାରେ ସୋରଡ଼ା ଥାନା ବାଲପଙ୍କା ଗାଁ ରାଶିପଙ୍କାଳ ବ୍ରିଜ୍ ନିକଟ ଜଙ୍ଗଲ ରାସ୍ତା (ମୁଖ୍ୟରାସ୍ତାରୁ ତିନି ଶହ ମିଟର ଦୂର)ରେ ଏକ ଶବ ଦେଖି ଅଞ୍ଚଳବାସୀ ସୋରଡ଼ା ଥାନାକୁ ସୂଚନା ଦେଇଥିଲା । ସୋରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦେହ କରି ବ୍ରହ୍ମପୁର ପୁଲିସକୁ ଯୋଗାଯୋଗ କରିଥିଲା । ଗୋପାଳପୁର ଥାନା ପୁଲିସ, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା । ସୁଧୀରଙ୍କ ପରିବାର ସୁଧୀରଙ୍କ ପୋଷାକ ଓ ହାତରେ ପିନ୍ଧିଥିବା ବଳା ଦେଖି ଚିହ୍ନଟ କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ଜବତ କରିଥିଲା ପୁଲିସ । ଅପରାଧୀମାନେ ଅନ୍ୟ ଏକ ଜାଗାରେ ସୁଧୀରଙ୍କୁ ହତ୍ୟା କରିବା ପରେ ସେଠାରେ ନେଇ ଫିଙ୍ଗି ଦେଇଥିଲେ । ଶରୀରର ଅନେକ ଅଂଶ ଝଡ଼ିଯାଇଛି ।
ଗୋପାଳପୁର ଥାନା ବଣଗାଁ ନିକଟରୁ ଗତ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ପାତ୍ରଙ୍କୁ ଅପହରଣ କରି ନେଇଥିଲେ ଅପରାଧୀ । ତାଙ୍କ ସ୍ତ୍ରୀ ରଶ୍ମିତା ପାତ୍ର ଏ ନେଇ ଗୋପାଳପୁର ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା । ବଣଗାଁ ରାସ୍ତାରୁ ସୁଧୀରଙ୍କ ବାଇକ୍ ଜବତ କରିଥିଲା ପୁଲିସ । ସୁଧୀରଙ୍କ ସ୍ତ୍ରୀଙ୍କୁ ଅପହରଣକାରୀ ହ୍ୱାଟସ୍ଆପ୍ରେ ଏକ ଭିଡିଓ ପଠାଇଥିଲେ । ସୁଧୀରଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ବ୍ଲାଙ୍କ୍ ଫାୟାରିଂ କରି ୨କୋଟି ଟଙ୍କା ମାଗିଥିଲେ । ରଶ୍ମିତା ଘରେ ଥିବା ଟଙ୍କା ଓ ସୁନା ନେଇ ଅପହରଣକାରୀଙ୍କୁ ଦେବାକୁ ଯିବା ସମୟରେ ତାଙ୍କ ପଛରେ ପୁଲିସ ମଧ୍ୟ ଯାଇଥିଲା । ଆସିକା ନିକଟରେ ରଶ୍ମିତାଙ୍କୁ ଭିଡିଓ କଲ୍ କରି ସେ ଧରିଥିବା ବ୍ୟାଗ୍ ଦେଖାଇବାକୁ କହିଥିଲେ ଅପରାଧୀ । କିଛି ସମୟ ପରେ ଫୋନ୍ କଲ୍ ଆସିଥିଲା ଯେ, ପୁଲିସ ତୁମ ସାଙ୍ଗରେ ଅଛନ୍ତି । ସୁଧୀରକୁ ଆଉ ଫେରି ପାଇବ ନାହିଁ । ସେବେଠାରୁ ଅପରାଧୀ ସୁଧୀରଙ୍କ ପରିବାରକୁ ଯୋଗାଯୋଗ କରିନଥିଲେ । ଆଜି ସକାଳୁ ସୁଧୀରଙ୍କ ଗଳିତ ଶବ ଉଦ୍ଧାର ହୋଇଛି ।
ଅଧିକ ପଢ଼ନ୍ତୁ :- ପ୍ଲଟ୍ ବ୍ୟବସାୟ କିଡନାପ୍ କେସ୍ରେ ପୁଲିସ ହାତ ଖାଲି, ବଛା ବଛା ଅଧିକାରୀ ପାଉନାହାନ୍ତି ଟେର୍; ହାତରେ ଲାଗୁନି ମାଷ୍ଟରମାଇଣ୍ଡ
ସମ୍ପତ୍ତି ବିବାଦରୁ ଏହି ସୁଧୀରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଛି । ପୁଲିସ ତାଙ୍କର ଦୁଇଜଣ ରକ୍ତ ସଂପର୍କୀୟଙ୍କୁ ଥାନାରେ ଅଟକ ରଖିଥିବାବେଳେ ସୁରଟ, ଦିଲ୍ଲୀ ଓ ମୁମ୍ବାଇରୁ କିଛି ଅପରାଧୀଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ ଏବେ ପଶ୍ଚିମବଙ୍ଗ ନିର୍ବାଚନରେ ପୁଲିସ ଅବଜରଭର୍ ଅଛନ୍ତି । ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ର ବ୍ରହ୍ମପୁର ଏସ୍ପି ଦାୟିତ୍ୱରେ ଥିବାବେଳେ ବହୁ ବଛା ବଛା ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ କରାଯାଇଛି । ଏହା ସତ୍ତେ୍ୱ ପୁଲିସ ସୁଧୀରଙ୍କୁ ଖୋଜିପାରିଲାନି । ଶେଷରେ ସୁଧୀରଙ୍କୁ ମାରି ଫିଙ୍ଗିଦେଲେ । ଏକ ବଡ଼ ଅପରାଧକୁ ରୋକିବାରେ ପୁଲିସ ବିଫଳ ହୋଇଥିବା ବ୍ରହ୍ମପୁରରେ ଏବେ ଚର୍ଚ୍ଚାର ବିଷୟ ।