କୋଣାର୍କ, ୨୨/୦୪: କୋଣାର୍କ ସୂର୍ଯ୍ୟମନ୍ଦିରର ଭିତର ବାଲି ସୁରକ୍ଷିତ । ବାଲି କାଢ଼ିଲେ ମନ୍ଦିରକୁ ବିପଦ ନାହିଁ । ଏନେଇ ରିପୋର୍ଟ ଦେଇଛି ଆଇଆଇଟି ମାଡ୍ରାସ୍ । ହେରିଟେଜ୍ ସାଇଟର ଭିତରେ ଥିବା ବାଲି ସମ୍ପୂର୍ଣ୍ଣ ସରୁକ୍ଷିତ । ତେଣୁ ଖୁବଶୀଘ୍ର ବାଲି କଢ଼ା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଛି ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି ।

​​​​​​​

ସୂଚନା ଅନୁଯାୟୀ, ଗତ ବର୍ଷ ଡିସେମ୍ବର ମାସରେ ସୂର୍ଯ୍ୟମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ନମୂନା ସଂଗ୍ରହ କରାଯାଇଥିଲା । ଉକ୍ତ ବାଲିକୁ ସେହି ମାସ ୮ ତାରିଖରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସକୁ ପଠାଇଥିଲା । ସେଠାରେ ଯାଞ୍ଚ ପରେ ଭିତର ବାଲି  ପୂର୍ବପରି ସୁରକ୍ଷିତ ଥିବା ରିପୋର୍ଟ ପ୍ରକାଶ ପାଇଛି । ବାଲି କାଢ଼ିଲେ କୋଣାର୍କ ମନ୍ଦିରକୁ କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ସେପଟେ ରିପୋର୍ଟ ଆସିବା ପରେ ଏଏସଆଇ ପକ୍ଷରୁ ବାଲି କାଢ଼ିବା ନେଇ ଚୂଡ଼ାନ୍ତ କରାଯାଇଛି ।

ସେକ୍ସନ୍ ଡ୍ରଇଂ ଅନୁଯାୟୀ, ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ଵ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ୍ ନିର୍ମାଣ କରାଯିବ। ସୁରକ୍ଷା ଦୃଷ୍ଟିରୁ ଟନେଲ୍ ମଧ୍ୟରେ କୌଣସି ମଣିଷ ପ୍ରବେଶ କରିବେ ନାହିଁ। ଏହା ମଧ୍ୟକୁ ସ୍ବୟଂଚାଳିତ ରୋବୋଟିକ୍ ଟ୍ରଲି ପ୍ରବେଶ କରି ଗର୍ଭଗୃହରୁ ବାଲି ସଂଗ୍ରହ କରି ତଳକୁ ଅଣାଯିବ ।  ଏନେଇ ସମସ୍ତ ମେକାନିକାଲ୍ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ବାଲିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ ଅଣାଯାଇ ସେଠାରୁ ପାଇପ୍ ସାହାଯ୍ୟରେ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବ । ଏହି ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ କରାଯିବ ବୋଲି ଏଏସ୍‌ଆଇର ଉପଅଧିକ୍ଷକ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ- Census 2027: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ