ଭୁବନେଶ୍ଵର, ୨୨/୦୪ : ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି। ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା ମେ ୧୫ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଗଣନାକାରୀ ନିଖୋଜ ହେବା ସହ ହିଟ୍ ଷ୍ଟ୍ରୋକ ଓ ଦୁର୍ଘଟଣାର ଖବର ଆସିଥିଲା। ଏହାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି। 

ସୋନପୁର ଜିଲ୍ଲାରେ ଜଣେ ଗଣନାକାରୀ କାର୍ଯ୍ୟରୁ ଫେରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ଗଣନାକାରୀ ନିଖୋଜ ହୋଇଯାଇଥିବା ବେଳେ ବାଲେଶ୍ୱରରୁ ଦୁର୍ଘଟଣା ଓ ହିଟ୍‌ଷ୍ଟ୍ରୋକ୍ (ଅଂଶୁଘାତ) ସମ୍ବନ୍ଧୀୟ ତିନୋଟି ମାମଲା ଏବଂ ରାଉରକେଲାରୁ ଗୋଟିଏ ଦୁର୍ଘଟଣାଜନିତ ଖବର ମିଳିଛି। ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି। ବିଶେଷ କରି ଗ୍ରୀଷ୍ମ ପ୍ରବାହ ବା ତାତିଜନିତ ସମସ୍ୟାର ମୁକାବିଲା କରିବା, କାର୍ଯ୍ୟ ସମୟରେ ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ଗଣନାକାରୀମାନଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା, କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହାଫଳରେ ନିର୍ଘଣ୍ଟ ସମୟ ମଧ୍ୟରେ ସୁରୁଖୁରୁରେ ଓ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇପାରିବ। ସରକାରଙ୍କ ଏହି ପଦକ୍ଷେପ କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଏହି ଖବରଟିକୁ ପଢନ୍ତୁ- ଲେନ୍‌ ଡ୍ରାଇଭିଂ ନିୟମକୁ ଫୁ, ଭାରୀଯାନ କବଜାରେ ରାସ୍ତା, ଛୋଟ ଗାଡିଙ୍କୁ ଦଳିଦେଇ ଫେରାର୍