ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ

Published By : Prameya | July 6, 2025 8:29 AM

ପୁରୀ, ୬/୦୭: ଜନ୍ମବେଦି ଲୀଳା ସାରି ଶ୍ରୀମନ୍ଦିର ନିକଟରେ ପହଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାରରେ ଲାଗିଛି ତିନି ରଥ। ଆଜି ରଥ ଉପରେ ହେବ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନା, ମଣିମୁକ୍ତାରେ ଆଭୂଷିତ  ଶ୍ରୀଜିଉ ରଥ ଉପରେ ଉଭା ହେବେ । ଏହାକୁ ବଡ଼ ତଢ଼ାଉ ବେଶ ମଧ୍ୟ କୁହାଯାଏ ।

ଆଷାଢ ଶୁକ୍ଳ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ ।  ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ଶ୍ରୀବିଗ୍ରହ  ଶ୍ରୀଭୂଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ  ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି  ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ବେଶରେ  ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ  ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ  କରି ଜଗନ୍ନାଥ ପ୍ରେମୀ ଅସରନ୍ତି ଆନନ୍ଦ ପାଏ ।


ଆଜି  ଅପରାହ୍ନ ୫ଟାରୁ ସାଢ଼େ ୬ଟା  ମଧ୍ୟରେ ଠାକୁରଙ୍କ ସୁନା ବେଶ ସମ୍ପନ୍ନ ହେବ । ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କୁ  ସୁନାବେଶରେ ଦର୍ଶନ କରିବେ । ଠାକୁରମାନଙ୍କର ଏହି ଦୁର୍ଲ୍ଲଭ ବେଶ ଜନସାଧାରଣ  ଯେପରି ସୁବିଧାରେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା  କରାଯାଇଛି । ଦାରୁଦିଅଁଙ୍କ ସମ୍ମୁଖରେ ସେବକ ଦଣ୍ଡାୟମାନ ହୋଇ ଦର୍ଶନ ଅବରୋଧ  ନକରିବାକୁ ପରାମର୍ଶ ଦିଆଯାଇଛି । ଦଇତାପତି ସେବକମାନେ ଏନେଇ ଯତ୍ନବାନ  ହେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଅବରୋଧ ମୁକ୍ତ ଦର୍ଶନ ପାଇଁ ଦଇତାପତି ନିଯୋଗ କର୍ମକର୍ତ୍ତା ତତ୍ପରତା ଦେଖାଇବେ । ରଥରେ ମୋବାଇଲ୍‌ ଓ  କ୍ୟାମେରା ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ସୁନାବେଶରେ ଥାଇ  ରାତ୍ର ୮ଟାରୁ ୯ଟା ମଧ୍ୟରେ ଠାକୁରଙ୍କ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବ । ରାତ୍ର ୧୦ଟାରୁ  ୧୧ଟା ମଧ୍ୟରେ ସୁନା ବେଶ ମଇଲମ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ସମୟ ସ୍ଥିର କରାଯାଇଛି।


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.