ପୁରୀ, ୬/୦୭: ଜନ୍ମବେଦି ଲୀଳା ସାରି ଶ୍ରୀମନ୍ଦିର ନିକଟରେ ପହଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାରରେ ଲାଗିଛି ତିନି ରଥ। ଆଜି ରଥ ଉପରେ ହେବ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନା, ମଣିମୁକ୍ତାରେ ଆଭୂଷିତ  ଶ୍ରୀଜିଉ ରଥ ଉପରେ ଉଭା ହେବେ । ଏହାକୁ ବଡ଼ ତଢ଼ାଉ ବେଶ ମଧ୍ୟ କୁହାଯାଏ ।

ଆଷାଢ ଶୁକ୍ଳ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ ।  ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ଶ୍ରୀବିଗ୍ରହ  ଶ୍ରୀଭୂଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ  ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି  ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ବେଶରେ  ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ  ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ  କରି ଜଗନ୍ନାଥ ପ୍ରେମୀ ଅସରନ୍ତି ଆନନ୍ଦ ପାଏ ।


ଆଜି  ଅପରାହ୍ନ ୫ଟାରୁ ସାଢ଼େ ୬ଟା  ମଧ୍ୟରେ ଠାକୁରଙ୍କ ସୁନା ବେଶ ସମ୍ପନ୍ନ ହେବ । ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କୁ  ସୁନାବେଶରେ ଦର୍ଶନ କରିବେ । ଠାକୁରମାନଙ୍କର ଏହି ଦୁର୍ଲ୍ଲଭ ବେଶ ଜନସାଧାରଣ  ଯେପରି ସୁବିଧାରେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା  କରାଯାଇଛି । ଦାରୁଦିଅଁଙ୍କ ସମ୍ମୁଖରେ ସେବକ ଦଣ୍ଡାୟମାନ ହୋଇ ଦର୍ଶନ ଅବରୋଧ  ନକରିବାକୁ ପରାମର୍ଶ ଦିଆଯାଇଛି । ଦଇତାପତି ସେବକମାନେ ଏନେଇ ଯତ୍ନବାନ  ହେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଅବରୋଧ ମୁକ୍ତ ଦର୍ଶନ ପାଇଁ ଦଇତାପତି ନିଯୋଗ କର୍ମକର୍ତ୍ତା ତତ୍ପରତା ଦେଖାଇବେ । ରଥରେ ମୋବାଇଲ୍‌ ଓ  କ୍ୟାମେରା ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ସୁନାବେଶରେ ଥାଇ  ରାତ୍ର ୮ଟାରୁ ୯ଟା ମଧ୍ୟରେ ଠାକୁରଙ୍କ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବ । ରାତ୍ର ୧୦ଟାରୁ  ୧୧ଟା ମଧ୍ୟରେ ସୁନା ବେଶ ମଇଲମ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ସମୟ ସ୍ଥିର କରାଯାଇଛି।