ନୂଆଦିଲ୍ଲୀ,୨୦/୦୨: ଖ୍ରୀଷ୍ଟଧର୍ମ ପ୍ରଚାରକ ଗ୍ରାହାମ୍ ଷ୍ଟେନସ୍‌ଙ୍କ ହତ୍ୟା ମାମଲାରେ ଦାରା ସିଂହଙ୍କ ମୁକ୍ତି ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଜେଲ୍ ଦଣ୍ଡ ହ୍ରାସ ନେଇ ରାଜ୍ୟର ନୀତି ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ମନୋଜ ମିଶ୍ର ଓ ବିଚାରପତି ମନମୋହନଙ୍କୁ ନେଇ ଖଣ୍ଡପୀଠଙ୍କ ନିକଟରେ ଏହି ମାମଲାରେ ଶୁଣାଣି ହୋଇଥିଲା । ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ଦାରା ସିଂହଙ୍କୁ ଶୀଘ୍ର ମୁକ୍ତ କରିବା ସକାଶେ ତାଙ୍କର ପକ୍ଷ ରଖିଥିଲେ । ଦାରା ସେନାର ଓକିଲ ଏପି ସିଂହ ମଧ୍ୟ ଶୁଣାଣି ସମୟରେ ଦାରା ସିଂହଙ୍କ ଦଣ୍ଡ କୋହଳ କରି ଶୀଘ୍ର ତାଙ୍କୁ ମୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ ।

ଜୈନ ଉଲ୍ଲେଖ କରିଥିଲେ ଯେ, ଦାରା ସିଂହ ୨୬ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଓଡ଼ିଶାର ଜେଲ୍‌ରେ ରହିଆସିଛନ୍ତି । ସେ ଆହୁରି ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ କି, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲାରେ ୭ ଜଣ ହତ୍ୟାକାରୀଙ୍କୁ ୯-୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଓଡ଼ିଶା ସରକାର ଜେଲ୍ରୁ ମୁକ୍ତ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଓକିଲ ପି ଭି ଯୋଗେଶ୍ୱର ଶୁଣାଣି ସମୟରେ ଉପସ୍ଥିତ ଥିଲେ । ଦାରା ସେନା ପକ୍ଷ ଶୁଣିବା ପରେ ଖଣ୍ଡପୀଠ ଜେଲ୍ ଦଣ୍ଡ ଭୋଗୁଥିବା ବନ୍ଦୀମାନଙ୍କୁ ମୁକ୍ତକରିବା ନେଇ ଓଡ଼ିଶା ସରକାରଙ୍କର କଣ ନୀତି ରହିଆସିଛି ତାହା ଆସନ୍ତା ୨ ସପ୍ତାହ ମଧ୍ୟରେ ସ୍ପଷ୍ଟ କରିବା ସକାଶେ ରାଜ୍ୟ ସରକାରଙ୍କ ଓକିଲକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ :-  ଗ୍ରାହାମ୍ ଷ୍ଟେନ୍ସଙ୍କ ହତ୍ୟା ମାମଲା, ଆସନ୍ତା ୨୦ରେ ସୁପ୍ରିମକୋର୍ଟରେ ଦାରା ମାମଲାର ଶୁଣାଣି