କଟକ,୦୪/୧୨: ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିଜ ପ୍ରିୟ ଖେଳାଳିଙ୍କୁ ପାଖରୁ ଦେଖିବାର ସୁଯୋଗ ହାତଛଡ଼ା କରିବେନି ପ୍ରଶଂସକ । ତେଣୁ ଟିକେଟ ଖଣ୍ଡେ ପାଇବାକୁ ଚାତକ ଭଳିଚାହିଁ ବସିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଦଳ ଘୋଷଣା ହୋଇଛି । ଦଳରେ କିଛି ତାରକା ଘରୋଇ ଖେଳାଳି ପ୍ରଥମ ଥରବାରବାଟୀରେ ଖେଳିବେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମାଓ ତିଳକ ବର୍ମା ପ୍ରଥମଥର ପାଇଁ ବାରବାଟୀ ଷ୍ଟାଡିୟମ୍ ଆସୁଛନ୍ତି ।
ବାରବାଟୀରେ ଏ ପର୍ଯ୍ୟନ୍ତ ମାତ୍ର ୩ଟି ଟି-ଟ୍ୱେଣ୍ଟି ଖେଳାଯାଇଛି । ୨୦୧୫ରେ ପ୍ରଥମ ଥର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳ ହୋଇଥିଲା । ଏଥିରେ ଭ୍ରମଣକାରୀ ଦଳମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତକୁ ୬ ୱିକେଟରେ ହରାଇଥିଲା । ଏହି ମ୍ୟାଚରେ ଧୋନିଙ୍କ ସମେତ ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା,ଶିଖର ଧାୱନ ଓ ଆର୍.ଅଶ୍ୱିନୀଙ୍କ ଭଳି କ୍ରିକେଟରଙ୍କୁ ଦେଖିବାକୁ ମିଳିଥିଲା ।୨ ବର୍ଷ ଅନ୍ତରରେ ୨୦୧୭ରେ ପୁଣି ଥରେ ବାରବାଟୀକୁ ଫେରିଥିଲା ଟି-ଟ୍ୱେଣ୍ଟି । ଭାରତ ସାମ୍ନାରେ ଥିଲା ଶ୍ରୀଲଙ୍କା । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଶ୍ରୀଲଙ୍କାକୁ ଏକତରଫା ଭାବେ ୯୩ରନ୍ରେ ହରାଇଥିଲା । ଏଥିରେ ଶ୍ରେୟାଶ ଆୟର, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡା, କୁଲଦୀପ ଯାଦବଙ୍କ ଭଳି ଖେଳଳିଙ୍କୁ ଦେଖିବାକୁ ମିଳିଥିଲା । ୨୦୨୨ ଜାନୁୟାରୀ ୧୨ରେ ଅନୁଷ୍ଠିତ ବାରବାଟୀର ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଘରୋଇ ଦଳକୁ ହରାଇଥିଲା । ରିଷଭ ପନ୍ଥଙ୍କ ନେତୃତ୍ୱରେ ଖେଳିଥିଲା ଭାରତ।