ISIର ଷଡ଼ଯନ୍ତ୍ର, ସ୍ଲିପର ସେଲ୍ ଓ ଅଯୋଧ୍ୟାରେ ରେକି ...ଆତଙ୍କୀର ଗିରଫଦାରୀ ପରେ ଏହି ଆଙ୍ଗଲରେ ହେଉଛି ଯାଞ୍ଚ
Published By :
pradesh
- Prameya Bureau |
October 11, 2025 05:22 PM
ନୂଆଦିଲ୍ଲୀ : ଦିଲ୍ଲୀର ଫରିଦାବାଦରେ ସଦିଗ୍ଧ ଆତଙ୍କବାଦୀର ଗିରଫଦାରୀ ପରେ ଅନେକ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସ୍ଲିପର ସେଲ୍ ଆଙ୍ଗଲର ଯାଞ୍ଚ କରୁଛି। ଉତ୍ତର ପ୍ରଦେଶର ଫୈଜାବାଦର ମିଲ୍କିପୁର ଟାଉନ ନିବାସୀ ୧୯ ବର୍ଷିୟ ଅବଦୁଲ ରହମାନକୁ ରବିବାର ଗୁଜରାଟ ଏଟିଏସ୍ ଓ ହରିଆଣା ଏସଟିଏଫ୍ର ମିଳିତ ଟିମ୍ ଫରିଦାବାଦ ନିକଟସ୍ଥ ପଲଭଲରୁ ହେପାଜତକୁ ନେଇଛି। ଏହା ବିରୋଧରେ ଡବୁଆ ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି।
ଏକ ସ୍ଥାନୀୟ କୋର୍ଟ ସଦିଗ୍ଧ ଆତଙ୍କୀ ରହମାନକୁ ୧୦ଦିନର ପୁଲିସ ରିମାଣରେ ପଠାଇଛନ୍ତି। ପଚରାପଚରି ବେଳେ ସେ ଖୁଲାସା କରିଛି ଯେ,ସେ ଫରିଦାବାଦର ପାଲି ଗାଁ ପାଖରେ ଥିବା ଏକ ଖାଲି ଘରେ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଲୁଚାଇ ଥିଲା। ତାର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସଂପର୍କ ରହିଥିବା ଆଶଙ୍କା କରାଯାଉଛି। ସେ ୪ ମାର୍ଚ୍ଚରେ ଅଯୋଧ୍ୟା ଯିବାର ଥିଲା। ଜଣେ ଅଧିକାରୀ କହିଛନ୍ତି ଯେ, ଏହି ମାମଲା ବହୁତ ସମ୍ୱେଦନଶୀଳ। ଏହାର ଯାଞ୍ଚ ଜାରି ରହିଛି।

ରହମାନ ପଚରାପଚରି ବେଳେ କହିଛି କି ,ତାକୁ ହ୍ୟାଣ୍ଡ ଗ୍ରେନେଡ ପ୍ରଦାନ କରିଥିବା ବ୍ୟକ୍ତିର ନାମ ଓ ଠିକଣା ସେ ଜାଣିନାହିଁ। ସେ ରବିବାର ଦିନ ଟ୍ରେନ ଯୋଗେ ଫୈଜାବୀଦରୁ ଫରିଦାବାଦ ଆସି ଥିଲା। ଜଣେ ହ୍ୟାଣ୍ଡଲର ତାକୁ ହ୍ୟାଣ୍ଡ ଗ୍ରେନେଡ ଦେଇଥିଲା। ତାକୁ ବୋମା ନେଇ ଟ୍ରେନରେ ଅଯୋଧ୍ୟା ଯିବାର ଥିଲା, କିନ୍ତୁ ଏହା ପୂର୍ବରୁ ସେ ଧରାପଡ଼ି ଯାଇଥିଲା। ହରିଆଣା ଏସଟିଏଫକୁ ସୂଚନା ମିଳିଥିଲା ଯେ ଫରିଦାବାଦରେ ଏକ ସ୍ଲିପର ସେଲ୍ ଆତଙ୍କୀ ରହମାନର ସାହାଯ୍ୟ କରୁଥିଲା।
କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାମାନେ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଏହି ଷଡ଼ଯନ୍ତ୍ର ସହ ଜଡ଼ିତ କୌଣସି ବି ସ୍ଲିପର ସେଲ୍କୁ ବାହାର କରିବା ପଇଁ ରାଜ୍ୟ ସୁରକ୍ଷା ବାହିନୀ ସହ କାମ କରୁଛି।
କହି ରଖୁଛୁ କି , ସଦିଗ୍ଧ ଆତଙ୍କୀ ଅବଦୁଲ ରହମାନ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଆତଙ୍କୀ ହମଲା ପାଇଁ ପ୍ରସ୍ତୁତ ହୋଇଥିଲା। ଯାଞ୍ଚରେ ଖୁଲାସା ହୋଇଛି ଯେ, ରହମାନ ଅନେକ କଟ୍ଟରପନ୍ଥୀ ଦଳ ସହ ସଂପୃକ୍ତ ଥିଲା। ଫୈଜାବାଦରେ ଏକ ମଟନ ସପ୍ ଖୋଲି ଥିଲା। ସୁରକ୍ଷା ସଂସ୍ଥାକୁ ମିଳିଥିବା ସୂଚନା ଆଧାରରେ , ରାମ ମନ୍ଦିର ନିର୍ମାଣ ପରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଭାରତରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ରଚିବାକୁ ଯୋଜନା କରିଥିଲା।