ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଟିଏମସିର ଗଡ଼ଭାବେ ପରିଚିତ ବଙ୍ଗରେ ପଦ୍ମ ଫୁଟିବାରେ ଏହି ନେତାଙ୍କ ଅବଦାନ ଅଧିକ ରହିଛି । ତେବେ ରାଜ୍ୟର ପୁରୁଣା ନେତା ଥାଇ ମଧ୍ୟ କାହିଁକି ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କୁ ବଛାଗଲା ? ପିଲାଟି ଦିନରୁ ପରିବାର ଲୋକେ ଭାବିଥିଲେ କି, ଶୁଭେନ୍ଦୁ ବୋଧେ ସନ୍ୟାସୀ ହେବେ କିନ୍ତୁ କେମିତି ପାଲଟିଗଲେ ସିଏମ୍ ? ଆସନ୍ତୁ ଆମର ଏହି ଆଲେଖ୍ୟରେ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା ।
୧୯୭୦ ମସିହାରେ ବଙ୍ଗର ପୂର୍ବ ମେଦିନୀପୁରରେ ଶୁଭେନ୍ଦୁଙ୍କ ଜନ୍ମ । ତାଙ୍କ ବାପା ହେଉଛନ୍ତି ଶିଶିର ଅଧିକାରୀ । ଯିଏକି କଂଗ୍ରେସ ଦଳର ଜଣେ ପ୍ରତିଷ୍ଠିତ ନେତା ଥିଲେ । ମାତ୍ର ପରେ ସେ ଟିଏମସିରେ ନିଜର ରାଜନୈତିକ କ୍ୟାରିୟର ଆଗକୁ ବଢ଼ାଇଥିଲେ । ରାଜନୈତିକ ପରିବାରରୁ ଶୁଭେନ୍ଦୁ ଆସିଥିଲେ ସୁଦ୍ଧା କେହି କେବେ ଭାବିନଥିଲେ କି, ସେ ରାଜନୀତିରେ ପାଦ ଥାପିବେ ଆଉ ମୁଖ୍ୟମନ୍ତ୍ରୀ ହେବେ ବୋଲି । କାରଣ ପିଲାଟି ଦିନରୁ ଧାର୍ମିକ ଥିଲେ ଶୁଭେନ୍ଦୁ ।
ପିଲାଟି ଦିନରୁ ଭକ୍ତିଭାବରେ ରହୁଥିଲେ ସେ । ସେ ପ୍ରତି ଶନିବାର ରାମକୃଷ୍ଣ ମିଶନକୁ ଯାଉଥିଲେ । ପାଖରେ ଯାହା ଟଙ୍କା ରହୁଥିଲା ସେଠାରେ ଥିବା ସନ୍ୟାସୀ ଦାନ କରି ଦେଉଥିଲେ । ତାଙ୍କର ଏଭଳି ଭାବ ଦେଖି ପରିବାର ଲୋକେ ଭାବୁଥିଲେ କି, ସେ ବୋଧେ ସନ୍ୟାସୀ ହୋଇଯିବେ । ଯେଉଁ କାରଣରୁ ପରିବାର ଲୋକେ ତାଙ୍କ ଉପରେ କଡ଼ା ନଜର ମଧ୍ୟ ରଖୁଥିଲେ । ପରେ ସେ କଲେଜ ସମୟରେ ରାଜନୀତି ପ୍ରତି ମନ ବଳାଇଲେ । ଆଉ ଛାତ୍ର ରାଜନୀତିରେ ଏଣ୍ଟ୍ରିକଲେ । ଧିରେ ଧିରେ ନିଜର ଦବଦବା ବଢ଼ାଇବା ସହ କାଉନସିଲର ଆଉ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ସେପଟେ ଟିଏମସିରୁ ଆସିଥିବା ଶୁଭେନ୍ଦୁଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଭାବେ କାହିଁକି ବାଛିଲା ବିଜେପି ? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠାଇଛି । ଯାହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଭାବେ ବଛାଯିବା ପୂର୍ବରୁ ୮ଟି ପ୍ରସ୍ତାବ ଆସିଥିଲା । ସବୁଥିରେ କେବଳ ଶୁଭେନ୍ଦୁଙ୍କ ନାମ ରହିଥିଲା । ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଦ୍ବିତୀୟ ନାମ ଆସିନଥିଲା । ଦଳର ସମସ୍ତ ବିଧାୟକ ଶୁଭେନ୍ଦୁଙ୍କୁ ବାଛିଥିଲେ ।
ଅମିତ ଶାହ ତାଙ୍କ ଭାଷଣରେ ସ୍ପଷ୍ଟ ଭାବରେ କହିଥିଲେ ଯେ ବଙ୍ଗଳାର ନେତୃତ୍ୱ କୌଣସି ବାହାର ଲୋକ ନୁହେଁ, ବରଂ ମାଟି ସହିତ ଜଡିତ ବ୍ୟକ୍ତିଙ୍କ ଦ୍ୱାରା ନିଆଯିବ। ଶୁଭେନ୍ଦୁ ବଙ୍ଗର ମୂଳ ବାସିନ୍ଦା ଏବଂ ମାଟିର ପୁଅ ଭାବରେ ତାଙ୍କର ଖ୍ୟାତି ଅଛି। ତେଣୁ, ସେ କ୍ଷମତା ଗ୍ରହଣ କରିବା ପାଇଁ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ମନେ ହେଉଥିଲେ। ମମତା ବାନାର୍ଜୀଙ୍କ ସହ ସିଧାସଳଖ ମୁକାବିଲା କରିବାର ତାଙ୍କର ପ୍ରବୃତ୍ତି ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା।
୨୦୨୦ ମସିହାରେ, ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ସହ ମତଭେଦ ପରେ ସେ ଟିଏମସି ଛାଡିଥିଲେ। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଶୁଭେନ୍ଦୁ ବଙ୍ଗାଳୀମାନଙ୍କ ମଧ୍ୟରେ ବିଜେପିର ପାଦ ସ୍ଥାପନ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସେ ନିଜକୁ ହିନ୍ଦୁତ୍ୱର ଏକ ପ୍ରମୁଖ ଚେହେରା ଭାବରେ ପ୍ରତିଷ୍ଠିତ କରିଥିଲେ। ସେ "ଜୟ ଶ୍ରୀ ରାମ" ସ୍ଲୋଗାନକୁ ଦୁର୍ଗା ପୂଜା ଏବଂ ରବିନ୍ଦ୍ର ଜୟନ୍ତୀ ଭଳି ପାରମ୍ପରିକ ବଙ୍ଗାଳୀ ସଂସ୍କୃତି ସହିତ ମଧ୍ୟ ସଂଯୋଜିତ କରିଥିଲେ।
ଏହାସହ ପଢ଼ନ୍ତୁ : ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ଅଭିଷେକ ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ, "ବଙ୍ଗଳା ଏବଂ ଦିଲ୍ଲୀ..."