ନୂଆଦିଲ୍ଲୀ,୯।୨: ନିଜ ଚାଲ୍ରେ ଏବେ ଚାରିଆଡ଼ୁ ଫଶିଲା ପାକିସ୍ତାନ। ଶେଷରେ ବାଂଲାଦେଶ ବି ଠିକ୍ ସମୟରେ ଛାଡିଲା ହାତ। ସବୁବେଳେ ପାକିସ୍ତାନର ନିଷ୍ପତ୍ତିକୁ ସମର୍ଥନ ଜଣାଉଥିବା ବାଂଲାଦେଶ ବି ଏଥର ପାକିସ୍ତାନକୁ ଟି-୨୦ ବିଶ୍ବକପ୍ ମ୍ୟାଚ୍ ବୟକଟ୍ ନକରିବାକୁ କହିଛି। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ବାଂଲାଦେଶ କ୍ରିକେଟ ବୋର୍ଡ ଚେୟାରମ୍ୟାନ୍। ତେବେ ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ବି ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ(ଆଇସିସି) ନିକଟରେ ରଖିଛି ୩ଟି ସର୍ତ୍ତ।
ଟି-୨୦ ବିଶ୍ବକପ୍ ୨୦୨୬ରେ ଭାରତ ଓ ପାକିସ୍ତାନ ଟିମ୍ ଭିତରେ ୧୫ ଫେବୃଆରୀରେ ମ୍ୟାଚ୍ ଖେଳାଯିବାର ଅଛି। କିନ୍ତୁ ଏହି ମ୍ୟାଚ୍ ପାଇଁ ପାକିସ୍ତାନ ଟିମ୍ ମୈଦାନକୁ ଓହ୍ଲାଇବ କି ନାହିଁ ତାହା ସ୍ପଷ୍ଟ ହୋଇଛି। ଏହାର ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇ ନାହିଁ। ପାକିସ୍ତାନ ସରକାର ନିଜ ଟିମ୍କୁ ମ୍ୟାଚ୍ ନଖେଳିବାକୁ ନିର୍ଦେଶ ଦେଇଛନ୍ତି। ତେବେ ମ୍ୟାଚ୍କୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ (ଆଇସିସି) ମଧ୍ୟରେ ଆଲୋଚନା ଜାରି ରହିଛି। ଏଥିରେ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟ ହସ୍ତକ୍ଷେପ କରିଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଖାସ୍ ଅନୁରୋଧ କରିଛି।
ପାକିସ୍ତାନକୁ ବାଂଲାଦେଶର ଅନୁରୋଧ
ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)ର ଅଧ୍ୟକ୍ଷ ଅମିନୁଲ ଇସ୍ଲାମ ପକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ମୋହସିନ୍ ନକଭିଙ୍କୁ ଅନୁରୋଧ କରିଛନ୍ତି। ସେ ବୟକଟ୍ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ କହିଛନ୍ତି। ଲାହୋରରେ ରବିବାର ହୋଇଥିବା ଚର୍ଚ୍ଚା ବେଳେ ସେ ଏହା କହିଥିଲେ। ଅମିନୁଲ ଇସ୍ଲାମ ପାକିସ୍ତାନକୁ ମ୍ୟାଚ୍ ଖେଳିବା ପାଇଁ ଏକ ପ୍ରକାର ମନାଇବାକୁ ଚେଷ୍ଟା କରିଛନ୍ତି।
ଏହି ବିବାଦର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ବାଂଲାଦେଶ ଭାରତରେ ନିଜର ମ୍ୟାଚ୍ ଖେଳିବାକୁ ମନା କରିଥିଲା। ଏହି କାରଣରୁ ଆଇସିସି ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇ ଦେଇଥିଲା। ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରାଯାଇଥିଲା। ଏହାପରେ ବାଂଲାଦେଶ ସମର୍ଥନରେ ବାହାରି ପାକିସ୍ତାନ ଭାରତ ବିରୋଧରେ ନିଜର ଗ୍ରୁପ୍ ମ୍ୟାଚ୍ ବୟକଟ୍ କରିବାର ନିଷ୍ପତ୍ତି ନେଇଥିଲା। କିନ୍ତୁ ଅମିନୁଲ ଇସ୍ଲାମଙ୍କ ଅପିଲରୁ ଜଣାପଡୁଛି ଯେ, ବାଂଲାଦେଶ ଏହି ବିବାଦକୁ ବଢାଇାବକୁ ଚାହୁଁନି। ଏହା ସହ ଦର୍ଶକ ଯେପରିକ ଭାରତ-ପାକିସ୍ତାନର ହାଇ-ଭୋଲଟେଜ୍ ମ୍ୟାଚ୍ ମିସ୍ ନକରନ୍ତୁ। ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ନିଷ୍ପତ୍ତି ବିଷୟରେ କିଛି ସ୍ପଷ୍ଟ କରିନି।
ପାକିସ୍ତାନ ରଖିଛି ଏହି ୩ ସର୍ତ୍ତ
ପାକିସ୍ତାନ ଏହି ମ୍ୟାଚ୍ ଖେଳିବାକୁ ଆଇସିସି ଆଗରେ ୩ଟି ସର୍ତ୍ତ ରଖିଛି। ପାକିସ୍ତାନ ଆଇସିସି ନିକଟରୁ ଅଧିକ ରେଭିନ୍ୟୁ ସେୟାର ଦାବି କରିଛି। ଏହାଛଡା ଭାରତ ସହ ଦ୍ୱିପାକ୍ଷିକ ସିରିଜ୍ ପୁଣିଥରେ ଆରମ୍ଭ କରିବା କଥା କହିଛି। ସେଭଳି ଟି-୨୦ ବିଶ୍ୱକପ୍ରେ ଭାରତୀୟ ଖେଳାଳି ପାକ୍ ଖେଳାଳିଙ୍କ ସହ ହାତ ମିଳାନ୍ତୁ ବୋଲି ସର୍ତ୍ତ ରଖିଛି।