ଢାକା,୧୪/୦୨; ବାଂଲାଦେଶ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି) ବିପୁଳ ବିଜୟ ହାସଲ କରିଛି । ମୋଟ ୨୯୯ଟି ଆସନରେ ମତଦାନ ହୋଇଥିବାବେଳେ ସେଥିମଧ୍ୟରୁ ୨୯୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି । ଫଳାଫଳରେ ବିଏନପିକୁ ଏକାକୀ ୨୦୯ଟି ଆସନ ମିଳିଛି । ବିଏନ୍ପି ଏବଂ ସହଯୋଗୀଙ୍କ ମେଣ୍ଟ ୨୧୨ଟି ଆସନରେ ବାଜିମାତ୍ କରିଛି । ଏହା ବହୁମତ ଲାଗି ଜରୁରି ସଂଖ୍ୟା ୧୫୦ ଠାରୁ ବେଶ୍ ଅଧିକ । ବିଏନ୍ପି ଦୀର୍ଘ ୨୦ ବର୍ଷ ପରେ ବାଂଲାଦେଶରେ ସରକାର ଗଠନ କରିବ । ବାଂଲାଦେଶ ରାଜନୀତିରେ ତାରିକଙ୍କ ଏଣ୍ଟ୍ରୀ ହୋଇ ସାରିଛି । ସେ ବାଂଲାଦେଶ ନୂଆ ପ୍ରଧାନମନ୍ତ୍ରୀ ହେବେ । ଏବେ ମହମ୍ମଦ ୟୁନୁସଙ୍କର କଣ ହେବ ? ବାଂଲାଦେଶ ବର୍ତ୍ତମାନ ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୋଡରେ ଛିଡା ହୋଇଛି । ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗର ପତନ ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ କାନ୍ଧରେ ଦେଶର ଦାୟିତ୍ୱ ରହିଥିଲା । ମୁଖ୍ୟ ପରାମର୍ଶଦାତା ଭାବେ ୟୁନୁସ କେବଳ ଏକ ଭଙ୍ଗା ରାଜନୈତିକ ବ୍ୟବସ୍ଥାକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିନଥିଲେ ବରଂ ଏକ ନିର୍ବାଚନ ଦିଗକୁ ମଧ୍ୟ ପରିଚାଳିତ କରିଥିଲେ । ଯାହା ବାଂଲାଦେଶ ଭବିଷ୍ୟତକୁ ସୂଚିତ କରିଛି । ତାରିକଙ୍କ ବିପୁଳ ବିଜୟ ପରେ ଏବେ ୟୁନୁସଙ୍କୁ ପଦ ଛାଡିବାକୁ ପଡିବ ।
ଡ଼କ୍ଟର ମହମ୍ମଦ ୟୁନୁସ୍ ଦାରିଦ୍ର୍ୟ ଦୂର କରିବା ପାଇଁ କ୍ଷୁତ୍ର ଋଣର ଧାରଣା ପ୍ରଚଳନ କରିବା ପାଇଁ ସାରା ବିଶ୍ୱରେ ଜଣାଶୁଣା । ୧୯୭୪ ମସିହାରେ ଭୟଙ୍କର ଦୁର୍ଭିକ୍ଷ ସମୟରେ ସେ ଅନୁଭବ କରିଥିଲେ ଯେ କେବଳ ଶିକ୍ଷା ଯଥେଷ୍ଟ ନୁହେଁ ଏବଂ ଗରିବମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଆର୍ଥିକ ସହାୟତା ଆବଶ୍ୟକ । ଏହି ଦୃଷ୍ଟିକୋଣ ବାଂଲାଦେଶରେ ଗ୍ରାମୀଣ ବ୍ୟାଙ୍କକୁ ଜନ୍ମ ଦେଇଥିଲା । କାମଚଳା ପ୍ରଧାନମନ୍ତ୍ରୀ ହେବା ପରେ ୟୁନୁସ ଦେଶର ପ୍ରଶାସନିକ ସ୍ଥିତିକୁ ସଜାଡିବାକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ତାଙ୍କର ଦୃଷ୍ଟିକୋଣ ସ୍ପଷ୍ଟ ଥିଲା ଯେ ଦେଶକୁ ପୁଣି ଥିରେ ଏକଛତ୍ରବାଦ ଆଡ଼କୁ ଫେରିବାରୁ ରୋକିବାକୁ ପଡିବ । ୟୁନୁସ ସ୍ପଷ୍ଟ କରିଥିଲେ ଯେ, କେବଳ ନିର୍ବାଚନ କରିବା ଯଥେଷ୍ଟ ନୁହେଁ, ବରଂ ନିର୍ବାଚନ ପରେ ଦେଶକୁ ସଠିକ ରସ୍ତାରେ ନେବା ଆବଶ୍ୟକ । ଜାନୁଆରୀ ୧୯ରେ ଦେଶକୁ ସମ୍ବୋଧନ କରି ଜନମତ ପାଇଁ ସମର୍ଥନ କରିବାକୁ ଅପିଲ କରିଥିଲେ । ସେ କହିଥଲେ ଯଦି ଆପଣ 'ହଁ 'ଭୋଟ ଦିଅନ୍ତି ତେବେ ଏକ ନୁଆ ବାଂଲାଦେଶ ତିଆରି ହେବାର ବାଟ ଫିଟିବି ।
ଏହା ବି ପଢନ୍ତୁ...ନରେନ୍ଦ୍ର ମୋଦୀ ନା ସି ଜିନପିଙ୍ଗ, କାହାର ନିକଟତର ହେବେ ବାଲାଂଦେଶର ପ୍ରଧାନମନ୍ତ୍ରୀ ତାରିକ ରେହମାନ ?
ରାଜନୈତିକଅସ୍ଥିରତା- ୟୁନୁସଙ୍କ ଲକ୍ଷ୍ୟ ମହାନ ଥିଲା ହେଲେ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଥିଲା । ଆୱାମୀ ଲିଗକୁ ନିର୍ବାଚନ ଲଢ଼ିବା ପାଇଁ ବାରଣ କରାଯାଇଛି । ଦଳର ନେତା ଶେଖ ହସିନା ବର୍ତ୍ତମାନ ଭାରତରେ ନିର୍ବାସିତ ଅଛନ୍ତି ଏବଂ ତାଙ୍କ ବିରୋଦ୍ଧରେ ଗମ୍ଭୀର ଅଭିଯୋଗ ରହିଛି । ଗତ ନଭେମ୍ବରରେ, ଅଗଷ୍ଟ ୨୦୨୪ ପ୍ରତିବାଦ ସମୟରେ ଘାତକ ଶକ୍ତି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ନାଗରିକଙ୍କ ବିରୋଦ୍ଧରେ ଅପରାଧ ପାଇଁ ତାଙ୍କୁ ଏକ ପୃଥକ ଆଜୀବନ କାରାଦଣ୍ଡ ମଧ୍ୟ ମିଳିଥିଲା । ଏହି ସମୟରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ତାରିକ ରହମାନ ଦୁଇ ଦଶନ୍ଧି ପରେ ଡିସେମ୍ବରରେ ଲଣ୍ଡନରୁ ଫେରି ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଭାବରେ ଉଭା ହୋଇଛନ୍ତି । ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଜମାତ-ଏ-ଇସଲାମି (JeI) ଥିଲା, କିନ୍ତୁ BNP ଏହି ଯୁଦ୍ଧରେ ନିଶ୍ଚିତ ଭାବରେ ବିଜୟୀ ହୋଇଛି । ଏହି ସମୟରେ, ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ହିଂସାର ଘଟଣା ମଧ୍ୟ ଚିନ୍ତା ସୃଷ୍ଟି କରିଛି । ଡିସେମ୍ବରରେ ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ହତ୍ୟା ପରିସ୍ଥିତିକୁ ଆହୁରି ଖରାପ କରିଥିଲା ।
ଆୱାମୀ ଲିଗର ବିରୋଧ- ଶେଖ୍ ହସିନାଙ୍କ ପାର୍ଟି ଆୱାମୀ ଲିଗ ୟୁନୁସ ସରକାର ଦ୍ୱାରା ଘୋଷିତ ନିର୍ବାଚନୀ ପ୍ରକ୍ରିୟାକୁ ଖାରଜ କରିଛି । ଦଳ ଫେବୃଆରୀ ୧୨ରେ ନିର୍ବାଚନକୁ ଅବୈଧ ଘୋଷଣା କରିଛି । ଏବଂ ୟୁନୁସ ପ୍ରଶାସନକୁ ଏକ ହତ୍ୟାକାରୀ ଗୋଷ୍ଠୀ ଭାବରେ ବର୍ଣ୍ଣନା କରିଛି । ଆୱାମୀ ଲିଗ୍ ଅଭିଯୋଗ ଅନୁଯାୟୀ ବର୍ତ୍ତମାନର ପ୍ରଶାସନ ଅଧୀନରେ ନିରପେକ୍ଷ ନିର୍ବାଚନ ଅସମ୍ଭବ । ହସିନା ସରକାରଙ୍କ ପତନ ସରକାରଙ୍କ ପତନ ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ମଧ୍ୟ ତିକ୍ତ ହୋଇଯାଇଛି ।