ଭୁବନେଶ୍ୱର, ୦୯/୦୩: ଅନୁଦାନଯୋଗ୍ୟ ସ୍କୁଲ ଓ କଲେଜକୁ ଅନୁଦାନ, ରାଜ୍ୟର ସମସ୍ତ ନୂତନ  ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ  ଚାକିରି ସର୍ତ୍ତାବଳୀ, ପେନସନ୍‌  ପ୍ରଦାନ, ୨୦୦୪ରୁ ୨୦୧୩ ମଧ୍ୟରେ  ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି  ନୋସନାଲ୍‌ ଇନ୍‌କ୍ରିମେଣ୍ଟ ସହ  ବରିଷ୍ଠତା ପ୍ରଦାନ ଆଦି ଦାବି ନେଇ  ଆସନ୍ତା ସୋମବାର ଆନ୍ଦୋଳନକୁ  ଓହ୍ଲାଇବ ଓଡ଼ିଶା ସ୍କୁଲ, କଲେଜ  ଶିକ୍ଷକ ଓ କର୍ମଚାରୀ ସମନ୍ୱୟ  ସମିତି । ଲୋୟର ପିଏମ୍‌ଜିରେ  ବିଶାଳ ସମାବେଶ କରାଯିବ ବୋଲି  କୁହାଯାଇଛି ।

ଶନିବାର ଏକ ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦେଇ ସମିତି  ପକ୍ଷରୁ କୁହାଯାଇଛି, ଗ୍ରେଡ୍‌ ପେରେ  ଥିବା ଅସଙ୍ଗତି ଦୂରୀକରଣ, ଅବସର  ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି,  ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ  କାର୍ଯ୍ୟ କରୁଥିବା ଶିକ୍ଷକଙ୍କୁ ନ୍ୟାୟ  ପ୍ରଦାନ କରିବାକୁ ମଧ୍ୟ ଦାବି  କରାଯିବ । ସାମ୍ବାଦିକ ସମ୍ମିଳନୀରେ  ଆବାଦକ ରଞ୍ଜନ କୁମାର ଦାଶ,  ସଭାପତି ସୁକାନ୍ତ କୁମାର ବେହେରା,  ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର  ଦାସ ପ୍ରମୁଖ ଯୋଗ ଦେଇଥିଲେ ।