ନୂଆଦିଲ୍ଲୀ,୨୬/୦୭: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଆଧିପତ୍ୟ ଜାରି ରଖିଛି । ଆଉ ଏକ ବିଜୟ ପାଇଁ ପଥ ପ୍ରସ୍ତୁତ କରିବାରେ ଲାଗିଛି ବ୍ରିଟିଶ୍ ବାହିନୀ । ଜୋ ରୁଟ୍‌ଙ୍କ ୩୮ତମ ଟେଷ୍ଟ ଶତକ ସମେତ ଓଲି ପୋପ ଓ ବେନ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହେଉଛି । ଭାରତର ପ୍ରଥମ ଇନିଂସ ୩୫୮ ଜବାବରେ ଇଂଲଣ୍ଡ ୭ ୱିକେଟ୍‌ ହରାଇ ୫୪୪ ରନ ସଂଗ୍ରହ କରିଛି ।  ୧୮୬ ରନ୍‌ରେ ଆଗୁଆ ରହିଛି ଘରୋଇ ଇଂଲଣ୍ଡ । ଭାରତ ପାଖରେ ୪ ପେସ୍‌ର, ୨ ସ୍ପିନର ଥାଇ ବ୍ୟାକଫୁଟ୍‌ରେ ପଡିଛନ୍ତି ଦଳ । ଚତୁର୍ଥ ଦିନରେ ଟିମ୍ ଶୁବମନର କଣ ରଣନୀତି ରହିବ ତାହା ଉପରେ ନଜର ରହିଛି ।

ଟେନ୍‌ସନ ଦେଲେ ରୁଟ୍‌- ମାଞ୍ଚେଷ୍ଟର ଟେଷ୍ଟରେ ଆୟୋଜକ ଇଂଲଣ୍ଡ ମଜବୁତ୍ ସ୍ଥିତିରେ ପହଞ୍ଚିଛି । ଏବେ ଇଂଲିଶ୍ ଦଳ ଲକ୍ଷ୍ୟ ଏହି ମୁକାବିଲାକୁ ଜିତି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିକୁ ୩-୧ରେ ଆଗୁଆ କରିବା । ଶୁବମନ୍ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଏବେ କମବ୍ୟାକ କରିବାକୁ ଚାହିଁବ । ଚତୁର୍ଥ ଦିନରେ ଖେଳ ମୁକାବିଲାର ଦିନ ନିର୍ଣ୍ଣୟ କରିବ । ବର୍ତ୍ତମାନ ଟିମ୍ ଇଣ୍ଡିଆ ବ୍ୟାକ୍‌ଫୁଟରେ ରହିଛି । ଭାରତୀୟ ଟିମ୍‌ରେ ଏହି ମୁକାବିଲାରେ ୪ ଦ୍ରୁତ ବୋଲର ରହିଛନ୍ତି । ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଅଶୁଂଲ କମ୍ବୋଜ ଏବଂ ସାର୍ଦୁଳ ଠାକୁରଙ୍କ ପରି ବୋଲରଙ୍କୁ ନେଇ ଖେଳୁଛି ଭାରତ । ଦୁଇ ସ୍ପିନର ରବୀନ୍ଦ୍ର ଜାଡ଼େଜା ଏବଂ ୱାଶିଂଟନ୍ ସୁନ୍ଦର ରହିଛନ୍ତି । ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଫଳରେ ମ୍ୟାଚ ଇଂଲଣ୍ଡ କବଜାରେ ରହିଛି ।



ଶୁବମନ୍‌ ବ୍ରିଗେଡ଼ର କ'ଣ ହେବ ଆଗମୀ ରଣନୀତି ? ଏବେ ଭାରତୀୟ କ୍ରିକେଟ୍‌ ଟିମ୍ ଚତୁର୍ଥ ଦିନ  ଇଂଲଣ୍ଡର ଥିବା ବଳକା ୱିକେଟ୍ ପତନ କରିବାକୁ ଚେଷ୍ଟା କରିବ । ଏହାପରେ ଭାରତ ପୁଣି ବ୍ୟାଟିଂ କରିବ । ବ୍ୟାଟରଙ୍କ ପ୍ରଥମ ଲକ୍ଷ୍ୟ ରହିବ ଲିଡ୍‌କୁ ଶେଷ କରିବା । ଏହା ସହଜ ହେବ ନାହିଁ କାରଣ ପିଚ୍‌ ବୋଲଙ୍କୁ ଏବେ ସହାୟକ ହେବାରେ ଲାଗିଛି । ଏମିତିରେ ନୂଆ ବଲ୍‌ରେ ଭାରତୀୟ ବ୍ୟାଟରଙ୍କୁ ସତର୍କତାପୂର୍ବକ ବ୍ୟାଟିଂ କରିବାକୁ ପଡ଼ିବ । 

ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଡ୍ର କରୁଛି ତେବେ ଏହା ଭଲ ରେଜଲ୍ଟ ହେବ । ମୁକାବିଲାର ଚତୁର୍ଥ ଦିନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ରିପୋର୍ଟ ଅନୁସାରେ ଆଜି (ଶନିବାର) ମାଞ୍ଚେଷ୍ଟରରେ ୪୭ ପ୍ରତିଶତ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷାରେ ଖେଳ ପ୍ରଭାବିତ ହୁଏ ତେବେ ମ୍ୟାଚ ବାତିଲ୍‌ ଆଡ଼କୁ ଯାଇପାରେ ।