ଚେନ୍ନାଇ, ୬।୫: ତାମିଲନାଡ଼ୁ ରାଜନୀତିରେ ଏବେ ଚାରିଆଡ଼େ କେବଳ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା, ସେ ହେଉଛନ୍ତି ସୁପରଷ୍ଟାର ଥଲାପତି ବିଜୟ । ନିଜର ନୂତନ ରାଜନୈତିକ ଦଳ 'ତମିଲଗା ଭେଟ୍ରି କାଜଗମ' (TVK) ମାଧ୍ୟମରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବିଜୟ ଏବେ ମୁଖ୍ୟମନ୍ତ୍ରୀ ପଦର ଅତି ନିକଟତର । ଏହି ସଫଳତା ପରେ ତାଙ୍କର ବ୍ୟକ୍ତିଗତ ଜୀବନ ଓ ପିଲାଦିନକୁ ନେଇ ଅନେକ ଅଜଣା କଥା ସାମ୍ନାକୁ ଆସିଛି । ବିଜୟଙ୍କ ସ୍କୁଲ ଶିକ୍ଷୟିତ୍ରୀ ବାସନ୍ଥା ନିକଟରେ ତାଙ୍କ ପିଲାଦିନର କିଛି ରୋଚକ ସ୍ମୃତି ବଖାଣିଛନ୍ତି । ସିନେମା ପରଦାରେ ଆମେ ଯେଉଁ ଆକ୍ରମଣାତ୍ମକ ଏବଂ ଚଳଚଞ୍ଚଳ ବିଜୟଙ୍କୁ ଦେଖୁ, ବାସ୍ତବ ଜୀବନରେ ସେ ତା’ର ସମ୍ପୂର୍ଣ୍ଣ ଓଲଟା । ଶିକ୍ଷୟିତ୍ରୀ ବାସନ୍ଥାଙ୍କ କହିବା ଅନୁଯାୟୀ, ବିଜୟ ପିଲାଦିନେ ଅତ୍ୟନ୍ତ ଶାନ୍ତ ଏବଂ ଲାଜକୁଳା ସ୍ଵଭାବର ଥିଲେ । ସେ କହିଛନ୍ତି, "ବେଳେବେଳେ ସ୍କୁଲରେ ତାଙ୍କର ଉପସ୍ଥିତି ମଧ୍ୟ ଜଣାପଡ଼ୁନଥିଲା, ସେ ଏତେ ଧୀରସ୍ଥିର ଥିଲେ । ଯେତେବେଳେ ମୁଁ ତାଙ୍କର ଆକ୍ସନ ଫିଲ୍ମ ଦେଖେ, ମୁଁ ନିଜେ ଆଶ୍ଚର୍ଯ୍ୟ ହୋଇଯାଏ ଯେ ଏ କ’ଣ ସେଇ ବିଜୟ !"
ନେତୃତ୍ଵ ନେବାର କଳା ପିଲାଦିନରୁ ଥିଲା:
ଶିକ୍ଷୟିତ୍ରୀଙ୍କ ଅନୁଯାୟୀ, ବିଜୟଙ୍କ ମଧ୍ୟରେ ଜଣେ ନେତା ହେବାର ଗୁଣ ସପ୍ତମ-ଅଷ୍ଟମ ଶ୍ରେଣୀରୁ ହିଁ ଦେଖାଦେଇଥିଲା । ସ୍କୁଲର ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ, ଶିକ୍ଷକମାନେ ଆଖି ବନ୍ଦ କରି ସବୁ ଦାୟିତ୍ଵ ବିଜୟ ଓ ତାଙ୍କ ସାଙ୍ଗମାନଙ୍କୁ ଦେଇଦେଉଥିଲେ । ସେ ଅତ୍ୟନ୍ତ ସଚ୍ଚୋଟ, ଆଜ୍ଞାବହ ଏବଂ ପରୋପକାରୀ ଥିଲେ । ସବୁ କାମକୁ ସୁଚାରୁରୂପେ ସଂଗଠିତ କରିବାର ଦକ୍ଷତା ତାଙ୍କ ପାଖରେ ସେତେବେଳୁ ଥିଲା ।
ନାଚରେ ଥିଲେ ଓସ୍ତାଦ୍:
ଆଜି ବିଜୟଙ୍କ ଡାନ୍ସ ଷ୍ଟାଇ ସାରା ଦେଶ ପାଗଳ, କିନ୍ତୁ ଏହି ପ୍ରତିଭା ତାଙ୍କ ପାଖରେ ପିଲାଦିନୁ ଥିଲା । ସ୍କୁଲରେ ପଢ଼ୁଥିବା ସମୟରେ ବିଜୟ ସବୁ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରୁଥିଲେ ଏବଂ ନିଜେ ସବୁ ପ୍ରସ୍ତୁତି କରୁଥିଲେ । ରାଜନୈତିକ ସମୀକରଣ କହୁଛି ଯେ ବିଜୟ ଖୁବଶୀଘ୍ର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଯଦି ଏପରି ହୁଏ, ତେବେ ସେ ଏମ.ଜି. ରାମଚନ୍ଦ୍ରନ (MGR), ଜାନକୀ ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କ ପରେ ଇତିହାସରେ ଏହି ପଦ ଅଳଙ୍କୃତ କରିବାରେ ଚତୁର୍ଥ ଚଳଚ୍ଚିତ୍ର ଅଭିନେତା ହେବେ ।
He said it… and he DID it. 🔥
— Milagro Movies (@MilagroMovies) May 4, 2026
That’s #ThalapathyVijay
Words → Action → History. ✊#TVKVijay #Vijay #TVK pic.twitter.com/QO0HgCfZdK
ପ୍ରଶଂସକଙ୍କ ଭକ୍ତି ଓ ଶିକ୍ଷୟିତ୍ରୀଙ୍କ ଗର୍ବ:
ଶିକ୍ଷୟିତ୍ରୀ ବାସନ୍ଥା ଏକ ଆବେଗପୂର୍ଣ୍ଣ କଥା ସେୟାର କରିଛନ୍ତି । ଥରେ ଜଣେ ଶ୍ରମିକ ଯେତେବେଳେ ଜାଣିବାକୁ ପାଇଲେ ଯେ ବାସନ୍ଥା ହେଉଛନ୍ତି ବିଜୟଙ୍କ ଶିକ୍ଷୟିତ୍ରୀ, ସେ ସଙ୍ଗେ ସଙ୍ଗେ ରାସ୍ତା ଉପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଏଥିରୁ ବିଜୟଙ୍କ ପ୍ରତି ଲୋକଙ୍କର କେତେ ଭଲପାଇବା ରହିଛି, ତାହା ସ୍ପଷ୍ଟ ଜଣାପଡ଼ୁଛି । ଶିକ୍ଷୟିତ୍ରୀ ବାସନ୍ଥାଙ୍କ ପ୍ରିୟ ଫିଲ୍ମ ତାଲିକାରେ 'ଖୁସି', 'ଘିଲ୍ଲି', 'ଥୁପ୍ପାକି' ଏବଂ 'ମର୍ସଲ' ରହିଛି । ଆଜି ନିଜ ପ୍ରିୟ ଛାତ୍ରକୁ ରାଜ୍ୟର ସର୍ବୋଚ୍ଚ ପଦବୀରେ ଥିବା ଦେଖି ବାସନ୍ଥା କହନ୍ତି, "ମୁଁ ଜଣେ ଶିକ୍ଷୟିତ୍ରୀ ଭାବେ ଅତ୍ୟନ୍ତ ଗର୍ବିତ ଯେ ବିଜୟ ମୋ’ ପାଖରେ ପଢ଼ୁଥିଲା ।"