ପୁରୀ,୦୩/୦୩: ଆଜି ଦୋଳପୂର୍ଣ୍ଣିମାରେ ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ । ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୬ଟା ୨୦ ମିନିଟ ହେଲା ପାକ ତ୍ୟାଗ ଅର୍ଥାତ ହାଣ୍ଡିଛାଡ଼ । ସନ୍ଧ୍ୟା ୬ଟା ୪୭ ମିନିଟ୍ରେ ସର୍ବମୋକ୍ଷ ହେବ। ସୂର୍ଯ୍ୟୋଦୟ ତଥା ପ୍ରାତଃ ୫ଟା ୪୭ ମିନିଟ୍‌ରୁ ସନ୍ଧ୍ୟା ୬ଟା ୪୭ ମିନିଟ୍ ପର୍ଯ୍ୟନ୍ତ ପାକ କାର୍ଯ୍ୟ, ଦେବ ନୀତି ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟ ନିଷେଧ ବୋଲି ଧ୍ରୁବଜ୍ୟୋତି ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷା ଡ. ସସ୍ମିତା ମିଶ୍ର କହିଛନ୍ତି ।

ଗ୍ରହଣ ଅପରାହ୍ଣ ୩ଟା ୧୪ ମିନିଟ୍‌ରୁ  ଆରମ୍ଭ ହୋଇ ୬ଟା ୪୭ ମିନିଟ୍‌ରେ ସର୍ବମୋକ୍ଷ ହେବ । ଏହା ପୁରୀକୁ ସ୍ପର୍ଶ କରିବ ଅପରାହ୍ଣ ୩ଟା ୨୦ ମିନିଟ୍ ୧୭ସେକେଣ୍ଡରେ । ମେଷ, ସିଂହ, କର୍କଟ, ବୃଷ, ବିଛା ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭ ଅଟେ । ଗ୍ରହଣ ପରେ ସ୍ନାନ କରି ସ୍ୱାଭାବିକ ହେବ ଚଳଣି ।

ଅଧିକ ପଢ଼ନ୍ତୁ :- ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ଚନ୍ଦ୍ରଗ୍ରହଣ ପାଇଁ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ

ପାକ ତ୍ୟାଗ ପୂର୍ବରୁ ହାଲୁକା ଖାଦ୍ୟ ଖାଇବା ସହ ଗ୍ରହଣ ପ୍ରଭାବରୁ ମୁକ୍ତି ପାଇଁ ବଳକା ଖାଦ୍ୟ ହାଣ୍ଡିରେ ତୁଳସୀ ପତ୍ର ପକାଇ ରଖିବାକୁ ପରାମର୍ଶ ରହିଛି । ଗର୍ଭବତୀ, ରୋଗୀ ଓ ବୟସାଧିକଙ୍କ ପାଇଁ ପାକତ୍ୟାଗର ନିୟମ କଡ଼ାକଡ଼ି ନାହିଁ । ଗ୍ରହଣ ଲାଗିବା ସମୟରେ ପ୍ରଭୁଙ୍କ ନାମରେ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ଡ. ମିଶ୍ର ।