ମୁମ୍ବାଇ ୦୧/୦୪: ସୋମବାର ଇଦ୍‌ ଅବସରରେ ଫିଲ୍ମ ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ-୨’ର ନିର୍ମାତା ଫାର୍ଷ୍ଟ ଲୁକ୍‌ ଜାରି କରିଛନ୍ତି । ହାସ୍ୟରସରେ ଭରପୂର ପ୍ରେମ କାହାଣୀର ଏକ ଝଲକ୍‌ ଏଥିରେ ରହିଛି । ଫିଲ୍ମର ମୁଖ୍ୟ ଅଭିନେତା କପିଲ ଶର୍ମା ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଫାର୍ଷ୍ଟ ଲୁକ୍‌ ଶେୟାର କରିଛନ୍ତି । 




ଏଥିରେ ଜଣେ ରହସ୍ୟମୟୀ ଝିଅ ସହ ସେ ନଜର ଆସିଛନ୍ତି । ଉଭୟ ପାରମ୍ପରିକ ଭାରତୀୟ ବିବାହ ପୋଷାକ ପିନ୍ଧିଛନ୍ତି । କପିଲ ଏକ ଶେରୱାନି ପିନ୍ଧି ମୁଣ୍ଡରେ ଶେହରା ବାନ୍ଧିଛନ୍ତି ଏବଂ ଶେହରାର ଗୋଟିଏ ପଟକୁ ଟେକି ଦ୍ୱନ୍ଦ୍ୱରେ ଥିବାଭଳି ଲୁକ୍‌ ଦେଇଛନ୍ତି । ତାଙ୍କ ପାଖରେ ନୀଳ ରଙ୍ଗର ବିବାହ ପୋଷାକରେ ଥିବା ଝିଅ ନିଜ ମୁହଁକୁ ଓଢ଼ଣିରେ ଲୁଚାଇଛି । ଏଥିରେ ଫିଲ୍ମର ଟାଇଟଲ୍‌ ସ୍ପଷ୍ଟ ପ୍ରଦର୍ଶିତ ହୋଇଛି । ଏଥିସହିତ ଇଦ୍‌ ମୁବାରକ୍‌ ମଧ୍ୟ ଲେଖାଯାଇଛି । କପିଲ ଓ ମନଜୋତ ସିଂହଙ୍କ ଅଭିନୀତ ଏହି ସିକ୍ୱେଲ ମୂଳ ଫିଲ୍ମ ଭଳି ଦମ୍‌ଦାର କମେଡିର ଖୋରାକ ଦର୍ଶକଙ୍କୁ ଦେବ ବୋଲି ନିର୍ମାତା କହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁକଳ୍ପ ଗୋସ୍ୱାମୀ । ୨୦୧୫ରେ ମୁକ୍ତିପ୍ରାପ୍ତ ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ କପିଲ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅବ୍‌ବାସ ମସ୍ତାନ ।